ପଦାକୁ ଆସିଲା ଅନୁପଙ୍କ ପରକୀୟା ପାପ : ସିନ୍ଦୂର, ସମ୍ପତ୍ତି ମାଗିବାରୁ ଜଘନ୍ୟ ହତ୍ୟା

କଳ୍ପନା ଓ ବବ୍‌ଲିଙ୍କ ହତ୍ୟା ରହସ୍ୟ ଖୋଲିଲେ ରାୟଗଡ଼ ଏସ୍‌ପି

୧୮ ଘଣ୍ଟାର କଠୋର ଜେରାରେ ସବୁ ମାନିଗଲେ
ଲୁହା ରଡ଼ରେ ପିଟି ମାରିବା ପରେ ଗାଡ଼ି ଚଢ଼ାଇଥିଲେ
ଡ୍ରାଇଭର ସାମିଲ, ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ସନ୍ଦେହ
ହୋଇପାରେ ନାର୍କୋ ଓ ଡିଏନ୍‌ଏ ‌ପରୀକ୍ଷା
ଜେଲ୍‌ ଗଲେ, ପରବର୍ତ୍ତୀ ଶୁଣାଣି ୨୮ରେ

(ରାୟଗଡ଼ରୁ ପ୍ରଶାନ୍ତ ମିଶ୍ର) : ପତ୍ନୀ ଥିଲେ ବି ଅନ୍ୟ ଜଣେ ମହିଳାଙ୍କ ସହ ଅବୈଧ ସଂପର୍କ ରଖିଥିଲେ। ନିଜର ଭୁବନେଶ୍ବର ସୁନ୍ଦରପଦା ଘରେ ପତ୍ନୀ ଭଳି ଏହି ମହିଳା ଓ ତାଙ୍କ ନାବାଳିକା ଝିଅଙ୍କ ସହ ବର୍ଷ ବର୍ଷ ଧରି ଲିଭ୍‌-ଇନ୍‌ରେ ରହୁଥିଲେ। ଆଉ ମହିଳା ଜଣକ ଯେତେବେଳେ ବିବାହ ପାଇଁ ବାରମ୍ବାର ଜିଦ୍‌ ଧରିବା ସହ ଏହି ତିନିମହଲା କୋଠାର ମାଲିକାନା ଦାବି କଲେ, ରାସ୍ତାରୁ ମା’ଝିଅ (କଳ୍ପନା ଦାସ ଓ ବବ୍‌ଲି)ଙ୍କୁ ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ହଟାଇଦେଲେ। ବିବାହ କରିବାର ପ୍ରତିଶ୍ରୁତି ଦେଇ ଛତିଶଗଡ଼ର ରାୟଗଡ଼କୁ ନେଇ ଯାଇ ସମ୍ବଲପୁରୀ ବଙ୍ଗୁରସିଆ ରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ଅତି ନୃଶଂସ ଭାବେ ଲୁହା ରଡ଼ରେ ପିଟି ପିଟି ହତ୍ୟା କରିଥିଲେ। ଏହାପରେ ଶବକୁ ଯେପରି ଚିହ୍ନି ନ ହେବ ସେଥିପାଇଁ ଡ୍ରାଇଭର ସହଯୋଗରେ ଉଭୟଙ୍କ ଉପରେ ବୋଲେରୋ ଗାଡ଼ି ମଡ଼ାଇ ଦେଇଥିଲେ। କୌଣସି ଥ୍ରିଲର୍‌ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବା ଏଭଳି ଏକ ଜଘନ୍ୟ ଅପରାଧ ଘଟାଇଛନ୍ତି ବ୍ରଜରାଜନଗରରୁ ତିନି ତିନି ଥର ବିଧାୟକ ହୋଇଥିବା ବରିଷ୍ଠ ରାଜନେତା ଅନୁପ ସାଏ(୫୯)। ଏହି ଡବଲ୍ ମର୍ଡରର ୩ ବର୍ଷ ୯ ମାସ ପରେ ଅନୁପଙ୍କର ପରକୀୟା ପାପକୁ ପଦାକୁ ଆଣିଛି ଛତିଶଗଡ଼ ପୁଲିସ। ପ୍ରଥମେ କଳ୍ପନା ଓ ବବ୍‌ଲି କିଏ ‌ଜାଣିନି ବୋଲି କହୁଥିଲେ ବି ଛତିଶଗଡ଼ ପୁଲିସର ୧୮ ଘଣ୍ଟାର କଠୋର ଜେରା ପରେ ପ୍ରଶ୍ନଜାଲରେ ଛନ୍ଦିହୋଇ ସବୁ କଥା ମାନିଯାଇଛନ୍ତି ଅନୁପ। ଗଳଗଳ ଗାଇଛନ୍ତି ନିଜ ପରକୀୟା ପ୍ରୀତି, ଲିଭ୍‌ ଇନ୍‌ ରିଲେସନ୍‌ ଓ ଡବଲ୍‌ ମର୍ଡର ଭଳି ଜଘନ୍ୟ ଅପରାଧର କଳା କାହାଣୀ। ଗତକାଲି ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦ ଓ ବିଜୁ ଜନତା ଦଳର ସଦସ୍ୟ ପଦରୁ ବ‌ହିଷ୍କୃତ ହୋଇଥିବା ଅନୁପଙ୍କୁ ଆଜି ଜେଲ ଯିବାକୁ ପଡ଼ିଛି। ରାୟଗଡ଼ ଜେଏମ୍‌ଏଫ୍‌ସି ଦିଗ୍‌ବିଜୟ ସିଂହଙ୍କ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ରାୟଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୨୮ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି। ତେବେ ଏହି ଘଟଣାରେ ସଂପୃକ୍ତ ଅନୁପଙ୍କ ଡ୍ରାଇଭର ଓ ଅନ୍ୟ କିଛି ଲୋକଙ୍କୁ ଗିରଫ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ଅନୁପଙ୍କ ନାର୍କୋଟେ‌ଷ୍ଟ ଓ ଡିଏନ୍‌ଏ ଟେଷ୍ଟ କରାଯିବ ବୋଲି ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ କହିଛନ୍ତି।

ଆଜି ଚକ୍ରଧରନଗର ଥାନାରେ ରାୟଗଡ଼ ଏସ୍‌ପି ଶ୍ରୀ ସିଂହ ଏହି ଡବଲ ମର୍ଡର ରହସ୍ୟ ଉପରୁ ପର୍ଦ୍ଦା ହଟାଇବା ସହ ସାମ୍ବାଦିକମାନଙ୍କୁ ଏ ବିଷୟରେ ବିସ୍ତୃତ ସୂଚନା ଦେଇ କହିଥିଲେ ଯେ ୨୦୦୪- ୦୫ ମସିହାରେ କଳ୍ପନା ଦାଶ(୩୨)ଙ୍କୁ ତାଙ୍କ ସ୍ବାମୀ ସୁନୀଲ ଶ୍ରୀବାସ୍ତବ ଛାଡ଼ପତ୍ର ଦେଇଥିଲେ। ସେତେବେଳେ କଳ୍ପନାଙ୍କ ବାପା ତାଙ୍କୁ ଓ ତାଙ୍କ ଝିଅ ବବ୍‌ଲିକୁ ଅନୁପଙ୍କ ପାଖକୁ ନେଇଥିଲେ। ସେହି ସମୟରୁ କଳ୍ପନା ଓ ତାଙ୍କ ମଧ୍ୟରେ ପରିଚୟ ହୋଇଥିଲା। ବାରମ୍ବାର ମୋବାଇଲ୍‌ରେ କଥାବାର୍ତ୍ତା ଓ ଦେଖା ସାକ୍ଷାତ ହେବା ପରେ ଉଭୟଙ୍କ ମଧ୍ୟରେ ଅବୈଧ ସଂପର୍କ ଗଢ଼ି ଉଠିଥିଲା। ୨୦୧୧ରେ ଭୁବନେଶ୍ବର ସୁନ୍ଦରପଦାରେ ଅନୁପ ତାଙ୍କ ପତ୍ନୀ ସୁଷମା ଦେବଙ୍କ ନାମରେ ଜମି କିଣି ଏକ ୩ ମହଲା ଘର ନିର୍ମାଣ କରିଥିଲେ। ଏହି ଘରର ଗୋଟିଏ ମହଲାରେ କଳ୍ପନା ଓ ତାଙ୍କ ଝିଅକୁ ରଖିବା ସହିତ ଦେଖାରଖା ପାଇଁ ତଳ ମହଲାକୁ ଅପର୍ତ୍ତି ସାହୁଙ୍କୁ ଦେଇଥିଲେ। ଏହି ଫ୍ଲାଟ୍‌ରେ ସେ କଳ୍ପନାଙ୍କୁ ତାଙ୍କ ପତ୍ନୀ ଓ ବବ୍‌ଲିକୁ ନିଜ ଝିଅ ବୋଲି ପରିଚୟ ଦେଇ ରଖିଥିଲେ। ଏପରିକି ସେଣ୍ଟ୍‌ ଜାଭିୟର୍ସ ସ୍କୁଲ୍‌ରେ ବବ୍‌ଲିର ନାଁ ମଧ୍ୟ ଲେଖାଇଥିଲେ। କଳ୍ପନା, ବବ୍‌ଲି ଓ ସେ ବିଭିନ୍ନ ସମୟରେ ଦିଲ୍ଲୀ, ବିଶାଖାପାଟଣା, ହାଇଦ୍ରାବାଦ ଓ ଗୋଆକୁ ବୁଲିବାକୁ ଯାଇଥିବା ଅନୁପ ପୁଲିସ ଆଗରେ ସ୍ବୀକାର କରିଛନ୍ତି। କଳ୍ପନା ଯାହା ଯାହା ଦାବି କରୁଥିଲେ ସେ ତାକୁ ପୂରଣ କରୁଥିଲେ। କିନ୍ତୁ କଳ୍ପନା ବାରମ୍ବାର ତାଙ୍କୁ ବିବାହ କରିବା, ସୁନ୍ଦରପଦା କୋଠାକୁ ତାଙ୍କ ନାଁରେ କରିବା ଏବଂ ଅଧିକ ଟଙ୍କା ଦେବାକୁ ଦାବି କରି ଅନୁପଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ। ପୂର୍ବରୁ ବିବାହିତ ଥିବା ଅନୁପ କଳ୍ପନାଙ୍କ ଏହି ଦାବିକୁ ନେଇ ଅତିଷ୍ଠ ହୋଇ ପଡ଼ିଥିଲେ। ଶେଷରେ କଳ୍ପନା ଓ ତାଙ୍କ ଝିଅକୁ ହତ୍ୟା କରିବାକୁ ଯୋଜନା କରିଥିଲେ। ୨୦୧୬ ମେ ମାସ ୫ ତାରିଖରେ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଅନୁପ ସୁନ୍ଦରପଦା ଘରୁ ମା’ ଝିଅଙ୍କୁ ଏକ ଓଲା କାର୍‌ରେ ବସ୍‌ଷ୍ଟାଣ୍ଡ ପଠାଇଥିଲେ। ସେଠାରୁ ଉଭୟ ବସ୍‌ରେ ଯାଇଥିବାବେଳେ ଅନୁପ ତାଙ୍କ ବୋଲେରୋରେ ପଛେ ପଛେ ଯାଇଥିଲେ। ଝାରସୁଗୁଡ଼ାରେ ପହଞ୍ଚିବା ପରେ ମେଘଦୂତ ହୋଟେଲ୍‌ରେ ଉଭୟଙ୍କୁ ରଖି ଘରକୁ ପଳାଇଥିଲେ। ରାତି ପ୍ରାୟ ୯ଟାରେ ଅନୁପଙ୍କ ଡ୍ରାଇଭର୍‌ ବର୍ମନ୍‌ ଟପ୍ପୋ ବୋଲେରୋ ଆଣିବା ପରେ ସମସ୍ତେ ମିଶି ସେଥିରେ ରାୟଗଡ଼ ଯାଇଥିଲେ। ଆଉ ରାୟଗଡ଼ରେ କୌଣସି ଏକ ମନ୍ଦିରରେ ବିବାହ କରିବେ କହି ହୋଟେଲ୍‌ ଖୋଜିଥିଲେ। ମାତ୍ର ହୋଟେଲ୍‌ ନ ମିଳିବା ବାହାନା କରି ଅନୁପ ଓ ବର୍ମନ ଉଭୟଙ୍କୁ ହମିରପୁର ଅଞ୍ଚଳରେ କୌଣସି ଏକ ଘରେ ରଖିବାକୁ କହିଥିଲେ। ପୂର୍ବ ଯୋଜନା ଅନୁଯାୟୀ ସେମାନେ କଳ୍ପନା ଓ ବବ୍‌ଲିଙ୍କୁ ହମିରପୁର ମାର୍ଗସ୍ଥିତ ମା’ ଶାକମ୍ବରୀ ପ୍ଲାଣ୍ଟ୍‌କୁ ଯାଇଥିବା ରାସ୍ତାର ଏକ ନିକାଞ୍ଚନ ସ୍ଥାନରେ ଓହ୍ଲାଇ ଦେ‌ଇଥିଲେ। ସେଠାରେ ସେମାନେ ଲୁହା ରଡ୍‌ରେ ମା’ ଓ ଝିଅଙ୍କୁ ପିଟି ପିଟି ନୃଶଂସ ଭାବେ ହତ୍ୟା କରିବା ପରେ ମୃତଦେହକୁ ରାସ୍ତା ଉପରେ ପକାଇ ଦେଇଥିଲେ। ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିବାକୁ ଯାଇ ଡ୍ରାଇଭର୍‌ ବର୍ମନ ଉଭୟଙ୍କ ଶବ ଉପରେ ବାରମ୍ବାର ବୋଲେରୋ ଚଢ଼ାଇଥିଲା। ମାତ୍ର ଏହି ସମୟରେ କିଛି ଗାଡ଼ି ସେହି ରାସ୍ତାରେ ଆସିବା ଦେଖି ବର୍ମନ ଓ ଅନୁପ ସେଠାରୁ ତରତରରେ ଓଡ଼ିଶା ପଳାଇ ଆସିଥିଲେ।

ଏସ୍‌ପି ଶ୍ରୀ ସିଂହ କହିଛନ୍ତି ଯେ, ଏହି ଡବଲ ମର୍ଡରର ରହସ୍ୟ ଉନ୍ମୋଚନ କରିବା ଛତିଶଗଡ଼ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ଏହି ଘଟଣାରେ ଓଡ଼ିଶାର ଜଣେ ପ୍ରତିଷ୍ଠିତ ରାଜନେତା( ୩ ଥର ବିଧାୟକ)ଙ୍କ ନାମ ସନ୍ଦେହ ଘେରକୁ ଆସିବା ପରେ ଅତି ସତର୍କତାର ସହିତ ତଦନ୍ତ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରୁ କୌଣସି ସୁରାକ୍‌ ନ ମିଳିବା ଓ ଶବ ଦୁଇଟି ଅପରିଚିତ ଥିବାରୁ ତଦନ୍ତରେ ବିଳମ୍ବ ହୋଇଥିଲା। ଏସ୍‌ପିଙ୍କ ସୂଚନା ଅନୁଯାୟୀ ୨୦୧୬ ମଇ ମାସ ୭ ତାରିଖରେ ଚକ୍ରଧରନଗର ଥାନା ସମ୍ବଲପୁରୀ ଗ୍ରାମର କମଲେଶ ଗୁପ୍ତା ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗରେ ଦର୍ଶାଯାଇଥିଲା ଯେ, ହମିରପୁର ମାର୍ଗ ମା ଶାକମ୍ବରୀ ପ୍ଲାଣ୍ଟ୍‌ ରାସ୍ତାରେ ଜଣେ ମହିଳା ଓ ନାବାଳିକାଙ୍କ ଶବ ପଡ଼ିଛି। ଉଭୟଙ୍କ ପରିଚୟ ଲୁଚାଇବାକୁ ଯାଇ ମୁହଁକୁ ବିକୃତ କରି ଦିଆଯାଇଛି। ଥାନା କେସ୍‌ ନମ୍ବର ୧୫୮/୧୬ ଏବଂ ଧାରା ୩୦୨, ୨୦୧ରେ ମାମଲା ରୁଜୁ କରି ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପାଇଁ ପ୍ରଥମ ଚ୍ୟାଲେଞ୍ଜ୍‌ ଥିଲା ଶବ ଦ୍ବୟର ପରିଚୟ ବାହାର କରିବା। ସେତେବେ‌ଳେ ଆଖପାଖ ଗାଁରେ ପଚରାଉଚରା, ସିସିଟିଭି ଫୁଟେଜ୍‌, ମୋବାଇଲ୍‌ ଟାୱାର ଡାଟା ଛାନ୍‌ଭିନ୍‌ କରାଯିବା ଏବଂ ପୂରା ଜିଲ୍ଲାରେ ନିଖୋଜ ଅଭିଯୋଗର ତନାଘନା କରିବା ପରେ ମଧ୍ୟ ଶବଦ୍ବୟର କୌଣସି ପରିଚୟ ମିଳି ନଥିଲା। ପରେ ଓଡ଼ିଶା, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗର ଏକାଧିକ ଜିଲ୍ଲାକୁ ପୁଲିସ ଟିମ୍‌ ଯାଇ ଖୋଳତାଡ଼ କରିଥିଲା। ଏପରିକି ପୁଲିସ ଦ୍ବାରା ଫଟୋ ଓ ପୋଷ୍ଟର ଜାରି କରାଯାଇଥିଲା।

ପ୍ରା‌ୟ ବର୍ଷକ ପରେ ଏହି ଫଟୋକୁ ବ୍ରଜରାଜନଗର ଥାନାର ଜଣେ କନେଷ୍ଟବଳ ଚିହ୍ନଟ କରିଥିଲେ। ମହିଳାଙ୍କ ପୂର୍ବ ସ୍ବାମୀ ସୁନୀଲ ଶ୍ରୀବାସ୍ତବ ବି ମୃତ ମହିଳା ଜଣଙ୍କ ତାଙ୍କ ପୂର୍ବତନ ପତ୍ନୀ କଳ୍ପନା ଦାସ(୩୨) ଓ ଦ୍ବିତୀୟ ଶବ ତାଙ୍କ ଝିଅ ବବ୍‌ଲି(୧୪)ର ବୋଲି ଚିହ୍ନଟ କରିଥିଲେ। ଶବ ଚିହ୍ନଟ ପରେ ଚକ୍ରଧରନଗର ପୁଲିସର ତଦନ୍ତ ଜୋରଦାର ହୋଇଥିଲା। କଳ୍ପନାଙ୍କ ମୋବାଇଲ୍‌ ଫୋନ୍‌ ନମ୍ବର ସଂଗ୍ରହ କରିବା ପରେ କଲ୍‌ ଡିଟେଲ୍‌ସ ଯାଞ୍ଚ କରାଯାଇଥିଲା। କଲ୍‌ ଡିଟେଲ୍‌ସ ବି‌ଶ୍ଳେଷଣ କରିବା ପରେ ଅନୁପ ସାଏ ସନ୍ଦେହ ଘେରକୁ ଆସିଥିଲେ। ତେବେ ତାଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ଯୋଗାଡ଼ କରିବାକୁ ପୁଲିସ ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ଏପରିକି ପୁଲିସର ଏକ ଟିମ୍‌ ଓଡ଼ିଶା ଯାଇ ପ୍ରାୟ ୬ ମାସ ଧରି ଅନୁପଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ସବୁ ପ୍ରମାଣ ଯୋଗାଡ଼ କରିବା ପରେ ତାଙ୍କୁ ଚକ୍ରଧରନଗର ଥାନା ପକ୍ଷରୁ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଥିଲା। ପ୍ରଥମେ ପ୍ରଥମେ ସେ ପୁଲିସ ନୋଟିସ୍‌କୁ ଅଣଦେଖା କରୁଥିଲେ। ତାଙ୍କ ବିରୋଧରେ ପ୍ରମାଣ କଣ ବୋଲି ପ୍ରଶ୍ନ କରୁଥିଲେ। ଶେଷରେ ପୁଲିସ ବୁଧବାର ରାତି ପ୍ରାୟ ସାଢ଼େ ୯ ଟାରେ ଅନୁପଙ୍କୁ ତାଙ୍କ ଘର ନିକଟ ଏକ ମନ୍ଦିରରୁ ଉଠାଇ ନେଇଥିଲା। ତାଙ୍କୁ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନାରେ ମାରାଥନ୍‌ ଜେରା କରାଯାଇଥିଲା। ପଚରାଉଚରା ସମୟରେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନେ ବି ଉପସ୍ଥିତ ଥିଲେ। ଘଟଣା ସଂପର୍କରେ ପୁଲିସର ପ୍ରଶ୍ନବାଣ ଓ ଅକାଟ୍ୟ ପ୍ରମାଣ ଉପସ୍ଥାପନ କରାଯିବା ପରେ ଅନୁପ ଶେଷରେ ସମସ୍ତ ଅପରାଧ ସ୍ବୀକାର କରିଥିଲେ। ଆଉ ଦୀର୍ଘ ୩ ବର୍ଷ ୯ ମାସ ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଥିଲା।

ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏବଂ ରାୟଗଡ଼ କାର୍ଯ୍ୟନିର୍ବାହୀ ଏଏସ୍‌ ପି ଅଭିଷେକ ବର୍ମା, ସିଏସ୍‌ପି ଅବିନାଶ ସିଂହ ଠାକୁରଙ୍କ ଦିଗଦର୍ଶନରେ ଇନ୍‌ସପେକ୍ଟର ବିବେକ ପଟେଲ, ଏସ୍‌ଏସି ରୂପକ ଶର୍ମା, ଗୌରୀଶଙ୍କର ଦୁବେ, ସଉଣୀ ଶଶିଦେବ ଭୋଇ, ଡି ପି ଭରଦ୍ୱାଜ, ସାଇବର ସେଲ ମୁଖ୍ୟ ରାଜେଶ ପଟେଲ, ଆର ଶ୍ୟାମଲାଲ, ଚକ୍ରଧରନଗର ଥାନା ଅଧିକାରୀ ଜଗମୋହନ ଓଗରେ, ରିତେଶ ଦିୱାନ, ଦୀନେଶ ଗୌଣ୍ଡ, ଅଖିଲେଶ କୁସବାହ, ଭବାନୀ ଢଂଗର, ମହେଶ ପଣ୍ଡା, ସୁରେନ୍ଦ୍ର ପୋର୍ତି, ବ୍ରିଜଲାଲ ଗୁଜର, ମହିଳା ଇନ୍‌ପେକ୍ଟର ରୀନା ବୁଲବୁଲ ଏହି ତଦନ୍ତ ପରିଚାଳନା କରୁଥିଲେ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ମାମଲାର ପର୍ଦ୍ଦା ଉନ୍ମୋଚନ କରିଥିବାରୁ ରାୟଗଡ଼ ଆଇଜି ତଦନ୍ତ ପ୍ରକ୍ରିୟାରେ ସାମିଲ ସମସ୍ତ ପୁଲିସ ଅଧିକାରୀଙ୍କ ପାଇଁ ୨୦ ହଜାର ଟଙ୍କା ଲେଖାଏଁର ପୁରସ୍କାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର