ଯିଏ ଦଳ ଛାଡ଼ିବାକୁ ଚାହୁଁଛନ୍ତି ଯାଆନ୍ତୁ: ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଲାଗିଥିବା କନ୍ଦଳ ଭିତରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । ତାଙ୍କ ପ୍ରତିକ୍ରିୟାରେ ସେ ବିଦ୍ରୋହୀ ନେତାଙ୍କୁ ସିଧା ସିଧା ବାହାରର ରାସ୍ତା ଦେଖାଇବା ସହିତ କହିଛନ୍ତି, ଯେଉଁମାନେ ଦଳ ଛାଡି ଚାଲିଯିବାକୁ ଚାହୁଁଛନ୍ତି ସେମାନେ ଯାଆନ୍ତୁ । ସେମାନେ ଗଲା ପରେ ବି ଅନେକ ଲୋକ ଆସି କଂଗ୍ରେସରେ ଯୋଗଦେବେ । ତେଣୁ ଯେଉଁମାନେ କଂଗ୍ରେସ ଛାଡ଼ି ଚାଲିଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦ୍ୱାର ସବୁବେଳେ ଖୋଲା ଅଛି ବୋଲି ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ଦଳର ମୂଳଦୁଆ କେହି ଜଣେ କି ଦୁଇ ଜଣ ବ୍ୟକ୍ତି ନୁହେଁ । କଂଗ୍ରେସ ସବୁବେଳେ ବିଚାର ଧାରାକୁ ନେଇ ଚାଲିଆସିଛି ଏବଂ ଚାଲିବ । ଯଦି ଦଳରେ କେହି ବିଶୃଙ୍ଖଳା କରନ୍ତି ତେବେ ଏହାକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି ।

କିଛି ଦିନ ତଳେ ରାଜ୍ୟ କଂଗ୍ରେସରେ ପୁଣି କନ୍ଦଳ ଦେଖିବାକୁ ମିଳିଥିଲା । ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ସିଧା ସିଧା ଦଳର ନେତା ତଥା ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏପରିକି ସେ ପିିସିସି ସଭାପତିଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ନିକଟରେ ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ନେଇ ଦଳର ଯେଉଁ ରଣନୀତି ବୈଠକ ହୋଇଥିଲା, ସେଥିରେ ମଧ୍ୟ ବିଧାୟକ ତାରା ପ୍ରସାଦ ବାହିନୀପତି କିମ୍ବା ତାଙ୍କ ପତ୍ନୀ ତଥା କୋରାପୁଟ ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତି ଯୋଗ ଦେଇନଥିଲେ, ଯାହାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧିତ ଖବର