କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ମନ୍ଦିର ଖୋଲିବା ନେଇ ବଢ଼ୁଛି ଉତ୍କଣ୍ଠା

ଘଟଗାଁ : କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀ ପୀଠ ମହାମାରୀ କରୋନା ପାଇଁ ଦୁଇବର୍ଷ ହେଲା ବନ୍ଦ ରହିଛି। ଫଳରେ ସାଧାରଣ ଲୋକେ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ବର୍ତ୍ତମାନ ସରକାର କଟକଣା କୋହଳ କରିବା ପରେ ତାରିଣୀ ମନ୍ଦିର ଖୋଲିବା ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ୁଛି।

କରୋନାର ପ୍ରଥମ ଲହର ପାଇଁ ୨୦୨୦ ମାର୍ଚ୍ଚ ୨୫ ତାରିଖରୁ ୨୦୨୧ ମସିହା ଜାନୁଆରି ୧୮ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିଥିଲା। ଜାନୁଆରି ୧୮ରୁ କଟକଣା ମଧ୍ୟରେ ସର୍ବସାଧାରଣ ଦର୍ଶନକୁ ଅନୁମତି ମିଳିଥିଲା। ୧୦ ବର୍ଷ ପର୍ଯ୍ୟନ୍ତ ଛୋଟଛୁଆ ଏବଂ ୬୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇ ନଥିଲା। ଜାନୁଆରି ୧୮ରୁ ମେ ୫ ତାରିଖ ସ୍ବାଭାବିକ ସାଧାରଣ ଦର୍ଶନ ବ୍ୟବସ୍ଥା ଚାଲିଥିଲା। କରୋନାର ଦ୍ୱିତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ମେ ୫ରୁ ପୁଣି ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରିଛନ୍ତି। ମନ୍ଦିର ବନ୍ଦ ଯୋଗୁଁ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ମନ୍ଦିର ଉପରେ ନିର୍ଭର କରୁଥିବା ପୂଜକ, ନଡ଼ିଆକୋରା ବ୍ୟବସାୟୀ, ହୋଟେଲ ବ୍ୟବସାୟୀ, ଭୋଗ ଦୋକନୀଙ୍କ ଜୀବିକା ଉଜୁଡ଼ି ଯାଇଛି।

ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ି ଦିଆଯାଇଛି। ଅଗଷ୍ଟ ୧ରୁ ମା’ ତାରିଣୀ ମନ୍ଦିର ଖୋଲିବା ନେଇ ଆଶା କରାଯାଉଥିଲା। ହେଲେ ପ୍ରଶାସନ ଏ ଦିଗରେ ନିରବ ଥିବାରୁ ମନ୍ଦିର କେବେ ଖୋଲିବ ସେନେଇ ଆଶ ଆଶଙ୍କାରେ ଅଛନ୍ତି ଶ୍ରଦ୍ଧାଳୁ। ଏନେଇ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରୁ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି। ନିର୍ଦେଶ ମିଳିବା ପରେ ମନ୍ଦିର ଖୋଲିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାଯାଇଛି। କରୋନା କଟକଣା ମଧ୍ୟରେ ସ୍ବଳ୍ପ ସଂଖ୍ୟକ କର୍ମଚାରୀ ଓ ସେବାୟତଙ୍କୁ ନୀତିକାନ୍ତି ଚାଲୁଥିଲା। ୧ ତାରିଖରୁ ସମସ୍ତ କର୍ମଚାରୀ ଯୋଗ ଦେଇଛନ୍ତି। ତୁରନ୍ତ ମନ୍ଦିର ଖୋଲିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର