ସହଜ ନଥିଲା ଅନୁପ୍ରିୟାଙ୍କ ଆକାଶରେ ଉଡ଼ିବା ସ୍ୱପ୍ନ : ସଂକଳ୍ପ ନେଲେ, ସାକାର କଲେ

ମାଲକାନଗିରି : ଆକାଶରେ ଉଡ଼ିବାର ସ୍ବପ୍ନ ସମସ୍ତେ ଦେଖନ୍ତି। କିନ୍ତୁ ଖୁବ୍ କ୍ବଚିତ୍‌ଙ୍କର ସ୍ବପ୍ନ ହିଁ ସତ୍ୟରେ ପରିଣତ ହୋଇଥାଏ। ପିଲାଟି ଦିନରୁ ଏହିଭଳି ଏକ ସ୍ବପ୍ନରେ ବିଭୋର କୁନି ଝିଅଟିଏ ଶେଷରେ ବୟସ ବଢିବା ସାଂଗେସାଂଗେ ନିଜ ସ୍ବପ୍ନକୁ ସାକାର କରିବାରେ ସମର୍ଥ ହୋଇପାରିଛି। ସମସ୍ତ ବାଧାବିଘ୍ନକୁ ଏଡ଼ାଇ ସଂଘର୍ଷ ଜାରି ରଖି ସଫଳ ହେବାର ଗୌରବ ହାସଲ କରିପାରିଛି। ସେଇ ଝିଅଟି ହେଉଛନ୍ତି ଓଡିଶାର ପଛୁଆ ଜିଲ୍ଲା ରୂପେ ପରିଚିତ ମାଲକାନଗିରିର ଅନୁପ୍ରିୟା ଲାକ୍ରା।

ବଣପାହାଡ଼ ଘେରା ମାଓ ଅଧ୍ୟୁଷିତ ମାଲାକନାଗିରିର ଆଦିବାସୀ ଝିଅ ଅନୁପ୍ରିୟା। ବାପା ମାରିନିୟସ ଲାକ୍ରା ପୁଲିସ୍‌ ବିଭାଗରେ ହାବିଲ୍‌ଦାର ଥିବାବେଳେ ମାଆ ୟସମିନ ଲାକ୍ରା ଗୃହିଣୀ। ଅନୁପ୍ରିୟା ନିଜ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ ସ୍ଥାନୀୟ ଦିପ୍ତୀ କନ୍‌ଭେଣ୍ଟ ସ୍କୁଲରେ। ପ୍ରାଥମିକ ଶିକ୍ଷା କାଳରେ ହିଁ ସେ ସ୍ବପ୍ନ ଦେଖିବା ଆରମ୍ଭ କରିଦେଇଥିଲେ ଏବଂ ତାହା ଥିଲା କିଛି ଗୋଟେ ଅଲଗା କରି ଦେଖାଇବାର ସ୍ବପ୍ନ। ଶେଷରେ ପାଇଲଟ ହୋଇ ଆକାଶରେ ଉଡ଼ିବାର ସିଦ୍ଧାନ୍ତ ନେଲେ। ଏହି ସିଦ୍ଧାନ୍ତକୁ ରୂପ ଦେବା ପାଇଁ ପ୍ରାଥମିକ ସ୍ତରରୁ ନିଜକୁ ମାନସିକସ୍ତରରେ ପ୍ରସ୍ତୁତ କରିନେଲେ ଅନୁପ୍ରିୟା।

ଦିପ୍ତୀ କନଭେଣ୍ଟ ସ୍କୁଲ୍‌ରୁ ସପ୍ତମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାପରେ ସେମିଳିଗୁସ୍ଥିତ ଜୀବନ ଜ୍ୟୋତି ଶିକ୍ଷାନୁଷ୍ଠାନରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ ଅନୁପ୍ରିୟା । ସେଠାରେ ଶିକ୍ଷା ସମାପ୍ତ କରିବା ପରେ ରାଜଧାନୀ ଭୁବନେଶ୍ବରକୁ ଆସି ସେଠାରେ ଇଂଜିନିୟରିଂ ପଢିବା ପାଇଁ ନାମ ଲେଖାଇଲେ। ତେବେ, ଅନୁପ୍ରିୟାଙ୍କର ସ୍ବପ୍ନ ତ ଥିଲା ପାଇଲଟ ହେବେ ଏବଂ ନୀଳ ଆକାଶ ତଳେ ପକ୍ଷୀଟିଏ ପରି ସେ ଉଡ଼ିବୁଲିବେ। ତେଣୁ, ଭୁବନେଶ୍ବରରେ ଥାଇ ଇଂଜିନିୟରିଂ ପଢୁଥିଲେ ବି ସେହି ସୁଯୋଗର ଅପେକ୍ଷାରେ ହିଁ ଥିଲେ। ଅନ୍ୟଦିଗରେ ଅର୍ଥାଭାବ ତାଙ୍କ ସାମ୍ନାରେ ପାଚେରିଟିଏ ହୋଇ ଠିଆ ହୋଇଥିଲା। ବାପାଙ୍କର ସୀମିତ ଆୟ ଭିତରେ ନିଜକୁ ଗଢିବାକୁ ପଡୁଥିଲା। ତାଙ୍କର ଦୁଇ ଭାଇ ମଧ୍ୟ ସ୍କୁଲ ଏବଂ କଲେଜରେ ପଢୁଥିଲେ। ଅସ୍ବଚ୍ଛଳ ପରିସ୍ଥିତି ସତ୍ତ୍ବେ ମାଆ ୟାସମିନ ତାଙ୍କୁ ନିରନ୍ତର ଉତ୍ସାହିତ କରୁଥିଲେ। ମାଆଙ୍କ ସହଯୋଗ ସହିତ ଜମା ପଛକୁ ହଟିବେ ନାହିଁ ନିଜ ଭିତରେ ପଣ ବି ଥିଲା। ଫଳସ୍ବରୂପ ଇଂଜିନିୟରିଂ ପଢା ଛାଡି ଭୁବନେଶ୍ବର ଠାରେ ପାଇଲଟ ହେବା ନିମନ୍ତେ ତାଲିମ ତଥା ଶିକ୍ଷା ଆରମ୍ଭ କଲେ। ପରେ ପରେ ସେ ବେଙ୍ଗାଲୁରୁ, ମୁମ୍ବାଇ ଯାଇ ସେଠାରେ ପାଇଲଟ ସଂପର୍କୀୟ ଶିକ୍ଷା ଗ୍ରହଣ କରିବା ସହ ତତ୍ ସଂପର୍କୀୟ ପ୍ରବେଶିକା ପରୀକ୍ଷା ମଧ୍ୟ ଦେଲେ। ପ୍ରବେଶିକା ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ବେଙ୍ଗୁଲୁରୁଠାରେ ୨୦୧୨ ମସିହାରେ ପାଇଲଟ ତାଲିମ ଗ୍ରହଣ ପାଇଁ ଶିକ୍ଷାନବିଶ ରୂପେ ଯୋଗ ଦେଲେ।

ଆଜି ଅନୁପ୍ରିୟା ଜଣେ ସ୍ବୀକୃତିପ୍ରାପ୍ତ ପାଇଲଟ। ପିଲାଦିନେ ଆଲଗା କିଛି ଗୋଟେ କରି ଦେଖାଇବାର ସ୍ବପ୍ନକୁ ରୂପ ଦେଇ ଜିଲ୍ଲାର ଗୌରବ ଆଣିବା ସହ ରାଜ୍ୟର ଏକ ଚର୍ଚିତ ଚେହେରା ରୂପେ ଉଭା ହୋଇପାରିଛନ୍ତି। ଦୃଢ ଇଚ୍ଛ‌ାଶକ୍ତି ବଳରେ ଅସାଧ୍ୟକୁ ବି ସାଧିତ କରାଯାଇପାରେ ଏହା ସେ ପ୍ରମାଣିତ କରିପାରିଛନ୍ତି। ବର୍ତ୍ତମାନ ସେ ଏକ ଘରୋଇ ସଂସ୍ଥାରେ କୋ-ପାଇଲଟ ରୂପେ ନିଯୁକ୍ତି ପାଇଛନ୍ତି ଏବଂ ଖୁବ୍‌ଶୀଘ୍ର ଆକାଶକୁ ଉଡାଣ କରିବେ। ତଥାପି ତାଂକର ସ୍ବପ୍ନ ଏତିକିରେ ପୂରଣ ହୋଇନଥିବା ଅନୁପ୍ରିୟା ପ୍ରକାଶ କରିଛନ୍ତି। ତାଙ୍କର ଇଛା ସେ ଆନ୍ତର୍ଜାତିକ ବିମାନ ସଂସ୍ଥାରେ ଯୋଗ ଦେଇ ଦେଶ ବିଦେଶକୁ ବିମାନ ନେଇ ଉଡ଼ିବେ।

ଅନୁପ୍ରିୟା କୁହନ୍ତି, ‘ଦୃଢ ମାନସିକତା ଏବଂ ମାଆଙ୍କର ବହୁମୂଲ୍ୟ ପ୍ରେରଣା ହିଁ ମୋତେ ସଫଳ କରିଛି। ଆଗ୍ରହ ଏବଂ ନିଷ୍ଠା ବଳରେ ଆଜି ସଫଳତାର ପାହାଚରେ ପାଦ ଦେଇଛି। ’ ସେ ଆହୁରି ମଧ୍ୟ ପାଠ ପଢ଼ି ଆଗକୁ ବଢ଼ିବା ପାଇଁ ଆଦିବାସୀ ଅଧ୍ୟୁଷିତ ଝିଅମାନଙ୍କୁ ଆହ୍ବାନ ଦେଇଛନ୍ତି।

ମାଆ ୟାସମିନ କୁହନ୍ତି, ‘ ଅନୁପ୍ରିୟାର ପାଠ ପଢା ପାଇଁ କୌଣସି ସରକାରୀ ସହାୟତା ମଧ୍ୟ ମିଳିଲା ନାହିଁ। ନିଜର ଦୃଢ ଇଚ୍ଛାଶକ୍ତି ଦ୍ବାରା ହିଁ ସେ ସଫଳ ହୋଇଛି।’

ମାଲକାନଗିରି ଆଦିବାସୀ ଅଂଚଳ ହୋଇଥିବା ବେଳେ ବହୁ ଝିଅ ଏଠାରେ ପାଠ ନପଢି ମଉଳିଯାଉଛନ୍ତି। ଅଳ୍ପ ବୟସରେ ବାହାଘର କରାଇବା ଏବଂ ଘରର ଆର୍ଥିକ ସ୍ଥିତି ସୁଦୃଢ କରିବା ପାଇଁ ଦାଦନ ଖଟିବା ଭଳି କାର୍ଯ୍ୟ କରୁଛନ୍ତି। ସବୁ ବାଧାବିଘ୍ନ ସତ୍ତ୍ବେ ନିଜ ସ୍ବପ୍ନକୁ କିଭଳି ପୂରଣ କରିହୁଏ, ଏହାର ଏକ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ଅନୁପ୍ରିୟା।

ମାଲକାନଗିରି ମାଟିର ନାମ ରଖିଥିବା ଅନୁପ୍ରିୟା ଆଜି ଆକାଶ କନ୍ୟା। ନୀଳରଂଗର ସ୍ବପ୍ନକୁ ସାକାର କରି ସେ ନୀଳାଭ ଆକାଶ ତଳେ ଉଡିବା ପାଇଁ ପ୍ରସ୍ତୁତ। ତାଙ୍କର ଏହି ସଫଳତାକୁ ଜିଲ୍ଲାବାସୀ ହେଲେ ଚର୍ଚ୍ଚିତ। ପ୍ରଶଂସା ଏବଂ ଅଭିନନ୍ଦନକୁ ନେଇ ଅନୁପ୍ରିୟା ଆହୁରି ଆଗକୁ ବଢିଚାଲନ୍ତୁ ବୋଲି ଜିଲ୍ଲାବାସୀ ଆଶାପ୍ରକାଶ କରିବା ସହ ତାଙ୍କ ଉଡ଼ାଣକୁ ଅପେକ୍ଷା କରି ରହିଛନ୍ତି।

ସମ୍ବନ୍ଧିତ ଖବର