କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ଅନ୍ତରୀଣ ଜାମିନ, ବିଳାସପୁରରେ ଚିକିତ୍ସିତ ହେଉଥିବାର ସୂଚନା

ଝାରସୁଗୁଡ଼ା: କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ଦେବା ପରେ ଏବେ ସେ ବିଳାସପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି। ଗତ ସେପ୍ଟେମ୍ବର ୨୫ ତାରିଖରେ ଅନୁପ ସାଏଙ୍କୁ ଜାମିନ ମିଳିଥିବା ଜଣାଯାଇଛି। ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ ମିଳିଥିବା କୁହାଯାଉଛି। ଅନୁପ ସାଏଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବା ହେତୁ ତାଙ୍କୁ ବିଳାସପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଛତିଶଗଡ଼ ରାଜ୍ୟର ରାୟଗଡ଼ସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ପୂର୍ବତନ ବିଧାୟକ ଅନୁପ ସାଏ ଜେଲ ଯାଇଥିଲେ। ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ବଙ୍ଗୁରସିଆ ଠାରେ ଘଟିଥିବା ଡବଲ ମର୍ଡର ଘଟଣାରେ ପୁଲିସ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ରାୟଗଡ଼ ଜେଏମଏଫସି ଦିଗବିଜୟ ସିଂହଙ୍କ କୋର୍ଟରେ ହାଜର କରିଥିଲା। ଅଭିଯୁକ୍ତଙ୍କ ପକ୍ଷରୁ ଜାମିନ ଆବେଦନକୁ କୋର୍ଟ ନାକଚ କରିଥିଲେ। ଅଭିଯୁକ୍ତ ଅନୁପ ସାଏଙ୍କୁ ରାୟଗଡ଼ ଜେଲକୁ ପଠାଇ ଦେଇଥିଲେ।

ରାୟଗଡ଼ ଏସପି ସନ୍ତୋଷ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ଼ କାର୍ଯ୍ୟନିର୍ବାହୀ ଏଏସପି ଅଭିଷେକ ବର୍ମା, ସିଏସପି ଅବିନାଶ ସିଂ ଠାକୁରଙ୍କ ଦିଗଦର୍ଶନରେ ଇନ୍‌ସପେକ୍ଟର ବିବେକ ପଟେଲ, ଏସ ସିଂ, ରୂପକ ଶର୍ମା, ଗୌରୀଶଙ୍କର ଦୁବେ, ସଉଣୀ ଶସିଦେ ଭୋଇ, ଡିପି ଭରଦ୍ୱାଜ, ସାଇବର ସେଲ ମୁଖ୍ୟ ରାଜେଶ ପଟେଲ, ଆର ଶ୍ୟାମଲାଲ, ଚକ୍ରଧରନଗର ଥାନା ଅଧିକାରୀ ଜଗମୋହନ ଓଗରେ, ରିତେଶ ଦିୱାନ, ଦିନେଶ ଗୌଣ୍ଡ, ଆଖିଲେଶ କୁଶବାହ, ଭବାନୀ ଶଙ୍କର, ମହେଶ ପଣ୍ଡା, ସୁରେନ୍ଦ୍ର ପୋର୍ତି, ବୃଜଲାଲ ଗୁଜର, ମହିଳା ଇନ୍‌ସପେକ୍ଟର ରୀନା ବୁଲବୁଲ ତଦନ୍ତ ପରିଚାଳନା କରୁଥିଲେ।

ଦୁଇ ରାତି ଓ ଗୋଟିଏ ଦିନ ଅନୁପଙ୍କୁ ମାରାଥନ ଜେରା କରିବା ପରେ ଚକ୍ରଧରନଗର ଥାନାରେ ଆଣି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଉପସ୍ଥାପନ କରିଥିଲେ ଓ ଏସପି ଏହି ମାମଲାର ବିବରଣୀ ପ୍ରଦାନ କରିଥିଲେ। ପ୍ରେମ ସମ୍ପର୍କ, ସମ୍ପତ୍ତି ଓ ବିବାହ ପାଇଁ ଜିଦ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଥିବା ଏସପି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର