ବିଜେଡି ଅଫିସ୍ ସିଲ୍ ହେବ କେବେ ? ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କଲେ ସାଂସଦ ଅପରାଜିତା

ଅପରାଜିତାଙ୍କ ଅଫିସ୍ ସିଲ୍ ଏକ ପ୍ରଶାସନିକ ନିଷ୍ପତ୍ତି : ବିଜେଡି

ଭୁ‌ବ‌ନେଶ୍ବର: ରାଜ୍ୟ ସରକାର କୋଡିଡ୍ ଆଇନ ଉଲ୍ଲଂଘନ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ଅଫିସ୍ ସିଲ୍ କରିବା ପରେ  ବିଜେଡି ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ସେ। ପ୍ରମାଣ ସ୍ବରୂପ ୧୭ଟି ଫଟୋ ଓ ଗୋଟିଏ ଭିଡ଼ିଓ ଦେଖାଇ ବିଜେଡିର କର୍ମୀ ଓ ନେତା କିଭଳି କୋଭିଡ ନିୟମ ଉଲ୍ଲଂଘନ କରିଛନ୍ତି ତାହା ସାମ୍ବାଦିକ ସମ୍ମଳନୀରେ ସାମ୍ନାକୁ ଆଣିଛନ୍ତି ଅପରାଜିତା । ବିଜେଡିର ଦଳୀୟ କାର୍ଯ୍ୟାଳୟରେ ହୋଇଥିବା ଅଧିକାଂଶ କାର୍ଯ୍ୟକ୍ରମରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ନେତାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଓ ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ଖୋଲାଖୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ । ଏଥିସହ ସେ କହିଥିଲେ ନିୟମ ଦୁଇଟି ନ ହେଉ। ମୋ ପାଇଁ ଗୋଟିଏ, ସେମାନଙ୍କ ପାଇଁ ଗୋଟିଏ। ପାତରଅନ୍ତର ନୀତି ଅବଲମ୍ବନ କରା ନଯାଉ।

ବିଜେଡି ନେତାଙ୍କ କୋଭିଡ୍ ନିୟମ ଉଲ୍ଲଂଘନ ନେଇ ଆସନ୍ତା ୨ ଦିନ ମଧ୍ୟରେ ଫଟୋ ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବି ବୋଲି କହିଛନ୍ତି ଅପରାଜିତା । କୋଭିଡ ନିୟମ ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ସବୁଠୁ ବଡ କଥା ହେଲା, ଯେଉଁ ଭିଡ଼ିଓକୁ ନେଇ ଅପରାଜିତାଙ୍କ ଅଫିସ ସିଲ୍ କରାଯାଇଛି ସେ ନେଇ ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି । ଜନ୍ମଦିନ ଭିଡ଼ିଓରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିବା କଥାକୁ ଖୋଲାଖୋଲି ସ୍ୱୀକାର ନ କରି ପରୋକ୍ଷରେ ଏହି ସମୟରେ ଭାବନାତ୍ମକ ହୋଇ ମାସ୍କ ଖୋଲିଥିଲି ବୋଲି କହିଛନ୍ତି ଅପରାଜିତା । ତେବେ କିଛି ସମୟ ମଧ୍ୟରେ ପୁଣି ଥରେ ମାସ୍କ ପିନ୍ଧିଥିଲି ବୋଲି ସେ କହିଛନ୍ତି ।

ସେହିଭଳି ୭ ତାରିଖରେ ଭୁବନେଶ୍ୱର ବିମାନବନ୍ଦରରେ ଅପରାଜିତାଙ୍କ ସ୍ୱାଗତ ପାଇଁ ଶହ ଶହ ସମର୍ଥକ ଏକାଠି ହୋଇ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ତେବେ ଏତେ ସଂଖ୍ୟକ କର୍ମୀ କୁଆଡୁ ଆସିଲେ ଓ ସମସ୍ତଙ୍କୁ ମୁଁ ଜାଣିନାହିଁ ବୋଲି କହିଛନ୍ତି ଅପରାଜିତା । ଏହାସହ କୌଣସି ପ୍ରକାର କୋଭିଡ ନିୟମର ଉଲ୍ଲଂଘନ ହୋଇନାହିଁ ବୋଲି ଯୁକ୍ତି ବାଢିଛନ୍ତି ଭୁବନେଶ୍ୱର ସାଂସଦ ।

ଏହି ଘଟଣାରେ ବିଜୁ ଜନତା ଦଳର ପ୍ରତିକ୍ରିୟା ଆସିଛି। ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ଅଫିସ ସିଲ୍ ନେଇ ବିଜୁ ଜନତା ଦଳର କିଛି କହିବାର ନାହିଁ। ଏହା ଏକ ପ୍ରଶାସନିକ ନିଷ୍ପତ୍ତି। ପୂର୍ବରୁ ମଧ୍ୟ ଜନସାଧାରଣଙ୍କ ସୁରକ୍ଷା ଲାଗି ବହୁତ ବଡ଼ ବଡ଼ କୋଠା, ହୋଟେଲ୍ ଓ ଅଫିସ୍ ବନ୍ଦ କରାଯାଇଛି। କୋଭିଡ୍ ନିୟମ ପାଳନ କରିବା ସମସ୍ତଙ୍କର କର୍ତ୍ତବ୍ୟ ଏବଂ ଏହାକୁ ନେଇ ରାଜନୀତି କରା ନ ଯାଉ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ।

ତେବେ ସାମ୍ବାଦିକ ସମ୍ମିଳନୀରେ ବିକାଶର ଦ୍ୱାହି ଦେଇ ଅଭିଯୋଗକୁ ଏଡାଇଯିବାକୁ ଚାହିଁଥିଲେ ଅପରାଜିତା । ତେବେ ପ୍ରଶ୍ନ ଉଠୁଛି ଜନ୍ମଦିନ ପାଳନ କ’ଣ ବିକାଶମୂଳକ କାର୍ଯ୍ୟର ଅଂଶ ବିଶେଷ କି? ଫଟୋ ଓ ଭିଡ଼ିଓ ଦେଖାଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରୁଥିବା ଅପରାଜିତା ନିଜେ ଭୁଲ କଲେ କେମିତି ? ମୋଦୀଙ୍କୁ ଅନୁସରଣ ଓ ଆଦର୍ଶ ମାନୁଥିବା ଅପରାଜିତା କୋଭିଡ କଟକଣାକୁ କିଭଳି ଭୁଲିଗଲେ, ଯେତେବେଳେ ରାମ ମନ୍ଦିରର ଭୂମି ପୂଜନ ଉତ୍ସବ ଭଳି ଭବ୍ୟ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ଓ କୋଭିଡ ନିୟମ କେମିତି ପାଳନ କରାଯାଏ ତାହାର ନିଦର୍ଶନ ପୂରା ଦେଶବାସୀଙ୍କୁ ଦେଖାଇଥିଲେ ପ୍ରଧାନମନ୍ତ୍ରୀ । ତେଣୁ ମୋଦୀଙ୍କୁ ଆଦର୍ଶ ମାନୁଥିବା ଅପରାଜିତା କିଭଳି ଭାବନାତ୍ମକ ହୋଇ ଭୂତାଣୁର ଭୟକୁ ଭୁଲିବା ସହ ନାଚଗୀତରେ ମସଗୁଲ ହୋଇଗଲେ?

ସମ୍ବନ୍ଧିତ ଖବର