ବରଗଡ଼: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଛାୟା ତଳୁ ବରଗଡ଼ର ଛାତ୍ର ଅନୁପମ କର(୨୦) ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। ପୁଅକୁ  ପାଇ ପିତା  ଜୟପ୍ରକାଶ କର, ମା’ ଦୀପ୍ତି କର ଏବଂ ପରିବାରଲୋକେ ଖୁସିରେ ବିଭୋର ହୋଇଯାଇଛନ୍ତି। ଅନୁପମ ୟୁକ୍ରେନ୍‌ର ଭିନିତ୍‌ସିଆ ସହରରେ ଥିବା ଭିଏନ୍‌ଏନ୍‌ୟୁ ଶିକ୍ଷାନୁଷ୍ଠାନରେ ଡାକ୍ତରୀ ପାଠ ପଢ଼ୁଥିଲେ। ସେ ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ର ଅଟନ୍ତି। ଶେଷଥର ପାଇଁ ଆଠ ମାସ ତଳେ ସେ ବରଗଡ଼ ଆସିଥିଲେ। ୟୁକ୍ରେନ୍‌କୁ ଫେରିବା ପରେ ସବୁ ସ୍ବାଭାବିକ ଚାଲିଥିଲା। କିନ୍ତୁ ଯୁଦ୍ଧ ଘୋଷଣା ପରେ ଆତଙ୍କ ଖେଳି ଯାଇଥିଲା।

Advertisment

କିବ୍‌ ସହରରେ ଯୁଦ୍ଧ ଆରମ୍ଭ ହେଲା ବୋଲି ଅନୁପମ ଏବଂ ତାଙ୍କ ସହପାଠୀ ମାନେ ଜାଣିଥିଲେ। ସେମାନଙ୍କୁ ଶିକ୍ଷାନୁଷ୍ଠାନର ବଙ୍କର୍‌ରେ ୩ଦିନ ସୁରକ୍ଷିତ ଭାବେ ରଖାଯାଇଥିଲା। ପରେ ଯୁଦ୍ଧ ବଢ଼ି ଯାଇଥିଲା। ଛାତ୍ରଛାତ୍ରୀଙ୍କୁ ରୋମେନିଆ-ୟୁକ୍ରେନ୍‌ ସୀମାନ୍ତ (ସେରେଡ୍‌ ବର୍ଡର)କୁ ନିଆଯାଇଥିଲା। ରୋମାନିଆ ଯିବାକୁ କିଛି ସମୟ ଲାଗିବ ବୋଲି ସମସ୍ତେ ଭାବୁଥିଲେ। କିନ୍ତୁ ଏହି ଇଲାକା ଗୋଟିଏ ମରୁଭୂମି ଥିଲା। ସେଠାରେ ଖାଦ୍ୟ କି ପାଣିର କିଛି ବ୍ୟବସ୍ଥା ନଥିଲା। ୟୁକ୍ରେନ୍‌ର ସୈନିକମାନେ ଅତି ଖରାପ୍‌ ବ୍ୟବହାର୍ କରୁଥିଲେ। ମାଡ୍‌ପିଟ୍‌ କରୁଥିଲେ।

ଏଣେ ତାପମାତ୍ରା ବିଯୁକ୍ତ ୩/୪ ଡିଗ୍ରି ରହୁଥିଲା। ଯେତେବେଳେ ତାପମାତ୍ରା ବିଯୁକ୍ତ ୧୦ ଡିଗ୍ରି ରହିଲା, ଅନୁପମ ଏବଂ କିଛି ସାଂଗମାନେ ସୀମା ଅତିକ୍ରମ କରିବାକୁ ସ୍ଥିର କଲେ। ସମ୍ମୁଖରୁ ନଯାଇ ପାର୍ଶ୍ବରୁ ସୀମା ଲଂଘିବାକୁ ଚେଷ୍ଟା କଲେ। କିନ୍ତୁ ସେଠାରେ କମାଣ୍ଡୋମାନେ ସେମାନଙ୍କୁ ଅଟକାଇ ଦେଇଥିଲେ। ଅନୁପମଙ୍କ ଉଚ୍ଚତା କମ୍‌ ଥିବାରୁ ସେ କମାଣ୍ଡୋମାନଙ୍କ ନଜରରୁ ବଂଚି ସୀମା ଅତିକ୍ରମ କରି ରୋମାନିଆ ସୀମାରେ ଦାଖଲ ହୋଇଥିଲେ। ସେଠାରେ ତାଙ୍କୁ ଭଲ ଖାଇବା ଦିଆଗଲା। ରହିବାକୁ ବ୍ୟବସ୍ଥା କରାଗଲା। ଉଭୟ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ସେ ରୋମାନିଆରୁ ମୁମ୍ବାଇ ଆସୁଥିବା ବିମାନ ଧରିଥିଲେ। ଏଥିରେ ମାତ୍ର ଗୋଟିଏ ସିଟ୍‌ ଉପଲବ୍ଧ ଥିଲା। ସୌଭାଗ୍ୟକ୍ରମେ ସେ ମୁମ୍ବାଇ ଏବଂ ସେଠାରୁ ବିମାନରେ ରାୟପୁର ଦେଇ ବରଗଡ଼ ଆସିଥିଲେ। ତାଙ୍କୁ ହାତରୁ ଟଙ୍କାଟି ଖର୍ଚ୍ଚ କରିବାକୁ ପଡ଼ିନଥିଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।