ଅପରାଜିତାଙ୍କୁ ସ୍ୱାଦିଷ୍ଟ ବାଇସ୍କୋପ୍‌ ଆଓ୍ଵାର୍ଡ

କଟକ : ଓଡ଼ିଆ ସିନେମାର ଲୋକପି୍ରୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଚଳିତବର୍ଷର ସମ୍ମାନଜନକ ସ୍ୱାଦିଷ୍ଟ ବାଇସ୍କୋପ ଆଓ୍ଵାର୍ଡ ପ୍ରଦାନ କରାଯାଇଛି। ହୋମ୍‌ ଭିଡିଓ ଏଣ୍ଟରଟେନ୍‌ମେଣ୍ଟ ପକ୍ଷରୁ ସହିଦଭବନରେ ଆୟୋଜିତ ଭବ୍ୟ ସମାରୋହରେ ଚୁଲ୍‌ବୁଲି ନାୟିକା ଅପରାଜିତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନସ୍ୱରୂପ ଏକ ରୌପ୍ୟନିର୍ମିତ ବାଇସ୍କୋପ ଓ ୨୫ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଓଡ଼ିଆ ସିନେମା ପାଇଁ ୩୫ବର୍ଷ ଧରି ସମର୍ପିତ ଭାବେ କାର୍ଯ୍ୟ କରିଥିବାରୁ ଅଭିନେତ୍ରୀ ଅପରାଜିତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ହୋମ୍‌ ଭିଡିଓ ଏଣ୍ଟରଟେନ୍‌ମେଣ୍ଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ବାପୁ ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ ୧୪ତମ ସ୍ୱାଦିଷ୍ଟ ବାଇସ୍କୋପ୍‌ ଆଓ୍ଵାର୍ଡ ସମାରୋହରେ ମୁଖ୍ୟ ଅତିଥି ଭାବେ ଗଙ୍ଗାଧର ମେହେର ମହାବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରଧ୍ୟାପିକା ତଥା ଅପରାଜିତାଙ୍କ ବଡ଼ଭଉଣୀ ଡକ୍ଟର ସ୍ମିତା ଦେବୀ, ସମ୍ମାନିତ ଅତିଥି ଭାବେ ସ୍ୱାଦିଷ୍ଟ ମସଲା ପରିଚାଳନା ନିର୍ଦ୍ଦେଶକ ସନ୍ଦିପ୍‌ ଅଗ୍ରଓ୍ଵାଲ୍‌, ଅଭିନେତା ସ୍ୱରଜ, ଅଶୋକ ମହାନ୍ତି, ଅଭିନେତା ବାବୁସାନ୍‌ ଯୋଗ ଦେଇଥିଲେ। ସମାରୋହରେ ଅପରାଜିତାଙ୍କ ସଂପୂର୍ଣ୍ଣ ଜୀବନୀ ଆଧାରିତ ଏକ ସ୍କ୍ରିନ୍‌ ଓ ଲାଇଭ୍‌ ସୋ’ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ଶିଳ୍ପୀ ଅଶୋକ ଦ୍ୱାରା ଅପରାଜିତାଙ୍କ ପ୍ରତିକୃତି ଅଙ୍କନ, ଇଶ୍ୱର ପାତ୍ରଙ୍କ ଚିତ୍ତାକର୍ଷକ କଣ୍ଢେଇ ଖେଳ ଓ ରଙ୍ଗାରଙ୍ଗ ନୃତ୍ୟସଂଗୀତ କାର୍ଯ୍ୟକ୍ରମ ଉତ୍ସବରେ ଉଷ୍ମତା ଭରିଥିଲା। ବିଶିଷ୍ଟ ଉପସ୍ଥାପକ ବିଜୟ ମଲ୍ଲ ମଞ୍ଚ ସଂଯୋଜନା କରିଥିବା ବେଳେ ଉତ୍ସବରେ ବହୁ ଅଭିନେତା, ଅଭିନେତ୍ରୀ, ସାହିତ୍ୟିକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର