ବାଟବଣା ‘ଅନ୍ବେଷା’ ଯୋଜନା: ପିଲାଙ୍କ ପଢ଼ା ଖର୍ଚ୍ଚ ୪.୧୯ କୋଟି, ମାର୍କ ରଖୁଛନ୍ତି ୧୨ରୁ ୨୦ ପ୍ରତିଶତ

୧୭ଟି ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ୁଛନ୍ତି ୨୨୬୪ ପିଲା

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସଂପୂର୍ଣ୍ଣ ବିଫଳ ହୋଇଛି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜି ସ୍କୁଲରେ ପଢ଼ାଇବାର ଯୋଜନା ‘ଅନ୍ବେଷା’। ଏହି ଯୋଜନାରେ ୪ର୍ଥରୁ ୧୦ ଶ୍ରେଣୀ ପର୍ଯ୍ୟନ୍ତ ଜିଲ୍ଲାର ମୋଟ୍‌ ୨୨୬୪ ପିଲା ୧୭ଟି ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବା ହିସାବ ଦିଆ ଯାଉଛି। ଯାତାୟତ, ରହିବା ଓ ଖାଇବାକୁ ଛାଡି, ପାଠପାଇଁ ଜଣେ ପିଲା ପାଇଁ ବାର୍ଷିକ ୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏପରି ଭାବେ ପାଠପଢ଼ା ବାବଦରେ ବର୍ଷକୁ  ସରକାରୀ ପାଣ୍ଠିରୁ ଖର୍ଚ୍ଚ ହେଉଛି ୪ କୋଟି ୧୯ ଲକ୍ଷ ୩୧ ହଜାର ୫୭୦ ଟଙ୍କା। ଏହା ବାହାରେ ଖାଇବା, ରହିବା, ପୋଷାକପତ୍ର, ଯାତାୟତ ଆଦି ବାବଦରେ ଜଣେ ପିଲା ପିଛା ବର୍ଷକୁ ଖର୍ଚ୍ଚ କରା ଯାଉଛି ୧୮ ହଜାର। ଏମିତି ଭାବେ ଜଣେ ପିଲା ପିଛା ସରକାରଙ୍କ ପାଣ୍ଠିରୁ ବର୍ଷକୁ ୩୮ ହଜାର ଟଙ୍କା ଖର୍ଚ୍ଚ ହେଉଛି। କେବଳ ଏତିକି ନୁହେଁ, ହଷ୍ଟେଲରେ ଏମାନଙ୍କୁ ପାଠ ପଢ଼ାଇବାକୁ  ସୁନ୍ଦରଗଡ଼ କେନ୍ଦ୍ରରେ ୨୨ ଓ ରାଉରକେଲା କେନ୍ଦ୍ରରେ ୧୮, ଏମିତି ମୋଟ୍‌ ୪୦ ଜଣ ଟ୍ୟୁଟରଙ୍କୁ ନିଯୁକ୍ତି ଦିଆଯାଇଛି।

ଟ୍ୟୁଟର ପିଛା ମାସିକ ୮୦୦୦ ଟଙ୍କା ଖର୍ଚ୍ଚ ହେଉଛି। ମୋଟ୍‌ ଉପରେ ଏହି ଯୋଜନାରେ ଆକର୍ଷଣୀୟ ଖର୍ଚ୍ଚ କରା ଯାଉଛି। କିନ୍ତୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ଫଳ ଶୂନ। କାରଣ ଏଥିରେ ସାମିଲ ପିଲାଙ୍କ ଭିତରୁ ପ୍ରାୟ ୮୦%ଙ୍କ ପାଠପଢ଼ାର ଫଳାଫଳ ସମ୍ପୂର୍ଣ୍ଣ ନୈରାଶ୍ୟଜନକ। ଗତ ବାର୍ଷିକ ପରୀକ୍ଷାରେ ଏଥିରୁ ଅଧିକାଂଶ ପିଲା ୧୨-୨୦ ପ୍ରତିଶତ ମାର୍କ ରଖିଛନ୍ତି। ପ୍ରାୟ ସବୁ ଇଂରାଜି ମାଧ୍ୟମ ସ୍କୁଲରେ ପାଠ ପଢ଼ୁଥିବା ଅନ୍ବେଷା ଯୋଜନାର ପିଲାଙ୍କ ମାର୍କ ଏପରି ରହିଛି। ବର୍ଷ ବର୍ଷ ଧରି ଏହି ସ୍ଥିତି ଜାରି ରହିଛି। ଏଥିପ୍ରତି ଦାୟିତ୍ବରେ ଥିବା ଅଧିକାରୀ ଓ ଜିଲ୍ଲା ପ୍ରଶାସନ କିନ୍ତୁ ଆଖି ବୁଜି ଦେଇଛନ୍ତି। କାହିଁକି ଓ କ’ଣ ପାଇଁ ପିଲାମାନେ ପରୀକ୍ଷାରେ ଏମିତି  ମାର୍କ ରଖୁଛନ୍ତି, ଥରୁଟିଏ ତଦାରଖ କରାଯାଉ ନାହିଁ। ବର୍ଷ ବର୍ଷ ଧରି ଚିରାଚରିତ ଭାବେ ଏଭଳି ପାଠ ପଢ଼ା ଚାଲିଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ଏମିତି ସାଂଘାତିକ ତଥ୍ୟ, ସୁନ୍ଦରଗଡ଼ରେ ‘ଅନ୍ବେଷା’ ଯୋଜନାର ବାସ୍ତବତାକୁ ପଦାରେ ପକାଇଛି।

ଏହା ସହିତ ଯୋଜନାକୁ ପରିଚାଳନା କରୁଥିବା ଅଧିକାରୀମାନଙ୍କ ନିଷ୍ଠା ଓ ପାରିବା ପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ଛିଡା କରିଛି। ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ,  ସୁନ୍ଦରଗଡ଼ ଜିଲ୍ଲାରେ ଅନ୍ବେଷା ଯୋଜନାରେ ଥିବା ୨୨୬୪ ପିଲାଙ୍କ ପାଇଁ ସୁନ୍ଦରଗଡ଼ର ଦୁଇଟି ହଷ୍ଟେଲରେ ୧୧୪୩ ଓ ରାଉରକେଲାର ୩ଟି ହଷ୍ଟେଲରେ ୧୧୨୧ ପିଲା ରହୁଛନ୍ତି। ସେଠାରେ ରହି ସେମାନେ ସୁନ୍ଦରଗଡ଼ର ରିଭରଷ୍ଟୋନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ,  ଓଡ଼ିଶା ପବ୍ଲିକ ସ୍କୁଲ, ଗୁଡ୍‌ ସେଫାଡ ପବ୍ଲିକ ସ୍କୁଲ, ଦର୍ଶନ ଏକାଡେମି,  ସୁନ୍ଦରଗଡ଼ ପବ୍ଲିକ ସ୍କୁଲ, ଦ ଆସେମ୍ଭିଲ ଅଫ୍‌ ଗଡ୍‌ ସ୍କୁଲ, ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲ, ଏସ୍‌.ବି. ଜାଭିୟର ସ୍କୁଲରେ ପଢୁଛନ୍ତି। ରାଉରକେଲାର ପିଲାମାନେ ସାଇଭ୍ୟାଲି ୱାଲର୍ଡ ସ୍କୁଲ, ସରସ୍ବତୀ ବିଦ୍ୟାମନ୍ଦିର, ଶ୍ରୀ ଅରୋବିନ୍ଦ ସ୍କୁଲ, ଇଣ୍ଡୋ ଇଂରାଜୀ ମାଧ୍ୟମ ସ୍କୁଲ, କଳିଙ୍ଗ ପବ୍ଲିକ ସ୍କୁଲ, ଦୀପିକା ଇଂରାଜୀ ମାଧ୍ୟମ ସ୍କୁଲ, ଚିନ୍ମୟ ପବ୍ଲିକ ସ୍କୁଲ ଛେଣ୍ଡ କଲୋନି,  ଷ୍ଟେସନନିକଟ ସିଟି ଇଂରାଜୀ ସ୍କୁଲ, ସତ୍ୟସାଇ ବିଦ୍ୟାମନ୍ଦିରରେ ପଢ଼ୁଛନ୍ତି। କଳିଙ୍ଗ ପବ୍ଲିକ ସ୍କୁଲକୁ ବାର୍ଷିକ ୩୮ ଲକ୍ଷ ୪୦ ହଜାର, ଚିନ୍ମୟ ପବ୍ଲିକ ସ୍କୁଲକୁ ୩୪ ଲକ୍ଷ ୫୪ ହଜାର ୨୫୦ ଟଙ୍କା, ସିଟି ଇଂରାଜୀ ସ୍କୁଲକୁ ୨୭ ଲକ୍ଷ୪୩ ହଜାର ୨୦୦ ଟଙ୍କା,  ଶ୍ରୀ ଅରୋବିନ୍ଦ ସ୍କୁଲ ୩୩ ଲକ୍ଷ ୧୬ ହଜାର ୬୦୦ ଟଙ୍କା, ସୁନ୍ଦରଗଡ଼ର ଦର୍ଶନ ଏକାଡେମୀକୁ ବାର୍ଷିକ ୫୧ ଲକ୍ଷ, ସୁନ୍ଦରଗଡ଼ ପବ୍ଲିକ ସ୍କୁଲକୁ ୩୨ ଲକ୍ଷ ୮୦ ହଜାର ଟଙ୍କା ଦିଆଯାଉଛି।

ଅନୁରୂପ ଭାବେ ଇଣ୍ଡୋ ଇଂରାଜୀ ସ୍କୁଲକୁ ବାର୍ଷିକ ୩୦ ଲକ୍ଷ ୨୦ ହଜାର, ସାଇଭ୍ୟାଲି ୱାର୍ଲଡ ସ୍କୁଲକୁ ୧୮ ଲକ୍ଷ ୧୧ ହଜାର ଓ ସତ୍ୟସାଇ ବିଦ୍ୟା ମନ୍ଦିରକୁ ବାର୍ଷିକ ୧୩ ଲକ୍ଷ ୩୩ ହଜାର୭୦୦ କେବଳ ସ୍କୁଲ ଫି’ ବାବଦରେ ଦିଆଯାଉଛି। ତେବେ ଏହି ଘରୋଇ ଇଂରାଜୀ ସ୍କୁଲଗୁଡ଼ିକ ସରକାରଙ୍କଠାରୁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ ହେଁ ଯୋଜନାରେ ଯାଉଥିବା ପିଲାଙ୍କ ପାଠ ପଢ଼ାକୁ ସେତେଟା ଗୁରୁତ୍ବ ଦେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି। କିନ୍ତୁ ବିଭାଗୀୟ ଅଧିକାରୀମାନେ ନିରବ ରହୁଛନ୍ତି। କିଛି ସ୍କୁଲ କର୍ତ୍ତୃପକ୍ଷ ଅଧିକାରୀମାନଙ୍କ ସହିତ ଭିତିରି ସଲାସୁତୁରା କରି ପିଲାଙ୍କୁ ନେଉଛନ୍ତି, ତେଣୁ ଅଧିକାରୀମାନେ ସ୍ଥିତିର ପରିବର୍ତ୍ତନ ପାଇଁ କିଛି ଉଦ୍ୟମ କରୁନାହାନ୍ତି ବୋଲି ସାଧାରଣରେ ଅଭିଯୋଗ ଉଠୁଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ କେବଳ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବ, କିନ୍ତୁ ଆଦିବାସୀ ପିଲାଙ୍କୁ ଇଂରାଜୀ ମାଧ୍ୟମ ସ୍କୁଲରେ ପଢ଼ାଇବାର ଲକ୍ଷ୍ୟ ଆଦୌ ପୂରଣ ହେବନାହିଁ।

ସମ୍ବନ୍ଧିତ ଖବର