ଅନୁଗୁଳ ବନଖଣ୍ଡ ବାଘ ମୃତ୍ୟୁ ଘଟଣା: ମୁକୁଳାଇବାରେ ବିଳମ୍ବ ପାଇଁ ଚାଲିଗଲା ଜୀବନ!

ଅନୁଗୁଳ : ସକାଳ ୭ଟା ବେଳକୁ ଚାରିଆଡ଼େ ପ୍ରଘଟ ହୋଇସାରିଥିଲା। ଫାଶରେ ପଡ଼ିଛି ବାଘ। ଜୀବନ ବିକଳରେ ବାଘ କାଠ ସହ ବନ୍ଧା ହୋଇଥିବା ଫାଶକୁ ଟାଣି ନେଇ କିଛି ବାଟ ଜଙ୍ଗଲ ଆଡ଼କୁ ଯାଇଛି। ତତ୍‌କ୍ଷଣାତ୍‌ ସୂଚନା ପାଇ ବନ ବିଭାଗ କାଠରୁ ଫାଶକୁ ଟାଙ୍ଗିଆରେ ହାଣି କାଟି ଦେଇଥିଲା, କିନ୍ତୁ ପୂରା ଫାଶରୁ ବାଘକୁ ମୁକୁଳାଇଲା ନାହିଁ। ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ, ଫାଶ ଭିତରେ ବାଘ ଏମିତି ପ୍ରାୟ ଛଅ ଘଣ୍ଟା କାଳ ପଡ଼ି ଛଟପଟ ହେଲା ପଛେ ତୁରନ୍ତ ମୁକୁଳାଇବା ପାଇଁ ପ୍ରାୟାସ କରାଗଲା ନାହିଁ। ଫଳସ୍ବରୂପ, ବାଘର ଅନ୍ତଃନଳୀ କଣା ହୋଇଗଲା। ଜୋର୍‌ ରକ୍ତସ୍ରାବ ହେଲା। ପ୍ରାୟ ୭୨ଘଣ୍ଟାର ଜୀବନ ମରଣ ଲଢ଼େଇ ଭିତରେ ୩/୪ବର୍ଷ ବୟସର କଲରାପତରିଆ ବାଘର ଶେଷରେ ଜୀବନ ଗଲା।

ସକାଳ ୭ଟା ସୁଦ୍ଧା ସବୁ କିଛି ଜାଣିଥିବା ବନବିଭାଗ ଉଦ୍ଧାର କରିବାରେ ଛ’ ଘଣ୍ଟାର ଡେରିକଲା କାହିଁକି? ଏତେ ବିଳମ୍ବ ପଛର କାରଣ ଘଟଣାକୁ ଚାପି ଦେବା ନୁହେଁ ତ? ୭୨ଘଣ୍ଟାର ଜୀବନ-ମରଣ ସଂଘର୍ଷ ପରେ ଅନୁଗୁଳ ବନଖଣ୍ଡ ବଲଙ୍ଗ ଅଞ୍ଚଳରୁ ଉଦ୍ଧାର କଲରାପତରିଆ ବାଘର ମୃତ୍ୟୁକୁ ନେଇ ସାଧାରଣରେ ଏ ପ୍ରକାର ପ୍ରଶ୍ନ ଉଠିଛି।

ସୂଚନା ମୁତାବକ, ତା’ ପୂର୍ବଦିନ ସ୍ଥାନୀୟ ଅଞ୍ଚଳର ଲୋକ ଏ ଫାଶ ପକାଇଥିଲେ। ଉଦ୍ଦେଶ୍ୟ ଥିଲା, ବାର୍‌ହା ଶିକାର କରି ମାଂସ ଯୋଗାଡ଼ କରିବା। ଫାଶ ତିଆରି ହୋଇଥିଲା ଆଲୁମିନିୟମ୍‌ ତାରରେ। କାଠରେ ଏ ତାରକୁ ବନ୍ଧା ହୋଇ ଝୁଲା ହୋଇଥିଲା। ଦୁର୍ଭାଗ୍ୟକୁ ବାର୍‌ହା ବଦଳରେ ଏ ଫାଶରେ ପଡ଼ିଥିଲା କଲରାପତରିଆ ବାଘ। ଫାଶର ତାର ବାଘର ଠିକ୍‌ ପେଟ ଅଂଶରେ ଚାପି ହୋଇଥିଲା। ଜୀବନ ବିକଳରେ ବାଘ ଫାଶକୁ ଟାଣି ନେଇ ଜଙ୍ଗଲ ଭିତରକୁ କିଛି ବାଟ ଯାଇଥିଲା। କିନ୍ତୁ, ଫାଶ ଅଧିକ ଚାପି ହୋଇଯିବାରୁ ଆଉ ଆଗକୁ ବଢ଼ି ପାରିଲା ନାହିଁ।

ସମ୍ବନ୍ଧିତ ଖବର