ନାଇଜର୍‌ କ୍ୟାମ୍ପସ୍‌ରେ କର୍କଟ ଗବେଷଣା କେନ୍ଦ୍ର ଖୋଲାଯାଉ, କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା

ଭୁବନେଶ୍ବର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ଆଣବିକ ଶକ୍ତି ବିଭାଗର ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ନାଇଜର୍‌ରେ କର୍କଟ ରୋଗୀଙ୍କ ଚିକିତ୍ସା ଓ ଗବେଷଣା ପାଇଁ ଏକ କେନ୍ଦ୍ର ଖୋଲିବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିରେ ଶ୍ରୀମତୀ ଷଡ଼ଙ୍ଗୀ ଦର୍ଶାଇଛନ୍ତି, କର୍କଟ ରୋଗ ପାଇଁ ଟାଟା ମେମୋରିଆଲ୍‌ ସେଣ୍ଟର୍‌ ଖୋଲିବା ନିମନ୍ତେ ପଦକ୍ଷେପ ନିଆଯାଉ। ନାଇଜର୍‌ରେ ଏଥି ପାଇଁ ଆବଶ୍ୟକ ଜାଗା ରହିଛି। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ କର୍କଟ ରୋଗ କ୍ଷେତ୍ରରେ ଉନ୍ନତମାନର ଗବେଷଣା ହେବା ସହ ରାଜ୍ୟର କର୍କଟ ରୋଗୀମାନେ ଉଚିତ ମୂଲ୍ୟରେ ଚିକିତ୍ସା ପାଇପାରିବେ। ଟାଟା ମେମୋରିଆଲ ସେଣ୍ଟର୍‌ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ତେଣୁ ଭୁବନେଶ୍ବରର ନାଇଜର୍‌ରେ ଏହାର ପ୍ରତିଷ୍ଠା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉ। ୨୦୧୭ ‌ସେପ୍ଟମ୍ବର ମାସରେ ଓଡ଼ିଶା ସରକାର ମଧ୍ୟ ଏ ନେଇ କେନ୍ଦ୍ରକୁ ଚିଠି ‌‌ଲେଖିଥିଲେ ବୋଲି ସାଂସଦ ଦର୍ଶାଇଛନ୍ତି। ଏହି ପ୍ରସ୍ତାବ ଉପରେ ବିଭାଗୀୟ ସ୍ତରରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର