ଭୁବନେଶ୍ୱର: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ତଥା କୃଷି ଓ କୃଷକ ମଙ୍ଗଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ କୃଷକ ସମ୍ମାନ ନିଧି ହିତାଧିକାରୀଙ୍କ ସହିତ ଭାବବିନିମୟ କରିଛନ୍ତି। ପ୍ରାୟ ୧୦ କୋଟି ହିତାଧିକାରୀଙ୍କୁ ଏକାଦଶ କିସ୍ତି ଭାବରେ ପ୍ରତ୍ୟେକଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଜନ ମଙ୍ଗଳ କାର୍ଯ୍ୟକ୍ରମଗୁଡ଼ିକ ଜନସାଧାରଣଙ୍କ ଜୀବନଶୈଳୀକୁ କିପରି ସରଳ କରିଛି ତାହା କହିଥିଲେ। ଗରିବମାନଙ୍କର ଉନ୍ନତିକଳ୍ପେ ପ୍ରଧାନମନ୍ତ୍ରୀଙ୍କ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେଉଥିବାରୁ ଏହି କାର୍ଯ୍ୟକ୍ରମର ନାମ ଗରିବ କଲ୍ୟାଣ ସମ୍ମେଳନ ରଖାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଗରିବକଲ୍ୟାଣ ନିମନ୍ତେ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।
କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା ଏବଂ ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ରର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୨୦୦ କୃଷକ ଯୋଗଥିବାବେଳେ ଶତାଧିକ ଲୋକ ସାମାଜିକ ଗଣମାଧ୍ୟମ ଯଥା ଫେସ୍ବୁକ୍, ଟ୍ୟୁଟର, ୟୁଟ୍ୟୁବ୍, ଇନ୍ଷ୍ଟାଗ୍ରାମ୍ ମାଧ୍ୟମରେ ଦେଖିଥିଲେ। ସାରା ଦେଶର କୃଷକମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଆବାସ, ପାନୀୟଜଳ, ଖାଦ୍ୟ, ସ୍ୱାସ୍ଥ୍ୟ ଓ ପୁଷ୍ଟି, ଜୀବିକା ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ଜନକଲ୍ୟାଣ ଯୋଜନାଗୁଡ଼ିକ ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା, ପୋଷଣ ଅଭିଯାନ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଦିର ସୁବିଧା ନେବା ପାଇଁ ହିତାଧିକାରୀଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ସିମଳାଠାରେ ହିତାଧିକାରୀଙ୍କ ସହ ଭାବବିନିମୟ କରିବା ପରେ ଦେଶର ଅନ୍ୟାନ୍ୟ କୃଷକଙ୍କ ସହିତ ଭାବବିନିମୟ କରିଥିଲେ। କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥା (ସିଫା) ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟି ଦିନ ୧୧ଟା ବେଳେ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସହିତ ଜାତୀୟ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲା। ଏହି କାର୍ଯ୍ୟକ୍ରମକୁ କେଭିକେ ଖୋର୍ଦ୍ଧାର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଅଜୟ କୁମାର ଦାଶ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sf5h4sf65h4f654hf654fhs65h.jpg)