ଭୁବନେଶ୍ବର: ଭୁବନେଶ୍ବରରୁ ନବନିର୍ବାଚିତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଅପରାହ୍ନରେ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏହି ସାକ୍ଷାତ ହୋଇଥିଲା। ସେଠାରୁ ଫେରିଲା ପରେ ଗଣମାଧ୍ୟମକୁ ଅପରାଜିତା କହିଥିଲେ, ଏହି ସାକ୍ଷାତ ଆଲୋଚନା ସମ୍ପୂର୍ଣ୍ଣ ସକରାତ୍ମକ ଥିଲା। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲି। ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ଏଠାକାର ସାଂସଦ ଭାବେ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାଶ ସହଯୋଗ ଯୋଗାଇ ଦେବି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛି। ବିକାଶର କୌଣସି ଦଳ ନ ଥାଏ। ଭୁବନେଶ୍ବରର ବିକାଶ ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ପଡ଼ିବ।
ମୁଖ୍ୟମନ୍ତ୍ରୀଙ୍କ ସହ ଅପରାଜିତା ମାତ୍ର ୫ ମିନିଟ୍ ଆଲୋଚନା କରିଥିଲେ ବି ପାୱାର୍ କରିଡର୍ରେ ତାହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କାରଣ ରାଜ୍ୟ ସରକାରଙ୍କ ବାରମ୍ବାର ବଦଳିରେ ଅତିଷ୍ଠ ହୋଇ ଓ ତୃତୀୟ ମହଲା ସହ ଭଲ ସମ୍ପର୍କ ନ ଥିବା କାରଣରୁ ୨୦୧୩ ମସିହାରେ ଅପରାଜିତା କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିବା ନେଇ ସେତେବେଳେ ଆଲୋଚନା ଜୋର୍ ହୋଇଥିଲା। ୨୦୧୮ରେ ତାଙ୍କ ଡେପୁଟେସନ୍ ଅବଧି ସରିଥିଲେ ବି ସେ ଆଉ ଓଡ଼ିଶା ଫେରି ନ ଥିଲେ। ସ୍ବେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇ ସେ ବିଜେପିରେ ଯୋଗ ଦେଲେ ଓ ପରବର୍ତ୍ତୀ ସମୟରେ ଭୁବନେଶ୍ବରରୁ ପ୍ରାର୍ଥୀ ହୋଇ ଜିତିଥିଲେ। ଦୀର୍ଘ ଦିନ ସଚିବ ଭାବେ ସଚିବାଳୟରେ କାର୍ଯ୍ୟ କରୁଥିବା ଅପରାଜିତା ଆଜି ଲୋକ ପ୍ରତିନିଧି ଭାବେ ପ୍ରଥମ ଥର ସଚିବାଳୟ ଆସିଥିଲେ। ପୁଣି ସିଧା ତୃତୀୟ ମହଲା ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହା ଆଜି ପାୱାର୍ କରିଡର୍ରେ ଆଲୋଚନାକୁ ଖୋରାକ ଯୋଗାଇଥିଲା। ସଚିବ ଭାବେ ରାଜ୍ୟ ସରକାରଙ୍କ ସହ ତିକ୍ତ ସମ୍ପର୍କ ଥିଲା ବେଳେ ରାଜନେତା ଭାବେ ତାଙ୍କର ତାଳମେଳ କିପରି ରହିବ, ତାହା ଆଗକୁ ଜଣାପଡ଼ିବ।