ଝାରସୁଗୁଡ଼ା : ତିନି ବର୍ଷ ୯ ମାସ ତଳର ଏକ ପୁରୁଣା ହତ୍ୟା ମାମଲାରେ ସଂପୃକ୍ତି ଅଭିଯୋଗରେ ଆଜି ବ୍ରଜରାଜନଗରର ପୂର୍ବତନ ବିଧାୟକ, ବିଜେଡି ନେତା ତଥା ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ଛତିଶଗଡ଼ ପୁଲିସ ଗିରଫ କରିଛି। ବୁଧବାର ରାତିରେ ପୁଲିସ ତାଙ୍କୁ ଝାରସୁଗୁଡ଼ାରୁ ଉଠାଇନେବା ପରେ ଦିନତମାମ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନାରେ ମାରାଥନ୍ ଜେରା କରିଥିଲା। ଶେଷରେ ତାଙ୍କୁ ଆଇପିସିର ଧାରା ୩୦୨ (ହତ୍ୟା), ୧୦୨(ବି)(ହତ୍ୟା ଷଡ଼ଯନ୍ତ୍ର), ୨୦୧(ପ୍ରମାଣ ନଷ୍ଟ)ରେ ଗିରଫ କରାଯାଇଥିବା ସଂଧ୍ୟାରେ ରାୟଗଡ଼ ଏସ୍ପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି। ଏହି ଡବଲ ମର୍ଡର ମାମଲାରେ ଆଉ କିଛି ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ସେମାନଙ୍କୁ ମଧ୍ୟ ଗିରଫ କରାଯାଇପାରେ ବୋଲି ଏସ୍ପି କହିଛନ୍ତି। ଏହି ଖବର ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ଝାରସୁଗୁଡ଼ା ଏସ୍ପି ଅଶ୍ବିନୀ ମହାନ୍ତିଙ୍କ ସୂଚନା ଅନୁଯାୟୀ ବୁଧବାର ରାତି ୯ଟା୨୩ରେ ରାୟଗଡ଼ ଏସ୍ପି ତାଙ୍କୁ ଫୋନ୍ କରି କହିଥିଲେ ଯେ ଛତିଶଗଡ଼ ପୁଲିସ ଅନୁପ ସାଏଙ୍କୁ ଅଟକ ରଖିଛି। ୨୦୧୬ ମସିହାର ଏକ ହତ୍ୟା ଘଟଣାର ପଚରାଉଚୁରା ପାଇଁ ତାଙ୍କୁ ଅନେକ ଥର ପୁଲିସ ନୋଟିସ କରିଥିଲେ ମଧ୍ୟ ସେ ହାଜର ନହେବାରୁ ତାଙ୍କ ନାମରେ ୱାରେଣ୍ଟ ଜାରି ହୋଇଥିଲା। ତେବେ କେଉଁ ଘଟଣାରେ ତାଙ୍କୁ ଉଠାଇ ନିଆଯାଇଛି ବୋଲି ସେ ସଂପର୍କରେ କିଛି କୁହାଯାଇ ନଥିଲା। ଖବର ପାଇ ସେ ତୁରନ୍ତ ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ଏକ ଷ୍ଟେସନ ଡାଏରି କରି ଅନୁପ ସାଏଙ୍କ ପରିବାରଙ୍କୁ ଏ ସଂପର୍କରେ ଜଣାଇ ଦେବାକୁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ।
୨୦୧୬ ମସିହାରେ ବ୍ରଜରାଜନଗର ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା କଳ୍ପନା ଦାସ (୩୨) ଓ ତାଙ୍କ ଝିଅ ବବ୍ଲି ଓରଫ ପ୍ରଭାତୀ(୧୩)ଙ୍କ ରକ୍ତାକ୍ତ ମୃତଦେହ ଛତିଶଗଡ଼ର ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆଠାରୁ ପୁଲିସ ଉଦ୍ଧାର କରିଥିଲା। କଳ୍ପନା ସେତେବେଳେ ଗର୍ଭବତୀ ଥିବା କୁହାଯାଉଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ଚକ୍ରଧରନଗର ପୁଲିସ ତଦନ୍ତ ଆରମ୍ଭ କରିଥିଲା।
କଳ୍ପନା ଦାସ ହେଉଛନ୍ତି ବ୍ରଜରାଜନଗର ଅଞ୍ଚଳର ଜଣେ ବ୍ରହ୍ମଣ ଝିଅ। କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାଶ ବ୍ରଜରାଜନଗର ଏମ୍ସିଏଲ୍ରେ ଫିଲଟର୍ ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ। ୨୦୦୨ ମସିହାରେ ସୁନୀଲ ଶ୍ରୀବାସ୍ତବ ନାମକ ଜଣେ ବିହାରୀ ଯୁବକଙ୍କ ସହିତ ତାଙ୍କର ବିବାହ ହୋଇଥିଲା। ତେବେ ବିବାହ ପରେ କୌଣସି କାରଣକୁ ନେଇ ୨୦୦୪ରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ର ପରେ ସୁନୀଲ ଦ୍ବିତୀୟ ବିବାହ କରିଥିଲେ। କଳ୍ପନାଙ୍କ ପ୍ରଭାତି ଓରଫ ବବ୍ଲି ନାମରେ ଏକ ଝିଅ ଥିଲା, ଯିଏକି ମା’ଙ୍କ ପାଖରେ ରହିଥିଲା। ଛାଡ଼ପତ୍ର ପରେ କଳ୍ପନା ଝାରସୁଗୁଡ଼ା କୋର୍ଟରେ ଜଣେ ଓକିଲ ପାଖରେ କାମ କରିଥିଲେ। କଳ୍ପନା ବ୍ରଜରାଜନଗରର ହୋଇଥିବାରୁ ବିଭିନ୍ନ ମହଲରେ ପରିଚିତ ଥିଲେ।
୨୦୧୬ ମଇ ମାସ ୭ ତାରିଖ ଦିନ ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଳପୁରୀ ବଙ୍ଗୁରସିଆର ଏକ ନିକାଞ୍ଚନ ରାସ୍ତାରେ ଦୁଇଟି ମୃତଦେହ ପଡ଼ିଥିବା ପୁଲିସ ସୂଚନା ପାଇଥିଲା। ଉଭୟଙ୍କୁ ହତ୍ୟା କରାଯାଇ ତାଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିବା ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା। ମୃତଦେହକୁ ସେତେବେଳେ କେହି ଚିହ୍ନି ପାରି ନଥିଲେ। ଛତିଶଗଡ଼ ପୁଲିସ ଉଭୟ ମହିଳାଙ୍କ ଫଟୋ ଛତିଶଗଡ଼ ସମେତ ଓଡ଼ିଶାର ବିଭିନ୍ନ ଥାନାରେ ଜାରି କରିଥିଲା। ସେହି ସମୟରେ ବ୍ରଜରାଜନଗର ଥାନାରେ ଏହି ମହିଳା ଓ ତାଙ୍କ ଝିଅଙ୍କ ଫଟୋକୁ ସାହୁ ବାବୁ ନାମକ ଜଣେ କନ୍ଷ୍ଟେବଲ ଚିହ୍ନି ପାରିଥିଲେ। ମୃତଦେହ କଳ୍ପନା ଓ ତାଙ୍କ ଝିଅର ବୋଲି ଏଠାରେ ଜଣାପଡ଼ିବା ପରେ ଛତିଶଗଡ଼ ପୁଲିସକୁ ଜଣାଇ ଦିଆଯାଇଥିଲା। ଛତିଶଗଡ଼ କ୍ରାଇମବ୍ରାଞ୍ଚ ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଝାରସୁଗୁଡ଼ା ପୁଲିସ ସେତେବେଳେ ଆଶ୍ଚର୍ଯ୍ୟଜନକ ଭାବେ ଚୁପ୍ ରହିଥିଲା। କଳ୍ପନା ଓ ତାଙ୍କ ଝିଅଙ୍କୁ କିଏ କାହିଁକି ହତ୍ୟା କଲା ତାହା ସେତେବେଳେ ରହସ୍ୟ ହୋଇ ରହିଯାଇଥିଲା। ଏହା ପଛରେ ଅନୁପଙ୍କ ସଂପର୍କ ଥିଲା କି ନାହିଁ ତାହା ମଧ୍ୟ ଜଣାପଡ଼ି ନ ଥିଲା। ହତ୍ୟାକାଣ୍ଡକୁ ୩ ବର୍ଷ ୯ ମାସ ପରେ ଛତିଶଗଡ଼ ପୁଲିସ ହଠାତ୍ କାହିଁକି ସକ୍ରିୟ ହେଲା ଏବଂ ଅନୁପ ସାଏଙ୍କୁ କାହିଁକି ଉଠାଇନେଲା ସେ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଜୋର ଧରିଛି। ତେବେ ତଦନ୍ତ ସରିଲେ ସବୁ କଥା କୁହାଯିବ ବୋଲି ରାୟଗଡ଼ ଏସ୍ପି କହିଛନ୍ତି।
ଅନୁପଙ୍କ କ୍ୟାରିଅର: ଅନୁପ ଟିଆର୍ଏଲ୍ରେ କାର୍ଯ୍ୟ କରୁଥିବା ବେଳେ ୨୦୦୦ ମସିହାରେ କଂଗ୍ରେସ ଦଳରେ ଯୋଗ ଦେଇ ଲଗାତାର ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୪ ନିର୍ବାଚନ ପୂର୍ବରୁ ଅନୁପ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ମାତ୍ର ୨୦୧୪ରେ ସେ ବିଜେଡି ଟିକଟରୁ ଲଢ଼ିଥିଲେ ମଧ୍ୟ ସେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାଜିତ ହୋଇଥିଲେ। ପରାଜୟ ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଉଠାଜଳସେଚନ ନିଗମରେ ଅଧ୍ୟକ୍ଷ ପଦ ଦେଇଥିଲେ। ୨୦୧୯ରେ ଶେଷ ମୁହୂର୍ତ୍ତରେ ତାଙ୍କୁ ବିଜେଡି ଟିକେଟରୁ ବଞ୍ଚିତ ହେବାକୁ ପଡ଼ିଥିଲା। ବ୍ରଜରାଜନଗର ଆସନରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ବିଜେଡି ଟିକଟରୁ ବିଧାୟକ ହେବାପରେ ଅନୁପଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଦାୟିତ୍ବ ଦେଇଥିଲେ। ତେବେ ନିର୍ବାଚନ ପରଠାରୁ ଅନୁପ ଆଶ୍ଚର୍ଯ୍ୟଜନକ ନିରବତା ଅବଲମ୍ବନ କରୁଥିଲେ। କୌଣସି ସଭା ସମିତିରେ ତାଙ୍କୁ ଦେଖିବାକୁ ମିଳୁ ନଥିଲା। ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ କୌଣସି ମନ୍ତବ୍ୟ ମଧ୍ୟ ଦେଉ ନଥିଲେ। କିଶୋର ମହାନ୍ତି ଓ ଅନୁପ ସାଏ ଶିବିର ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଥିବା ଅନୁମାନ କରାଯାଉଥିଲା। ଏଭଳି ପରିସ୍ଥିତିରେ ଅନୁପଙ୍କ ନିରବତା ଓ ହଠାତ୍ ପୁଲିସ ତାଙ୍କୁ ଏତେ ପୁରୁଣା ଘଟଣାରେ ସଂପୃକ୍ତ କରିବାକୁ ନେଇ ବିଭିନ୍ନ ମହଲରେ ନାନା କଥା ଆଲୋଚନା ହେଉଛି।
ଅପରାଧ ପ୍ରତି ନବୀନଙ୍କ ଶୂନ୍ୟ ସହନଶୀଳତା ନୀତି : ପଣ୍ୟାଗାର ନିଗମ ଅଧ୍ୟକ୍ଷ ଓ ବିଜେଡିରୁ ତଡ଼ା ଖାଇଲେ
ଭୁବନେଶ୍ବର : ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ନୀତି ସଂପର୍କରେ ପୁଣି ସତର୍କ କରାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକ ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହେବା ପରେ ଆଜି ନବୀନ ପୂର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଶ୍ରୀ ସାଏଙ୍କୁ ନିଗମ ଅଧ୍ୟକ୍ଷ ପଦରୁ ତତ୍କାଳ ବିଦା କରାଯିବା ସହିତ ବିଜେଡି ମୁଖ୍ୟ ହିସାବରେ ଦଳରୁ ନିଲମ୍ବନ ନୁହେଁ, ବରଂ ବହିଷ୍କାର କରିଛନ୍ତି ନବୀନ।ଦାଗୀ ନେତାଙ୍କ ସଂପର୍କରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ଶୁଣାଇଥିବା ବେଳେ ନବୀନଙ୍କ ପଦକ୍ଷେପ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି।
ଅନୁପ କୁମାର ସାଏ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟ୍ରେ ତିନି ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ରେ ସେ ଦଳ ବଦଳାଇ ବିଜେଡିରେ ଯୋଗ ଦେଇଥିଲେ। କିନ୍ତୁ ସେଥର ସେ ଏହି ଆସନରେ ଲଢି ପରାଜିତ ହୋଇଥିଲେ। ପରେ ରାଜ୍ୟ ସରକାର ତାଙ୍କୁ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରେ ବସାଇଥିଲେ।
ହେଲେ ପ୍ରାରମ୍ଭିକ ସୂଚନାରୁ ମିଳିଥିବା ସୂଚନା ଅନୁସାରେ, ୨୦୧୬ ଏପ୍ରିଲ ମାସରେ ଝାରସୁଗୁଡ଼ା ସୀମାନ୍ତ ଛତିଶଗଡ଼ରେ ୩୨ ବର୍ଷୀୟା କଳ୍ପନା ଦାସ ଓ ତାଙ୍କର ୧୪ ବର୍ଷୀୟା ଝିଅ ପ୍ରଭାତୀ ଦାସଙ୍କୁ ହତ୍ୟା ମାମଲାରେ ପୁଲିସ ତାଙ୍କୁ ଟାଣିଛି। ଉଭୟଙ୍କୁ ହତ୍ୟା କରାଯାଇ ଛତିଶଗଡ଼ ସୀମାରେ ଫିଙ୍ଗା ଯାଇଥିଲା। ଛତିଶଗଡ଼ ପୁଲିସ୍ ମୃତଦେହ ଜବତ କରି ତଦନ୍ତ କରିଥିଲା।
ହଠାତ୍ ଏହି ଘଟଣାଟି ନାଟକୀୟ ମୋଡ଼ ନେବା ସହିତ ଏଥିରେ ଅନୁପଙ୍କ ସଂପୃକ୍ତି ସାମ୍ନାକୁ ଆସିଥିଲା। ଆଜି ଛତିଶଗଡ ପୁଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।