ନିଜକୁ ବିଜ୍ଞାପିତ କରିବାର ମସୁଧା ଯାହାର ଟିକେ ବି ନଥିଲା; ପୁରସ୍କାର, ସମ୍ବର୍ଦ୍ଧନା ପାଇଁ ଯେ କେବେ ବି ଭାବୁ ନଥିଲେ, ସରଳତା ଯା’ର ଆଭୂଷଣ ଥିଲା, ଶିକ୍ଷା, ସଂସ୍କୃତି ଓ ଗବେଷଣା କ୍ଷେତ୍ରରେ ନିରନ୍ତର ମଗ୍ନ ରହି ଯେ ମାଟିର ବିଭବକୁ ଲୋକଲୋଚନକୁ ଆଣି ବିରଜାକ୍ଷେତ୍ର ଯାଜପୁରର ଐତିହ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି, ଧର୍ମର ତାତ୍ତ୍ବିକ, ବୌଦ୍ଧିକ ତଥା ଐତିହାସିକ ମହତ୍ତ୍ବ ପ୍ରତିପାଦନରେ ସର୍ବଦା ଯେ ମଗ୍ନ ଥିଲେ, ସେ ହେଉଛନ୍ତି ଯାଜପୁର ମାଟିର ଅନନ୍ୟ ଗବେଷକ, ପୂଜ୍ୟ ଶିକ୍ଷକ, ପ୍ରଣମ୍ୟ ସାହିତ୍ୟିକ, ସଫଳ ଅନୁବାଦକ ତଥା ସର୍ବଜନାଦୃତ ଅନୁପମ ବ୍ୟକ୍ତିତ୍ବ ଡକ୍ଟର ଏକାଦଶୀ ପାଢ଼ୀ। ଇତିହାସର ବହୁ ଅନାଲୋଚିତ ଦିଗପ୍ରତି ଧ୍ୟାନ ଦେଇ, ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ନିଜସ୍ବ ଉଦ୍ୟମରେ ଜାରି ରଖି ଶେଷ ଜୀବନ ପର୍ଯ୍ୟନ୍ତ ସେ ଲେଖି ଚାଲିଥିଲେ କେବଳ।

Advertisment

୧୯୪୩ ମସିହା ମାର୍ଚ୍ଚ ୩ ତାରିଖରେ ଯାଜପୁର ଜିଲ୍ଲାର ତରାଙ୍ଗସାଗରପୁରଠାରେ ଜନ୍ମ ନେଇଥିଲେ ଏକାଦଶୀ ବାବୁ। ସଫଳତା ସହ ବୃତ୍ତିଗତ ଜୀବନ ଆରମ୍ଭ କରି ମଧୁବନ ହାଇସ୍କୁଲ, ସଚିବ ବିଦ୍ୟାପୀଠ, ମୁକୁନ୍ଦପୁର ଓ ଜି.ସି. ହାଇସ୍କୁଲ ଆଉଁରୀରେ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ବ ତୁଲାଇ ଜିଲ୍ଲାର ଜଣେ ସୁନାମଧନ୍ୟ ଶିକ୍ଷକ ତଥା ଦକ୍ଷ ପ୍ରଧାନଶିକ୍ଷକର ମର୍ଯ୍ୟାଦାପ୍ରାପ୍ତ ହୋଇଥିଲେ। ବ୍ୟସ୍ତବହୁଳ ଜୀବନରେ ଥାଇ ମଧ୍ୟ ସାହିତ୍ୟ, ଇଂରାଜୀ, ବଙ୍ଗଳା ତଥା ଇତିହାସ ପ୍ରତି ତାଙ୍କର ରୁଚି ଥିଲା। ଚାକିରି ସମୟରେ ଘରୋଇ ଭାବେ ସ୍ନାତକୋତ୍ତର ଡିଗ୍ରୀ ସେ ଲାଭ କଲାପରେ ୧୯୮୫ ବେଳକୁ ଭୁବନେଶ୍ବରସ୍ଥ ଆଞ୍ଚଳିକ ଭାଷାକେନ୍ଦ୍ରରେ ବଙ୍ଗଳା ଭାଷା ତାଲିମ ନେବା ସମୟରେ ଆମେ ଦୁହେଁ ପିଏଚ.ଡି ପାଇଁ ରେଜିଷ୍ଟ୍ରେସନ କରିଥିଲୁ ଓ ଯାଜପୁର ଶିକ୍ଷା ଜିଲ୍ଲାରେ ମଧ୍ୟ ପ୍ରଥମ ଶିକ୍ଷକ ଭାବେ ସେ ଡକ୍ଟରେଟ ପାଇବାର ଗୌରବ ଅର୍ଜନ କରିଥିଲେ। ଇତିହାସରେ ଯାଜପୁର ଜିଲ୍ଲାର ବୌଦ୍ଧ ସଂସ୍କୃତି, ଅନାବିଷ୍କୃତ ବହୁ ପ୍ରତ୍ନତାତ୍ତ୍ବିକ ବିଭବ ମଣ୍ଡିତ ସ୍ଥାନର ଚିହ୍ନଟ ଓ ଖନନ ସହ ନିଜସ୍ବ ଚେଷ୍ଟାରେ ଏହାର ଐତିହାସିକ ଗୁରୁତ୍ବ ପ୍ରତି ସେ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସାହିତ୍ୟ ପ୍ରତି ତାଙ୍କର ଅନୁରାଗ, ଯାଜପୁରର ଧାର୍ମିକ ଗୁରୁତ୍ବ ପ୍ରତି ଦୁର୍ବଳତା ଓ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ରୁଚି ରଖି ସେ ପ୍ରାୟ ୧୪ ଖଣ୍ଡ ପୁସ୍ତକ ପ୍ରକାଶ କରିଛନ୍ତି। ଏଗୁଡ଼ିକ ମଧ୍ୟରୁ ‘ପଳାତକର ସନେଟ୍‌’, ‘ମାଳଞ୍ଚ’, ‘ବନଲତା ଦାସ ଓ ସ୍ମୃତି ସନେଟ’ (ଅନୁଦିତ), ‘ଶକ୍ତିପୀଠ ଯାଜପୁର’, ‘ଯାଜପୁରର ସାହିତ୍ୟ ଓ ସାହିତ୍ୟିକ’, ‘ଶ୍ରୀବରାହ ସଂସ୍କୃତି ଓ ଯାଜପୁର’, ‘ଯୁଗେ ଯୁଗେ ଯାଜପୁର’, ‘କଲଚରାଲ ହେରିଟେଜ ଅଫ୍‌ ଯାଜପୁର (ଇଂରାଜୀ), ‘ଯାଜପୁର-ଯାଜପୁର’ ଇତ୍ୟାଦି ପ୍ରଣିଧାନଯୋଗ୍ୟ। ବନ୍ଧୁ ମାହାନ୍ତି ଉପରେ ସେ ଗବେଷଣାରତ ଥିଲେ। ବଙ୍ଗଳା ଭାଷା ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ଥିଲା। ଜିଲ୍ଲା ସଂସ୍କୃତି ପରିଷଦର ସେ ସଭ୍ୟ ଓ ଉପଦେଷ୍ଟା ଥିଲେ। ସର୍ବୋପରି ସେ ଜଣେ ଐତିହାସିକ, ଗବେଷକ, ସାହିତ୍ୟିକ, ସୁବକ୍ତା, ବିଶିଷ୍ଟ ଶିକ୍ଷାବିତ୍‌ ଭାବେ ଜନମାନସରେ ସୁପରିଚିତ ଥିଲେ। ସେ ଥିଲେ ମୋର ପରମପ୍ରିୟ, ଦିଗ୍‌ଦର୍ଶକ, ବନ୍ଧୁ, ଗୁରୁଜନ ସବୁକିଛି। ଗତ ୨୬ ନଭେମ୍ବରରେ ତାଙ୍କର ଦେହାନ୍ତ ‌ ସାହିତ୍ୟ ସଂସ୍କୃତିପ୍ରେମୀ ମଣିଷମାନଙ୍କୁ ବ୍ୟଥିତ କରିଛି। ସେଇ ଯଶସ୍ବୀ ପୁରୁଷଙ୍କୁ ମଥାନତ ପ୍ରଣାମ ଜଣାଉଛି।
ବାଲିକୁଦା
ମୋ: ୯୭୭୭୨୨୮୮୪୮