ସାଂସଦ ଅନୁଭବଙ୍କ ଟୁଇଟର ଜବାବ ରଖି ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ ବୋଲି କହିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ

ନୂଆଦିଲ୍ଲୀ: ଆଜି ବିଜେଡି ସାଂସଦମାନେ କେନ୍ଦ୍ର ସଂସଦୀୟବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଷୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ। ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ଲାଗି କାର୍ଯ୍ୟକ୍ରମ ଥିବା ବେଳେ ସେ ଅନୁପସ୍ଥିତ ଥିବାରୁ ସଂସଦୀୟବ୍ୟାପାରମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଦାବି ଜଣାଇଥିଲେ। ଏ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡ଼କାଯାଇଥିଲେ ମଧ୍ୟ ସେ ଯିବା ପାଇଁ ମନା କରିଦେଇଥିଲେ, ଯାହାକୁ ନେଇ ଟୁଇଟ କରିଥିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ଏବେ ଅନୁଭବଙ୍କ ଟୁଇଟର ଜବାବ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ।

କିଛି ଘଣ୍ଟା ତଳେ ବିଜେଡି ସାଂସଦ ଅନୁଭବ ଟୁଇଟ କରିଥିଲେ ଯେ, ବ୍ୟକ୍ତିଗତ ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଆମ ସହିତ ମନ୍ତ୍ରୀ ପ୍ରହଲାଦ ଯୋଷୀଙ୍କୁ ଭେଟିବା ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ସେ ସିଧା ସିଧା ମନା କରିଦେଇଥିଲେ। ଓଡିଶାର ସମ୍ମାନ ଏବଂ ଆଧ୍ୟାତ୍ମିକ ଭାବନା ସମ୍ବନ୍ଧୀୟ ଏକ ଅଣ-ରାଜନୈତିକ ପ୍ରସଙ୍ଗରେ ଓଡ଼ିଶା ବିଜେପିର ଅସହଯୋଗ ଦୁଃଖଦାୟକ ବୋଲି ମତ ରଖିଥିଲେ ଅନୁଭବ।

ଏହାର ଜବାବ ‌ରଖି ଏବେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟୁଇଟ କରିଛନ୍ତି, ବିନା କାରଣରେ କିଛି ହୁଏ ନାହିଁ। ମୁଁ ଉପଯୁକ୍ତ ସମୟରେ ମତ ରଖିବି । ଦୟାକରି ଅପେକ୍ଷା କରନ୍ତୁ ଏବଂ ଦେଖନ୍ତୁ।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ଲାଗି ଉଦ୍ଦିଷ୍ଟ  ବାଇ ଲ’ ପ୍ରତ୍ୟାହାର କରାଯିବା ପରେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ହଟାଇବାକୁ ଦିଲ୍ଲୀରେ ଦାବି ହୋଇଛି। ଭୁବନେଶ୍ୱରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଅଞ୍ଚଳ ଲାଗି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ପାଇଁ ଦାବି ଜୋରଦାର ହୋଇଛି । ଏ ନେଇ ଭୁବନେଶ୍ୱରରେ ଓଡ଼ିଶା ମନ୍ଦିର ସେବାୟତ ସଂଘର ପ୍ରତିବାଦ ଜାରି ରହିଥିବା ବେଳେ ଆଜି ଦିଲ୍ଲୀରେ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର