ଭବାନୀପାଟଣା: ସାହିତ୍ୟ ପାଇଁ ଜୀବନକୁ ଏକପ୍ରକାର ଉତ୍ସର୍ଗୀକୃତ କରିଦେଲେ ହିଁ ଜଣେ ସାହିତ୍ୟର ସ୍ୱାଦ ପାଇପାରେ ଏବଂ ସ୍ରଷ୍ଟାଟିଏ କେତେବେଳେ ବି ନିଜର କାବ୍ୟସତ୍ତାରେ କବଳିତ ହୋଇପାରେ। ମନ ଭିତରେ ଉଦବେଳନ ସୃଷ୍ଟି କରୁଥିବା ବିଷୟବସ୍ତୁକୁ କାଗଜରେ ଉତାରିଦେବା ପରେ ଯେଉଁ ଆତ୍ମତୃପ୍ତି ଟିକକ ମିଳେ, ସେହି ସୃଷ୍ଟିକୁ ଆଉ ଯଦି କିଏ ପାଠ କରି ମତାମତଟିଏ ଦିଏ; ସେୟା ହିଁ ହୋଇଯାଏ ସାହିତ୍ୟିକ ଜୀବନର ଏକ ବଡ଼ ପୁରସ୍କାର।

Advertisment

ଏବେ ବିଭିନ୍ନ ସାହିତ୍ୟ ଦଳରେ ଇ-ପ୍ରଶଂସା ପତ୍ର ଏବଂ କିଛି ସାହିତ୍ୟିକ ଟଙ୍କା ଦେଲେ ମାଳମାଳ ମାନପତ୍ର ଦେଉଥିବା ଏବଂ ନେଉଥିବା ଲୋକ ଆଉ ଯାହା ବି ହେଇପାରେ, ହେଲେ ଜୀବନରେ ଜଣେ ସଫଳ ସାହିତ୍ୟିକ ହେଇପାରିବନି ବୋଲି ଭିନ୍ନ ଢଙ୍ଗରେ ଆୟୋଜିତ 'ଅନ୍ୱେଷା' କାର୍ଯ୍ୟକ୍ରମରେ ଯୁବଲେଖକମାନେ ମତବ୍ୟକ୍ତ କରିଛନ୍ତି। ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା ଲେଖକ କୌତୁକ ପନ୍ଦରଙ୍କ ଆବାହକତ୍ୱରେ କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାର ଯୁବଲେଖକମାନଙ୍କୁ ନେଇ ଉକ୍ତ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଲୁବେନଗଡ଼ ପଂଚାୟତର ପୁଇଝିରି ଠାରେ ଏହି କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହେଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆଦିବାସୀଙ୍କ ଲୋକବାଦ୍ୟ ଢାପ୍ ଓ ପାରମ୍ପରିକ କୁଇ ଗୀତ ପରିବେଷିତ ହୋଇଥିଲା। ପରେପରେ ଯୁବଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଯୁବଲେଖକ ଶ୍ରୀକାନ୍ତ ବାରିକ ସମସାମୟିକ ସାହିତ୍ୟ ସ୍ରଷ୍ଟାଙ୍କ ଓଡ଼ିଆ ସାହିତ୍ୟରେ ଅବଦାନ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଯୁବଲେଖକ ବିଶ୍ୱନାଥ ସାହୁ, ପ୍ରମୋଦ କୁମାର ସାହୁ, ଜଗନ୍ନାଥ ସାହୁ, ପଂଚାନନ ଭୋଇ, ରମାକାନ୍ତ ନାଏକ, ହେମନ୍ତ ସାହୁ, ଲକ୍ଷ୍ମଣ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଯୁବ ଗାଳ୍ପିକ ଡ଼ିଲେଶ୍ୱର ରଣା ଧନ୍ୟବାଦ ଅର୍ପଣ କରିଥିବାବେଳେ ମୋହନଗିରିର ପୂର୍ବତନ ସରପଂଚ ସୁରେନ୍ଦ୍ର ଧରୁଆ, ସୁବାସ ମାଝୀ, ରିସିଙ୍ଗା ମାଝୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଯୁବଲେଖକମାନେ ପାଦରେ ଚାଲି ଚାଲି ବିରିପୋଡ଼ି, ରାକ୍ଷାସବନ୍ଧ, ଟୁଡ଼ାପଡ଼ା, କୁର୍ତେଲ, ପୁଇଝିରି, ଡ଼୍ରାମ୍ବା, ଡ଼୍ରାକେଲ, ଟିଲାବାଜୁ ଗ୍ରାମକୁ ପ୍ରାୟ ତିରିଶ କିଲୋମିଟର ପାଦରେ ଚାଲି ଚାଲି ଭ୍ରମଣ କରିଥିବାବେଳେ ପୁଇଝିରିରେ ରାତ୍ର ରହଣୀ କରିଥିଲେ।