କୋରାପୁଟ: ଝିନଙ୍କ ଉପରେ ଦଳ ଭରସା କରିବ ନା ପୁଣି ଥରେ ଈଶ୍ବର ପାଣିଗ୍ରାହୀଙ୍କୁ ଫେରାଇ ଆଣିବ। ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ବିଧାୟକ ଗୁପ୍ତପ୍ରସାଦ ଦାଶ, ବରିଷ୍ଠ ନେତା ଅନୁପ ପାତ୍ରଙ୍କ ଅଭିଜ୍ଞତାକୁ ବି ଅଣଦେଖା କରାଯାଇ ନ ପାରେ। ଏପଟେ ଆଦିବାସୀ ଚେହେରା ଭାବେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ୍, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ, ପ୍ରୀତମ୍ ପାଢ଼ୀ ଓ ପ୍ରଫୁଲ୍ଲ ପାଙ୍ଗୀଙ୍କ ସମ୍ଭାବନା ବି କମ ନୁହେଁ। ଏମିତି ଅଧା ଡଜନରୁ ଅଧିକ ନେତା ବର୍ତ୍ତମାନ ଜିଲ୍ଲା ବିଜେଡି ସଭାପତି ରେସ୍‌ରେ। ଫଳରେ କେରାପୁଟ ଜିଲ୍ଲା ବିଜେଡି ରାଜନୀତି ଉଷ୍ମ ହୋଇଛି। ସଭାପତି ପଦ ତାଙ୍କର ବୋଲି ଏକାଧିକ ଗୋଷ୍ଠୀ ଜୋର ଦେଇ କହୁଥିବା ବେଳେ ସବୁ କିଛି ନିର୍ଭର କରୁଛି ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ।
ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ବିଜେଡିର ସାଙ୍ଗଠନିକ ନିର୍ବାଚନରେ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ପୂର୍ବତନ ବିଧାୟକ ରଘୁରାମ ପଡ଼ାଲଙ୍କୁ ଦଳ ଦାୟିତ୍ବ ଦେଇଛି। ପଞ୍ଚାୟତରୁ ଜିଲ୍ଲା ପରିଷଦ ଜୋନ୍‌, ବ୍ଲକ୍‌ ଓ ସହରାଞ୍ଚଳ ସଭାପତି ନିର୍ବାଚନ ହେବ। ଏହା ପରେ ହେବ ଜିଲ୍ଲା କମିଟି। ଏସବୁ ପ୍ରକ୍ରିୟା ରହିଥିବା ବେଳେ କିଏ ସଭାପତି ହେବ ତାକୁ ନେଇ ବିଜେଡି ରାଜନୀତି ଏବେ ସରଗରମ ହୋଇ ଉଠିଛି। ବିଜେଡି ନେତା ଏ ସଂପର୍କରେ ମୁହଁ ଖୋଲୁନଥିବା ବେଳେ ଭିତିରିଆ ଚର୍ଚ୍ଚା କିନ୍ତୁ ଜୋର।

Advertisment

ସୁପ୍ରିମୋଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

 ଦଳର ଭିତର ମହଲରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲା ସଂଗଠନ ପାଇଁ ନିର୍ବାଚନ ପ୍ରକ୍ରିୟା ଚାଲିଥିଲେ ମଧ୍ୟ ଏଥର ସିଧାସଳଖ ନିର୍ବାଚନ ହେବନି। ଉପରୁ ଯେଉଁ ନାମ ଆସିବ, ସେ ହିଁ ନାମାଙ୍କନପତ୍ର ଦାଖଲ କରିବେ। ଆଉ ବିନା ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେବେ। ତେଣୁ ଦଳର କିଛି ନେତା ହାଇକମାଣ୍ଡଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି। ବିଭିନ୍ନ ବାଟରେ ଶୀର୍ଷ ନେତାଙ୍କ ପାଖରେ ପହଞ୍ଚି ଲବି ଚଳାଇଛନ୍ତି। କିଛି ନେତା ସେମାନଙ୍କ ସମର୍ଥକଙ୍କୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନିକଟରେ ନିଜ ସପକ୍ଷରେ ଓକିଲାତି କରିଛନ୍ତି। ଉପରୁ କିନ୍ତୁ କାହାକୁ ସବୁଜ ସଙ୍କେତ ମିଳିନଥିବାରୁ ରାଜନୀତି ଅଧିକ ରୋଚକ ହେବାରେ ଲାଗିଛି। ଏହାରି ମଧ୍ୟରେ ଭକ୍ତ ଦାସ ପିସିସି ସଭାପତି ହେବା ପରେ ସମସ୍ତ ସଙ୍ଗଠନକୁ ଭାଙ୍ଗି ଦେଇଛନ୍ତି। କଂଗ୍ରେସ ବି ଜିଲ୍ଲା ସଭାପତି ବଦଳାଇବାର ସମ୍ଭାବନା ରହିଛି। ତେବେ ଏହାରି ମଧ୍ୟରେ ବିଜେପି ଆଦିବାସୀ କାର୍ଡ ଖେଳି ଶିବ ମୁଦୁଲିଙ୍କୁ ସଭାପତି କରି ସାରିଛି। ଏପରି ସ୍ଥିତିରେ ବିଜେଡି ଜଣେ ଆଦିବାସୀ ନେତାଙ୍କୁ ଦଳର ସଭାପତି କରିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ଦଳର ବହୁ ତୁଙ୍ଗ ନେତା କହୁଛନ୍ତି। ଅପରପକ୍ଷରେ ବିଜେଡି ୨୦୨୪ ନିର୍ବାଚନରେ କୋରାପୁଟର ସମସ୍ତ ବିଧାନସଭା ଆସନରେ ପରାଜିତ ହୋଇଥିବାରୁ ନୂଆ ମୁହଁକୁ ସୁଯୋଗ ମିଳିପାରେ। ୨୦୧୯ ନିର୍ବାଚନରେ ଈଶ୍ବରଙ୍କ ସାଙ୍ଗଠନିକ ଦକ୍ଷତା ବଳରେ ଦଳ ୪ଟି ବିଧାନସଭା ଆସନ ସହ ୨୦୨୨ ପଞ୍ଚାୟତ ନିର୍ବାଚନରେ ୧୬ଟି ଜିଲ୍ଲା ପରିଷଦ ପଦ ଜିତିଥିଲା। ଜୟପୁର ଆସନରୁ ରବି ନନ୍ଦ ଗତ ତିନୋଟି ନିର୍ବାଚନରେ ପରାଜିତ ହୋଇ ଆସୁଥିବାରୁ ଦଳ ସଭାପତି ପଦବିରେ ଥଇଥାନ କରିବା ନେଇ ଚର୍ଚ୍ଚା ଚାଲିଛି। ତେବେ ସୁପ୍ରିମୋ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର।