ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପରିପାଟ୍ଟୀ ଭକ୍ତଙ୍କ ମନରେ ଉତ୍କଣ୍ଠା ବଢ଼ାଇଛି। ଗାଁଠୁ ସହର, ସବୁଠି ପ୍ରକଳ୍ପର ରୂପରେଖକୁ ନେଇ ଚର୍ଚ୍ଚା। ଏହା ସାଙ୍ଗକୁ ଲୋକାର୍ପଣ ଉତ୍ସବ ପାଇଁ ସାଜସଜା ବି ଶ୍ରଦ୍ଧାଳୁଙ୍କ ଏହି ଆକର୍ଷଣକୁ ଦ୍ବିଗୁଣିତ କରି ଦେଇଛି। ଏଥିପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଯେଉଁମାନେ ଆସୁଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ ନ କରି ଫେରୁନାହାଁନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭକ୍ତଙ୍କୁ ଏଭଳି ଆଧ୍ୟାତ୍ମିକତାରେ ବାନ୍ଧି ରଖୁଛି ଯେ ଯେଉଁମାନେ ଥରେ ଦେଖୁଛନ୍ତି, ସେମାନେ ପୁଣିଥରେ ପ୍ରକଳ୍ପ ଦେଖିବାକୁ ଇଚ୍ଛା ରଖୁଛନ୍ତି। କେବଳ ନିଜେ ଇଚ୍ଛା ରଖୁନାହାଁନ୍ତି, ଅନ୍ୟମାନଙ୍କୁ ବି ଏହି ଦିବ୍ୟ ପ୍ରକଳ୍ପ ଦେଖିବାକୁ ବାଧ୍ୟ କରୁଛନ୍ତି। ଭକ୍ତମାନେ ବି ଲୋକାର୍ପଣ ଉତ୍ସବ ପାଇଁ ଚାଲିଥିବା ନାମ ସଂକୀର୍ତ୍ତନରେ ସାମିଲ୍‌ ହୋଇ ଭକ୍ତିରସରେ ଭିଜୁଛନ୍ତି। ଜୟ ଜଗନ୍ନାଥ ଧ୍ବନୀରେ ପ୍ରକମ୍ପିତ ହେଉଛି ଚାରିଦିଗ।

Advertisment

ସ୍ପଷ୍ଟ ଦୃଶ୍ୟମାନ ହେଉଛି ନୀଳଚକ୍ର ଦର୍ଶନ ଓ ଧ୍ବଜା ପରିବର୍ତ୍ତନ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପରିଧିରେ ଉଚ୍ଛେଦ ଓ ବିକାଶ କାର୍ଯ୍ୟ ପରେ ଏବେ ଭକ୍ତମାନେ ନିର୍ବିଘ୍ନରେ କରୁଛନ୍ତି ନୀଳଚକ୍ର ଦର୍ଶନ। ନୀଳଚକ୍ର ଧ୍ବଜା ପରିବର୍ତ୍ତନ ବି ବିନା ବାଧାରେ ଦେଖି ପାରୁଛନ୍ତି। ପୂର୍ବରୁ ମେଘନାଦ ପାଚେରି କଡ଼ରେ ଜବରଦଖଲ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସଂକୁଚିତ ଜାଗା କାରଣରୁ ପ୍ରତ୍ୟହ ଚୁନରା ସେବକଙ୍କ ଦ୍ବାରା ହେଉଥିବା ଧ୍ବଜା ପରିବର୍ତ୍ତନ ଦେଖିବା ସ୍ବପ୍ନ ପାଲଟୁଥିଲା। କେବଳ ଶ୍ରୀମନ୍ଦିର ଭିତର ବସିଲେ, ଭକ୍ତମାନେ ଧ୍ବଜା ପରିବର୍ତ୍ତନ ଦେଖିବାର ସୌଭାଗ୍ୟ ଅର୍ଜୁଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏହି ପ୍ରତିବନ୍ଧକ ହଟିଛି। ଶ୍ରୀମନ୍ଦିର ବାହାରେ ବି ବସି ଭକ୍ତମାନେ ନିର୍ବିଘ୍ନରେ ଧ୍ବଜା ପରିବର୍ତ୍ତନ ଦର୍ଶନ କରି ପାରୁଛନ୍ତି। ସେ ସିଂହଦ୍ବାର ହେଉ କି ଉତ୍ତରଦ୍ବାର, ପଶ୍ଚିମଦ୍ବାର କି ଦକ୍ଷିଣଦ୍ବାର, ସବୁ ଦ୍ବାରରୁ ଧ୍ବଜା ପରିବର୍ତ୍ତନ ଏବେ ସ୍ପଷ୍ଟ ଦିଶୁଛି। ଭକ୍ତ ବି ଏଭଳି ଦୁର୍ଲଭ ଦର୍ଶନ ପାଇଁ ଦିବ୍ୟତା ଅନୁଭବ କରିବା ସହ ଖୁସିବ୍ୟକ୍ତ କରି ଫେରୁଛନ୍ତି।