ଅପପୁଷ୍ଟିର ଶିକାର ମା’ଛେଉଣ୍ଡ ଶିଶୁ: ଚିକିତ୍ସା ପାଇଁ ପଠାଗଲା ବ୍ରହ୍ମପୁର, ବ୍ରାହାଗାଡ଼ା ଗାଁରେ ପହଞ୍ଚିଲେ ଉପଜିଲ୍ଲାପାଳ

ଚନ୍ଦ୍ରପୁର: ରାୟଗଡ଼ା ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଚିତ ଚନ୍ଦ୍ରପୁର ବ୍ଲକ ବୁଡ଼ୁବାଲି ପଞ୍ଚାୟତର ବ୍ରାହାଗାଡ଼ା ଗ୍ରାମର ଜଣେ ୬ମାସର ମା’ ଛେଉଣ୍ଡ ଶିଶୁପୁତ୍ର ଅପପୁଷ୍ଟିର ଶିକାର ହୋଇଛନ୍ତି। ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଓ ଯତ୍ନ ଅଭାବରୁ ଶିଶୁଟିର ଗୋଡ଼ ଓ ହାତ ସରୁ ହୋଇଯିବା ସହିତ ମୁଣ୍ଡଟି ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ଗତକାଲି ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀଦଳ ବ୍ରାହାଗାଡ଼ା ଗ୍ରାମରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିବା ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛି। ଖବର ପାଇ ରବିବାର ଗୁଣପୁର ଉପଜିଲ୍ଲାପାଳ, ଚନ୍ଦ୍ରପୁର ବିଡିଓ, ବିପିଏମ, ଏମଓ ପ୍ରମୁଖ ଗାଁରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଅଙ୍ଗନବାଡି କେନ୍ଦ୍ରକୁ ଯାଇ ପୁଷ୍ଟିକର ଖାଦ୍ୟ ସଂପର୍କରେ ପଚାରି ବୁଝିବା ସହିତ ପୁଷ୍ଟି ବଗିଚା ବୁଲି ଦେଖିଥିଲେ। ରବିବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ଏକ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ସମସ୍ତ ଶିଶୁଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି।

ସୂଚନା ଅନୁଯାୟୀ, ବ୍ରାହାଗାଡ଼ା ଗ୍ରାମର ରେଟିଙ୍ଗା ଗୁଲୁଡ଼ୁକା ଫୁଲବାଣୀ ଅଞ୍ଚଳର ରୀତାଙ୍କୁ ଗତ କିଛି ବର୍ଷ ତଳେ ବିବାହ କରିଥିଲେ। ରୀତା ଗର୍ଭବତୀ ଥିବାରୁ ଗତ କିଛି ମାସ ତଳେ ନିଜ ବାପ ଘରକୁ ଯାଇଥିଲେ। ଗତ ଅଗଷ୍ଟ ୧୩ତାରିଖରେ ଫୁଲବାଣୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୀତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ହେବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା। କିନ୍ତୁ ପ୍ରସବ ପରେ ରୀତାଙ୍କ ସ୍ବାସ୍ଥ୍ୟ ଖରାପ ହେବା ସହିତ ଏହାର ମାତ୍ର ୬ଦିନ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ନିଜ ପୁଅକୁ ଧରି ରେଟିଙ୍ଗା ନିଜ ଘରକୁ ଫେରି ଆସିଥିଲେ। ମା’ର ମୃତ୍ୟୁ ହେବା ପରେ ନବଜାତ ଶିଶୁର ଦାୟିତ୍ବ ପଡ଼ିଥିଲା ରେଟିଙ୍ଗାଙ୍କ ମା’ ଉପରେ। ତେବେ ଶିଶୁପୁତ୍ରକୁ ଉପଯୁକ୍ତ ଖାଦ୍ୟ ଦେବା ଜେଜେମା’ଙ୍କ ପକ୍ଷରେ ସମ୍ଭବ ନଥିଲା। ଅନ୍ୟପଟେ ଉପଯୁକ୍ତ ଖାଦ୍ୟ ଓ ଯତ୍ନ ଅଭାବରୁ ଶିଶୁଟି ଅପପୁଷ୍ଟିର ଶିକାର ହୋଇଥିଲା। ଶିଶୁଟିର ଗୋଡ଼ ଓ ହାତ ସରୁ ହେବା ସହିତ ମୁଣ୍ଡଟି ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାକୁ ଲାଗିଲା। ଏନେଇ ଖବର ପାଇବା ପରେ ଗତ ୨୭ତାରିଖରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଶିଶୁକୁ ଚିକିତ୍ସା ପାଇଁ ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଶିଶୁକୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୋଟିଏ ଦିନ ଚିକିତ୍ସା କରାଯିବା ପରେ ଶିଶୁକୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ଆର୍ଥିକ ସ୍ଥିତି ଭଲ ନଥିବାରୁ ରେଟିଙ୍ଗା ନିଜ ପୁଅକୁ ଘରକୁ ଫେରାଇ ନେଇଥିଲେ।

ଅର୍ଥ ଅଭାବରୁ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁର ଚିକିତ୍ସା ହୋଇପାରୁନଥିବା ଖବର ପାଇ ଗତକାଲି ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଡାକ୍ତରୀ ଦଳ ବ୍ରାହାଗାଡ଼ା ଗ୍ରାମରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା କରାଇଥିଲେ। ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ପରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଦୁଇ ଜଣ ସଂପର୍କୀୟଙ୍କ ସହିତ ଶିଶୁଟିକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଯାଇଥିଲା। ଅନ୍ୟପଟେ ଆଜି ଗୁଣପୁର ଉପଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଧୋର, ଚନ୍ଦ୍ରପୁର ବିଡିଓ ଜର୍ଜ ଡୁଙ୍ଗ୍‌ଡୁଙ୍ଗ୍‌, ଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ସାଲୁଙ୍କି ଚରଣ ମୂର୍ତି ଓ ବିପିଏମ ଭି.ଭି ସନ୍ତୋଷ ପ୍ରମୁଖଙ୍କ ସମେତ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ପ୍ରଥମେ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରକୁ ଯାଇ ହେଲପର୍‌ଙ୍କୁ ରନ୍ଧା ଖାଦ୍ୟ, ଛତୁଆ ଓ ଅଣ୍ଡା ବଣ୍ଟନ ସଂପର୍କରେ ପଚାରି ବୁଝିଥିଲେ। ଏଥିସହ ପୁଷ୍ଟି ବଗିଚା ବୁଲି ଦେଖିଥିଲେ। ଏହି ଅବସରରେ ଗ୍ରାମର ପାନୀୟ ଜଳ, ବିଦ୍ୟୁତ ଭଳି ସମସ୍ୟା ସଂପର୍କରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ସ୍ବାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏ ସଂପର୍କରେ ଆଇସିଡିଏସ ସୁପରଭାଇଜର ଚନ୍ଦ୍ରମା ମାଳ ବିଶୋଇଙ୍କୁ ପଚାରିବାରୁ ଶିଶୁଙ୍କୁ ୭ମାସ ହେବା ପରେ ହିଁ ଛତୁଆ ଓ ଅଣ୍ଡା ଦିଆଯାଇ ପାରିବ ବୋଲିକହିଛନ୍ତି। ମା’ କ୍ଷୀରର ଅଭାବ ଯୋଗୁଁ ଏହି ଶିଶୁଟିର ଏଭଳିଅବସ୍ଥା ହୋଇଥିବା ମଧ୍ୟ ସେ କହିଛନ୍ତି। ଅପପୁଷ୍ଟିରେ ଶିକାର ହୋଇଥିବାରୁ ଶିଶୁଟିକୁ କୋରାପୁଟ ପଠାଯାଇଥିଲା। କିନ୍ତୁ ଶିଶୁର ଲାଳନପାଳନ ପାଇଁ କେହି ନଥିବାରୁ ତାଙ୍କ ବାପା ନିଜ ଘରକୁ ନେଇ ଚାଲି ଯାଇଥିଲେ ବୋଲି ଚନ୍ଦ୍ରପୁର ଦାୟିତ୍ବରେ ଥିବା ସିଡିପିଓ ମୀନାକ୍ଷୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର