ଝାରସୁଗୁଡା : କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲି ହତ୍ୟାକାଣ୍ଡରେ ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର ଆଜି ଛତିଶଗଡ଼ ପୁଲିସର ଅତ୍ୟାଚାର ଓ ତାଙ୍କ ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ଅନୁପଙ୍କୁ ବାରମ୍ବାର ପୁଲିସ ଧମକ୍‌ ଚମକ୍‌ ଦେଇ ପରିବାର ସଦସ୍ୟଙ୍କୁ ଉଠାଇ ନେବାକୁ କହି ଭୟଭୀତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଆଜି ଏହି ହତ୍ୟାଘଟଣାରେ ଛତିଶଗଡ଼ ପୁଲିସ ଅନୁପଙ୍କ ପୁଅ ଶୁଭମ୍‌କୁ ଟାର୍ଗେଟ କରୁଥିବା ନେଇ ପରିବାର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ଘଟଣା ସଂପର୍କରେ କିଛି ଜାଣି ନଥିବା ବେଳେ ତାଙ୍କ ଅଳ୍ପ ବୟସ୍କ ପୁତ୍ରକୁ ପୁଲିସ ସେଠାରେ ଶାରୀରିକ ନିର୍ଯାତନା ଦେବାକୁ ଉଦ୍ୟମ କରୁଛି ବୋଲି ଅନୁପଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ଅନୁପଙ୍କ ପରିବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ସନ୍ଧ୍ୟାରୁ ଧାରଣା ଦେଇଛନ୍ତି। ଏଥିରେ ଅନୁପଙ୍କ ବୃଦ୍ଧା ମା, ତାଙ୍କ ସ୍ତ୍ରୀ, ପୁଅ, ଝିଅ, ଭାଇ ଓ ଭାଉଜ ସାମିଲ ଅଛନ୍ତି। ଧାରଣା ଦେଇଥିବା ପରିବାର ଲୋକେ କହିଛନ୍ତି, ରାୟଗଡ଼ ପୁଲିସ ସେମାନଙ୍କୁ ଧମକ ଦେଉଛି। ରାତି ଅଧରେ ଉଠାଇ ନେବାକୁ କହୁଛି।

Advertisment

ସୂଚନା ଅନୁଯାୟୀ ଅନୁପଙ୍କ ପରିବାର ଲୋକେ ଶନିବାର ସନ୍ଧ୍ୟା ୭ଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ଆରମ୍ଭ କରିଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଅନୁପଙ୍କ ବଡ଼ ଭାଇ ପ୍ରମୋଦ ସାଏ କହିଛନ୍ତି, ଯଦି ସୁରକ୍ଷା ନମିଳେ, ଆମେ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିବୁ। ରାୟଗଡ଼ ପୁଲିସ ଯୋଗୁଁ ମାନ ସମ୍ମାନ ଯାଇଛି। ପୁଲିସ ଆମ ଉପରେ ଜୁଲୁମ୍‌ କରିବା ସହ ମାନସିକ ନିର୍ଯାତନା ଦେଉଛି। ପୁଲିସ ଘଟଣାର ତଦନ୍ତ କରୁ, ସେଥିରେ ଆମ କହିବାର କିଛି ନାହିଁ। ଆମେ ପୁଲିସର ତଦନ୍ତରେ ହସ୍ତକ୍ଷେପ କରିବୁ ନାହିଁ। ପୁଲିସ ଆମ ପରିବାରକୁ ବାରମ୍ବାର ନୋଟିସ୍‌ ପଠାଇ ହଇରାଣ କରୁଛି। ଏଥିପାଇଁ ଷଡ଼ଯନ୍ତ୍ର ଚାଲିଥିବା ସେ କହିଛନ୍ତି। ଶ୍ରୀ ସାଏ କହିଛନ୍ତି ଯେ ୨୦୧୬ର ମାମଲା ଏଯାଏଁ କେଉଁଠି ଥିଲା। ଆମକୁ ନ୍ୟାୟ ନମିଳିବା ଯାଏଁ ଆମେ ଏଠାରେ ବସି ରହିବୁ। ଏଠାରୁ ଗଲେ ଆମକୁ ମାରିଦେବେ। ଅନୁପଙ୍କ ସ୍ତ୍ରୀ ସୁଷମା କହିଛନ୍ତି, ଘଟଣାରେ ଆମକୁ ଫସାଇ ଦିଆଯାଇଛି। ମୋ ପୁଅକୁ ପୁଲିସ ଉଠାଇ ନେବାକୁ ଧମକ ଦେଉଛି। ସୁରକ୍ଷା ଯୋଗାଇ ଦେବାକୁ ଆମେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଛୁ ବୋଲି ସେ କହିଛନ୍ତି।