ପଚାରିଲେ, ବିଜେଡି ଅଫିସ କେବେ ସିଲ୍ ହେବ?
ପୁଣି ସାମାଜିକ ଦୂରତା ନିୟମ ଭାଙ୍ଗିଲେ ସମର୍ଥକ
ଭୁବନେଶ୍ୱର : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ ସିଲ୍ ହେବା ପରେ ସେ ସିଧା ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ସିଲ୍ ହୋଇଥିବା କାର୍ଯ୍ୟାଳୟ ବାହାରେ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡି ନେତାମାନେ କିପରି କୋଭିଡ୍ ନିୟମ ଉଲ୍ଲଂଘନ କରୁଛନ୍ତି, ତାହାର କିଛି ଫଟୋ ଓ ଭିଡିଓ ଦେଖାଇଥିଲେ। ସିଧା ପ୍ରଶ୍ନ କରିଥିଲେ, ବିଜେଡିର ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ଅଧିକାଂଶ କାର୍ଯ୍ୟକ୍ରମରେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ନେତାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ? ବିଜେଡି ଅଫିସ କେବେ ସିଲ୍ ହେବ?
ଏହି ଅବସରରେ କଡ଼ା ପ୍ରତିକ୍ରିୟା ରଖି ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଥିଲେ ଯେ କୋଭିଡ୍ ନିୟମ ଉଲ୍ଲଂଘନ ପାଇଁ ତାଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ଆସନ୍ତା ଦୁଇ ଦିନ ମଧ୍ୟରେ ମୁଁ ବିଜେଡି ନେତାଙ୍କ କୋଭିଡ୍ ନିୟମ ଉଲ୍ଲଂଘନ ନେଇ ୧୭ଟି ଫଟୋ ଓ ଏକ ଭିଡିଓ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି। ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ପ୍ରମାଣ ଦେବି ସେ ତା’ ଉପରେ ନିରପେକ୍ଷ ଭାବେ ବିଚାର କରି କି ପଦକ୍ଷେପ ନେଉଛନ୍ତି ଦେଖିବି ଏବଂ ୧୬ଦିନ ପରେ ସାମ୍ବାଦିକ ସମ୍ମିଳନୀ କରି ଜଣାଇବି। ସେହିପରି ମୋ ଅଫିସ୍ ଖୋଲିବା ପର୍ଯ୍ୟନ୍ତ ମୁଁ ରାସ୍ତାରେ ବସି ଲୋକଙ୍କ ସମସ୍ୟା ଶୁଣିବି।
ନିଜ ଜନ୍ମଦିନ ଉତ୍ସବରେ କୋଭିଡ ନିୟମ ଉଲ୍ଲଂଘନ ନେଇ ଅପରାଜିତା କିନ୍ତୁ ଦୁଃଖ ପ୍ରକାଶ କରି ନ ଥିଲେ କି ଭୁଲ୍ ମାଗି ନ ଥିଲେ। କହିଥିଲେ, ମୁଁ ଭାବନାତ୍ମକ ହୋଇ ମାସ୍କ ଖୋଲିଥିଲି। କିଛି ସମୟ ପରେ ପୁଣି ମାସ୍କ ପିନ୍ଧିଥିଲି।
ତେବେ ସାଂସଦ ଅପରାଜିତାଙ୍କ ପଳାସପଲ୍ଲୀ ସ୍ଥିତ କାର୍ଯ୍ୟାଳୟ ସାମ୍ନାରେ ସାମ୍ବାଦିକ ସମ୍ମିଳନୀ ଚାଲିଥିବା ବେଳେ ଆଜି ମଧ୍ୟ ତାଙ୍କ ସମର୍ଥକମାନେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଦେଖାଯାଇଥିଲା। ଶତାଧିକ ସମର୍ଥକ ମଧ୍ୟରୁ ଅଧିକାଂଶ ମାସ୍କ ପିନ୍ଧିଥିଲେ ହେଁ ସାମାଜିକ ଦୂରତା ନିୟମ ମାନି ନ ଥିଲେ।
ଅପରାଜିତାଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଯେ ଅଫିସ ସିଲ୍ କରିବା ହେଉଛି ସମ୍ପୂର୍ଣ୍ଣ ପ୍ରଶାସନିକ ନିଷ୍ପତ୍ତି ଏବଂ ଏ ସଂକ୍ରାନ୍ତରେ ବିଜେଡି କୌଣସି ମତାମତ ଦେବାକୁ ଚାହେଁ ନାହିଁ। ସାଧାରଣ ଲୋକଙ୍କ ଧନ ଜୀବନର ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅତୀତରେ ଅନେକ କୋଠା ଓ ହୋଟେଲ୍କୁ ସିଲ୍ କରାଯାଇଛି। ଆବଶ୍ୟକ ପଡ଼ିଲେ ଆହୁରି ଅନେକ କୋଠା ଓ ହୋଟେଲ ସିଲ୍ ହେବ। ବିଜେପି, ବିଜେଡି, କଂଗ୍ରେସ କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳକୁ ଦେଖି କରୋନା ସଂକ୍ରମିତ କରେ ନାହିଁ। ଏହା ହେଉଛି ମାନବିକତା ପ୍ରଶ୍ନ। ତେଣୁ ଆମେ ସମସ୍ତେ କୋଭିଡ୍ ନିୟମ ମାନି ଏହି ମହାମାରୀ ବିରୋଧରେ ଏକଜୁଟ୍ ହୋଇ ଲଢ଼େଇ କରିବାର ଅଛି।