ମେଟ୍ରୋ ଟ୍ରେନ୍‌ ପାଇଁ ଡିପିଆର୍‌ ପ୍ରସ୍ତୁତ କରନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର : ଭୁବନେଶ୍ବର ଓ କଟକ ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ବିଜେଡି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରିଥିଲା। ରାଜ୍ୟପାଳ ବି ବିଧାନସଭାରେ ଏନେଇ ରାଜ୍ୟ ସରକାରଙ୍କ ଯୋଜନା ଥିବା କହିଥିଲେ। ହେଲେ ତିନି ବର୍ଷ ପରେ ଏନେଇ ରାଜ୍ୟ ସରକାର କିଛି ପଦକ୍ଷେପ ନେଇନଥିବାବେଳେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ଡିପିଆର୍‌ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଚିଠି ଲେଖିଛନ୍ତି ଯେ, ଦେଶର ଅନ୍ୟତମ ଯୋଜନାବଦ୍ଧ ସହର ଭୁବନେଶ୍ବର ୪୨୨ ବର୍ଗକିମିରେ ବ୍ୟାପ୍ତ ଥିବାବେଳେ ଏଠାରେ ଏବେ ପ୍ରାୟ ୧୨ଲକ୍ଷରୁ ଅଧିକ ଲୋକ ବାସ କରୁଛନ୍ତି। ଏଠାରେ ବହୁ ମନ୍ଦିର, ହସ୍ପିଟାଲ, ବିଶ୍ବବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଏବଂ ଅନ୍ୟ ପର୍ଯ୍ୟଟନସ୍ଥଳୀ ଅଛି। ଭୁବନେଶ୍ବରରୁ ୨୫କିମି ଦୂରରେ ଥିବା କଟକରେ ଏବେ ପ୍ରାୟ ୧୦ଲକ୍ଷ ଲୋକ ରହୁଛନ୍ତି। ଏଠାରେ ପ୍ରସିଦ୍ଧ ସଂଗ୍ରହାଳୟ, ଦୁର୍ଗ, ବନ୍ୟପ୍ରାଣୀ ଅଭୟାରଣ୍ୟ, ଶିକ୍ଷାନୁଷ୍ଠାନ ଓ ମନ୍ଦିର ଆଦି ରହିଛି। ଏହିଭଳି ଭାବେ ଦ୍ବୈତ ନଗରୀରେ ପ୍ରାୟ ୨୨ଲକ୍ଷ ଲୋକ ବାସ କରୁଛନ୍ତି। ଦୁଇ ସହର ଦ୍ରୁତ ଗତିରେ ସମ୍ପ୍ରସାରଣ ହେଉଥିବାବେଳେ ମହାନଗର ନିଗମ ଅଞ୍ଚଳ ବାଦ୍‌ ଥିବା ଅଞ୍ଚଳକୁ ମିଶାଇଲେ ଦୁଇ ସହରରେ ପ୍ରାୟ ୩୦ଲକ୍ଷ ଲୋକ ରହୁଛନ୍ତି। ରାଜ୍ୟର ଏହି ଦୁଇ ପ୍ରମୁଖ ସହରରେ ଏବେ ସୁଦ୍ଧା ମାସ୍‌ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍‌ (ଏମ୍‌ଆର୍‌ଟିଏସ୍‌) ନାହିଁ।

ମେଟ୍ରୋ ରେଲ୍‌ ନୀତି, ୨୦୧୭ ଅନୁଯାୟୀ ଯେଉଁ ସହରରେ ୨୦ଲକ୍ଷରୁ ଅଧିକ ଲୋକ ରହୁଥିବେ ସେଠାରେ ମେଟ୍ରୋ ରେଳ ଚଳାଚଳ ନେଇ ଯୋଜନା କରିହେବ। ଆଗାମୀ ୪ରୁ ୫ବର୍ଷ ମଧ୍ୟରେ ଭୁବନେଶ୍ବର ଜନସଂଖ୍ୟା ୨୦ଲକ୍ଷ ଟପିବାର ସମ୍ଭାବନା ଅଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଦୁଇ ସହରରେ ୨୦ଲକ୍ଷରୁ ଅଧିକ ଲୋକ ରହୁଥିବାରୁ ଏହାକୁ ନଜରରେ ରଖି ଏଠାରେ ମେଟ୍ରୋ ଟ୍ରେନ୍ ଯୋଜନା କରାଯାଇପାରିବ। ପର୍ଯ୍ୟାୟକ୍ରମେ ଦୁଇ ସହରରେ ‌ମେଟ୍ରୋ ଟ୍ରେନ୍ ଚଳାଇବାକୁ ଯୋଜନା କରି ପ୍ରଥମେ ଭୁବନେଶ୍ବରରେ ଏହାକୁ ଚଲାଯାଇପାରିବ। ମେଟ୍ରୋ ନୀତି ୨୦୧୭ ଅନୁଯାୟୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦:୫୦ ଭାଗିଦାରୀରେ ମେଟ୍ରୋ ପ୍ରକଳ୍ପ କରିପାରିବେ। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଦୁଇ ସହର‌ ମଧ୍ୟରେ କେବଳ ଯାତାୟତ ବୃଦ୍ଧି ପାଇବନି ବରଂ ବାଣିଜ୍ୟିକ କାର୍ଯ୍ୟକଳାପ ବଢ଼ିବ।

ହେଲେ ଏହି ପ୍ରକଳ୍ପ ପାଇଁ ପ୍ରଥମେ ଡିପିଆର୍‌ ପ୍ରସ୍ତୁତ ହେବା ଦରକାର। ଡିପିଆର୍‌ ପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ୫୦% ଆର୍ଥିକ ସହାୟତା ଦେଉଥିବାରୁ ଆପଣ ବିଭାଗୀୟ ଅଧିକାରୀଙ୍କୁ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଅନ୍ତୁ। ଏହା ଯଥା ସମ୍ଭବ ଶୀଘ୍ର ହେବା ଦରକାର ବୋଲି ଅପରାଜିତା ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାର ଏନେଇ ଏକ ବିସ୍ତୃତ ପ୍ରସ୍ତାବ ପଠାଇବେ ବୋଲି ଆଶା କରି ଅପରାଜିତା ଆଜି ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ଯେ, ଭୁବନେଶ୍ବରରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପହଞ୍ଚିଲେ ଏହାକୁ ବିଚାରକୁ ନେବେ।

ସମ୍ବନ୍ଧିତ ଖବର