କାର୍ଯ୍ୟକ୍ଷମ ହେଉନି ୭.୫୦ କୋଟିର ‌‘ଅନ୍ବେଷା’ ହଷ୍ଟେଲ

ଛାତ୍ର ଛାତ୍ରୀଙ୍କ ବଦଳରେ ରହୁଛନ୍ତି ହକି ଷ୍ଟାଡ଼ିୟମ ଶ୍ରମିକ

ରାଉରକେଲା: ଗରିବ ଛାତ୍ର ଛାତ୍ରୀ ଇଂରାଜୀ ସ୍କୁଲରେ ଶିକ୍ଷା ପାଇବାରେ ସହାୟତା କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ‘ଅନ୍ବେଷା’ ଯୋଜନା। କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଏହି ଯୋଜନାର ଲକ୍ଷ୍ୟ ହେଉଛି, ଗ୍ରାମାଞ୍ଚଳର ଗରିବ ଛାତ୍ର ଛାତ୍ରୀ ସହରର ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ିବାକୁ ଉତ୍ସାହିତ କରିବା ଓ ସୁଯୋଗ ଦେବା। ସେମାନଙ୍କ ସ୍କୁଲ ପଢ଼ା ଖର୍ଚ୍ଚ ସହିତ ବହିପତ୍ର, ରହିବା ଓ ଖାଇବା ଖର୍ଚ୍ଚ ସରକାର ବହନ କରୁଛନ୍ତି। ଏହିଭଳି ଛାତ୍ର ଛାତ୍ରୀଙ୍କ ପାଇଁ ୭ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚରେ ରାଉରକେଲାରେ ତିଆରି ହୋଇଛି ୩ଟି ହଷ୍ଟେଲ, ଯେଉଁଥିରେ ୯୦୦ ପିଲା ରହିବାର କଥା। କିନ୍ତୁ ପ୍ରାୟ ଦେଢ଼ବର୍ଷ ବିତି ଯାଇଥିଲେ ହେଁ ସେଥିରେ ପିଲା ରହୁ ନାହାନ୍ତି। ରହୁଛନ୍ତି ହକି ଷ୍ଟାଡ଼ିୟମ ଶ୍ରମିକମାନେ। ଏହି ଗରିବ ପିଲାମାନଙ୍କ ପାଇଁ, ଯେଉଁମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ଆଦିବାସୀ, କେହି ଚିନ୍ତା କରୁ ନାହାନ୍ତି।

ନିଜସ୍ବ ହଷ୍ଟେଲ ନଥିବାରୁ ‘ଅନ୍ବେଷା’ ଅଧୀନରେ ପଢ଼ୁଥିବା ପିଲାମାନେ ବର୍ତ୍ତମାନ ରାଉରକେଲାର ତିନି ଚାରିଟି ଓଡ଼ିଆ ମାଧ୍ୟମ ସ୍କୁଲର ହଷ୍ଟେଲରେ ବାଣ୍ଟିହୋଇ ରହୁଛନ୍ତି। ସେମାନଙ୍କ ଭିତରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଖାପାଖି ୧୧୦୦  ପିଲା ଅଛନ୍ତି। ସେମାନେ ସହରର ଭିନ୍ନ ଭିନ୍ନ ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଛନ୍ତି। ସେମାନଙ୍କ ପାଠ ପଢ଼ିବା ଠାରୁ ଆରମ୍ଭ କରି ଖାଇବା, ରହିବା ଓ ପୋଷାକ ଆଦି ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। କିନ୍ତୁ ସେମାନେ ପଢ଼ୁଥିବା ବେସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା ନାହିଁ। ତେଣୁ ସେମାନେ ଉଦିତନଗର ସରକାରୀ ଉଚ୍ଚ ବିଦ୍ୟାଳୟ, ଜଗଦା ଆଶ୍ରମ ସ୍କୁଲ ଓ ଅନ୍ୟ କିଛି ସରକାରୀ ଓଡ଼ିଆ ମାଧ୍ୟମ ସ୍କୁଲର ହଷ୍ଟେଲରେ ବର୍ଷ ବର୍ଷ ଧରି ରହିଆସୁଛନ୍ତି। ଗତ ଦେଢ଼ବର୍ଷ ତଳୁ ଏମାନଙ୍କ ରହିବା ପାଇଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପାଚେରୀ ପାର୍ଶ୍ବରେ ୩୦୦ ଶଯ୍ୟାର ବିଶିଷ୍ଟ ୩ଟି କୋଠା ନିର୍ମାଣ ସରିଛି। ଓଡ଼ିଶା ସ୍ମଲ୍‌ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ (ଓଏସ୍‌ଆଇସି) ଦ୍ବାରା ନିର୍ମିତ ଏହି ୩ଟି କୋଠାରେ ମୋଟ୍‌ ୭.୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେଗୁଡ଼ିକୁ ଦେଖିଲେ, ପିଲାଙ୍କ ସ୍ବାର୍ଥ ପାଇଁ ନୁହେଁ, ଯେମିତି ଠିକାଦାରଙ୍କୁ ପୋଷିବାଲାଗି ହିଁ ସେଗୁଡ଼ିକୁ ତିଆରି କରା ଯାଇଥିବା ଭଳି ମନେ ହେଉଛି।

ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ନିକଟରେ ଥିବା ନିଚ୍ଛାଟିଆ ସ୍ଥାନରେ ଏଗୁଡ଼ିକୁ ତିଆରି କରା ଯାଇଛି। ତା’ର ଚତୁଃପାର୍ଶ୍ବରେ ପାଚେରୀ ଏଯାଏଁ ନିର୍ମାଣ ହୋଇନାହିଁ। ଏଥିସହ ସହ ବିଜୁଳି ଓ ପାନୀୟ ଜଳ ସଂଯୋଗ ମଧ୍ୟ ହୋଇ ନାହିଁ। କେବଳ ଏତିକି ନୁହେଁ, ହଷ୍ଟେଲ ଯିବାକୁ ରାସ୍ତାଟିଏ ମଧ୍ୟ ଏଯାଏଁ ହୋଇପାରିନି। ଏସବୁ କାମ କେବେ ହେବ, ବିଭାଗୀୟ ଅଧିକାରୀ ବା ନିର୍ମାଣକାରୀ ସଂସ୍ଥା ପାଖରେ କିଛି ସନ୍ତୋଷଜନକ ଉତ୍ତର ନାହିଁ। ସେପଟେ ଦେଢ଼ବର୍ଷ ଧରି ବନ୍ଦ ପଡିଥିବା ଏହି ୩ଟି କୋଠାରେ ବର୍ତ୍ତମାନ ନିର୍ମାଣଧୀନ ହକି ଷ୍ଟାଡିୟମରେ କାର୍ଯ୍ୟରତ ଶ୍ରମିକମାନେ ରହୁଛନ୍ତି। ତେଣୁ ଯେପର୍ଯ୍ୟନ୍ତ ହକି ଷ୍ଟାଡିୟମ ନିର୍ମାଣ କାମ ନ ସରିଛି ଓ ପୁରୁଷ ବିଶ୍ବ ହକି କପ୍‌ ଶେଷ ନ ହୋଇଛି, ସେ ପର୍ଯ୍ୟନ୍ତ ‌ଅନ୍ବେଷା ‌ହଷ୍ଟେଲ କାର୍ଯ୍ୟକ୍ଷମ ହେବାର ଆଶା ଦେଖା ଯାଉନାହିଁ।

ଏ ସଂକ୍ରାନ୍ତରେ ଜିଲ୍ଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ପବିତ୍ରମୋହନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ‘‘ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ ପିଲାମାନଙ୍କୁ ସ୍ଥାନାନ୍ତର କରାଯାଇପାରୁ ନାହିଁ। ହଷ୍ଟେଲର ସ୍ଥିତି ସମ୍ପର୍କରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।’’ ଓଏସ୍‌ଆଇସିର ପୂର୍ଣ୍ଣିମା ପ୍ରିୟଦର୍ଶନୀ କହିଲେ,  ‘‘ପାଚେରୀ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ବିଜୁଳି ଓ ଅନ୍ୟାନ୍ୟ କାମ ବାବଦରେ ହେବାକୁ ଥିବା ଖର୍ଚ୍ଚ ପାଇଁ ବିଭାଗକୁ ମଞ୍ଜୁରି ପାଇଁ ଲେଖାଇଛି। ଅନୁମତି ମିଳିବା ପରେ କାମ ଆରମ୍ଭ ହୋଇଯିବ।’’

ସମ୍ବନ୍ଧିତ ଖବର