ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ରେକର୍ଡକାଳୀନ ଜିଲ୍ଲାପାଳ ଭାବେ ଡା. ଗାଭାଳି ପରାଗ ହର୍ଷଦ ଅବସ୍ଥାପିତ ହୋଇଥିଲେ। ଦୀର୍ଘ ୩ ବର୍ଷ ୧୦ ମାସ ପରେ ଗୁରୁବାର ଦିନ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବରେ ବଦଳି ହୋଇଛି। ତାଙ୍କ ସ୍ଥାନରେ ୨୦୧୭ ଆଇଏଏସ୍‌ କ୍ୟାଡର ପି. ଅନ୍ବେଷା ରେଡ୍ଡୀଙ୍କୁ କଳାହାଣ୍ଡି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। ନୂତନ ଜିଲ୍ଲାପାଳ ପୂର୍ବରୁ ମୟୁରଭଞ୍ଜ ପିଡି ଡିଆର୍‌ଡିଏ ଥିଲେ।

Advertisment

କଳାହାଣ୍ଡି ଜିଲ୍ଲାରେ ଡା. ଗାଭାଲି ପରାଗ ହର୍ଷଦ ବହୁଦିନ ରହଣି ମଧ୍ୟରେ ସେ କଳାହାଣ୍ଡି ଜିଲ୍ଲାରେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିପାରିଥିଲେ। ଡିଏମ୍‌ଏଫ୍‌ ପାଣ୍ଠିରୁ ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳ ପୋଡ଼ା‌ଗୁଡ଼ାକୁ ରାସ୍ତା ନିର୍ମାଣ କରି ଆଦିବାସୀଙ୍କ ଗମନାଗମନ ନିମନ୍ତେ ସୁବିଧା କରିପାରିଥିଲେ। ସେ ଭବାନୀପାଟଣା ସହରର ବସଷ୍ଟାଣ୍ଡକୁ ଭାଙ୍ଗି କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଅସ୍ଥାୟୀ ବସଷ୍ଟାଣ୍ଡ କରି ଜିଲ୍ଲାରେ ବିବାଦୀୟ ହୋଇପଡ଼ିଥିଲେ। ଏଥିଯୋଗୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଶେଷରେ ବାଧ୍ୟ ହୋଇ ଭବାନୀପାଟଣା ନିକଟସ୍ଥ ଭଙ୍ଗାବାରିଠାରେ ଜଣେ ଘରୋଇ ଜମି ମାଲିକଙ୍କ ଜମିକୁ ସମତୁଲ କରି ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି ଯାହା ଆଦୈା ଉପଯୋଗୀ ନୁହେଁ। ଗତ ସାଧାରଣ ନିର୍ବାଚନ ବେଳେ କର୍ମଚାରୀଙ୍କ ନିର୍ବାଚନ ଡ୍ୟୁଟି ଟଙ୍କା କାଟି ବିବାଦୀୟ ହୋଇ ପଡ଼ିଥିଲେ। ଏପରିକି ଏପର୍ଯ୍ୟନ୍ତ ନିୟୋଜିତ ହୋଇଥିବା ନିର୍ବାଚନ ଡ୍ୟୁଟି ଗାଡ଼ି ଗୁଡ଼ିକର ପ୍ରାପ୍ୟ ନପାଇ ଡ୍ରାଇଭରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀମାନେ ଧାନର ଅଭାବୀ ବିକ୍ରିର ଶିକାର ହେଉଥିବାବେଳେ ଜିଲ୍ଲାପାଳଙ୍କ ସମୟରେ ଚାଷୀ ମିଲର୍ସମାନଙ୍କ ଅତ୍ୟଧିକ ଶୋଷଣର ନଜିର ରହିଛି।

publive-image

ସେହିଭଳି ବାଲିଘାଟ ଠାରୁ ଆରମ୍ଭ କରି ବିଭିନ୍ନ ଲିଜ୍‌ ଘଟଣାରେ ବ୍ୟାପକ ଅନିୟମିତତା ହୋଇଥିଲା। ଏହି ଜିଲ୍ଲାପାଳଙ୍କ ସମୟରେ ଭବାନୀପାଟଣା ସହରରେ ଜବରଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ବେଳେ ସୌନ୍ଦର୍ଯ୍ୟୀକରଣ ପାଇଁ ତତ୍କାଳୀନ ଜିଲ୍ଲାପାଳ ଡି. ବୃନ୍ଦାଙ୍କ ସମୟ ପରେ କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇ ନଥିଲା। ଅନ୍ୟପକ୍ଷରେ ବିଦାୟୀ ଜିଲ୍ଲାପାଳଙ୍କ ସମୟରେ ମୋ ସ୍କୁଲ ଅଭିଯାନରେ ୧୨୯ଟି ସ୍କୁଲ ସ୍ମାର୍ଟ ସ୍କୁଲ ରୂପାନ୍ତରଣ ହୋଇଥିଲା। ଆଭ୍ୟନ୍ତରୀଣ ମତ୍ସ୍ୟ ଚାଷରେ କଳାହାଣ୍ଡି ଜିଲ୍ଲା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲା। କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଡାକ୍ତରଖାନା ଓ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନା ବିଭିନ୍ନ କାୟାକଳ୍ପ ପୁରସ୍କାର ପାଇଥିଲା। ଇଣ୍ଡିଆ ଟୁ-ଡେ ପକ୍ଷରୁ ସ୍ବଚ୍ଛତା ନିମନ୍ତେ କଳାହାଣ୍ଡି ଜିଲ୍ଲା ପୁରସ୍କୃତ ହୋଇଥିଲା। କଳାହାଣ୍ଡି ଆର୍ଟ ଏଣ୍ଡ କ୍ରାଫ୍ଟ ଗଠନ କରାଯାଇ ଜିଲ୍ଲାର ଖାଦ୍ୟ, ହସ୍ତକଳା ଓ ବିଭିନ୍ନ ସାମଗ୍ରୀର ବିକ୍ରି ବଟା ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରି ଉଦ୍ୟମ ଆରମ୍ଭ କରିଥିଲେ। ବିଭିନ୍ନ ସମୟରେ ଜିଲ୍ଲାପାଳ ରାଜନୀତି ତୁଷ୍ଟୀକରଣରେ ଥିବା ବେଳେ ବହୁ ସମୟରେ ଅଫିସକୁ ଆସୁ ନଥିଲେ। ଆବାସିକ କାର୍ଯ୍ୟାଳୟରେ ସାଧାରଣ ଲୋକ ଭେଟି ବିଭିନ୍ନ ସମସ୍ୟା ଉପସ୍ଥାପନ ନିମନ୍ତେ ପ୍ରାୟତଃ ସୁଯୋଗ ମିଳୁ ନଥିଲା। କୋଭିଡ ସମୟରେ ମଧ୍ୟ ଏଥିଯୋଗୁ ସାଧାରଣ ଲୋକେ ବହୁଳ ଭାବରେ କ୍ଷତିଗ୍ରସ୍ତ ହେଉଥିଲେ। ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆରଡିଏଙ୍କୁ ପଠାଇ ନିଜେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳୁଥିଲା।

ଗଣମାଧ୍ୟମ ପ୍ରତି ଜିଲ୍ଲାପାଳଙ୍କ ଅସୂୟା ମନୋଭାବ ଯୋଗୁ ସାମ୍ବାଦିକମାନେ ସୂଚନା ପାଇବାରୁ ବଞ୍ଚିତ ହେଉଥିଲେ। ଚାଷୀ ଓ ଗରିବ ଲୋକଙ୍କ ପାଇଁ ଉଦାସୀନ ‌ରହୁଥିବା ଯୋଗୁ ଲୋକେ ଜିଲ୍ଲାପାଳଙ୍କ ଠାରୁ ନ୍ୟାୟ ପାଉ ନଥିଲେ। ତଳିଆ କର୍ମଚାରୀଙ୍କ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଯୋଗୁ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଉଥିଲା। ଭବାନୀପାଟଣା ସହରର ଅଧ୍ୟକ୍ଷ ଦାୟିତ୍ବ ଥିବାବେଳେ ପୌର ପରିଷଦରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଡିଟ ରିପୋର୍ଟରେ ପ୍ରଘଟ ହେବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ବର୍ତ୍ତମାନ ନୂତନ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଯୋଗଦେବା ପରେ କଳାହାଣ୍ଡି ଜିଲ୍ଲାରେ ଧାନର ଅଭାବୀ ବିକ୍ରି ଓ ମିଲର୍‌ମାନଙ୍କ ଶୋଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚ୍ୟାଲେଞ୍ଜ ରହିବ। ଜିଲ୍ଲାର ପ୍ରାୟ ୫ଶହରୁ ଊର୍ଦ୍ଧ୍ବ ଗ୍ରାମକୁ ରାସ୍ତା ନଥିବା ଯୋଗୁ ଯୋଗାଯୋଗ ବ୍ୟବସ୍ଥା, ବିଭିନ୍ନ ବିଭାଗରେ ଚାଲିଥିବା ଦୁର୍ନୀତି, ସରକାରୀ ମେଡିକାଲ କଲେଜ ନିର୍ମାଣ, ଦୁର୍ଗମ ଅଞ୍ଚଳର ବିକାଶ, ଜିଲ୍ଲାର ଜବରଦଖଲ ସମସ୍ୟା, ପାନୀୟ ଜଳ, ସ୍ବାସ୍ଥ୍ୟ ସମସ୍ୟା, ସ୍କୁଲମାନଙ୍କରେ ଶିକ୍ଷକ ଅଭାବ, ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ସମସ୍ୟା ପ୍ରମୁଖ ଚ୍ୟାଲେଞ୍ଜ ରହିଛି। ନୂଆ ଜିଲ୍ଲାପାଳ ଦାୟିତ୍ବ ନେବା ପରେ କଳାହାଣ୍ଡିର ସମସ୍ୟାକୁ ଆଖି ଆଗରେ ରଖି କିଭଳି ଏହାର ସମାଧାନ ଓ ଲୋକଙ୍କୁ ସାମଗ୍ରିକ ବିକାଶର ସୁବିଧା ଯୋଗାଇବେ ସେନେଇ ଜିଲ୍ଲାବାସୀ ଅନାଇ ରହିଛନ୍ତି।