ଲୋକଙ୍କ ଅନୁରୋଧରେ ଭାବନାତ୍ମକ ହୋଇ ୨ ମିନିଟ୍ ଲାଗି ମାସ୍କ ଓହ୍ଲାଇ ସେମାନଙ୍କ ଗହଣକୁ ଆସିଥିଲି, ଆଗାମୀ ଦିନରେ କୋଡିଡ୍ ଆଇନ ଉଲ୍ଲଂଘନ ହେବ ନାହିଁ : ଅପରାଜିତା

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ଷଡଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଜନ୍ମଦିନରେ କୋଡିଡ ଆଇନ ଉଲ୍ଲଂଘନ ପ୍ରସଙ୍ଗରେ ବୟାନ ରଖିଛନ୍ତି । ସୋସିଆଲ ମିଡିଆରେ ତାଙ୍କ ଜନ୍ମଦିନ ଭିଡିଓ ଭାଇରାଲ ହେବା ପରେ କୋଭିଡ ନିୟମ ଉଲଙ୍ଘନ ହୋଇଥିବା ଅଭିଯୋଗ ହେବା ପରେ ତାଙ୍କ ଅଫିସ ସିଲ କରାଯାଇଛି । ତେବେ ଅଫିସ ସିଲ ହେବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅପରାଜିତା । ଶ୍ରୀମତୀ ଷଡଙ୍ଗୀଙ୍କ କହିବା ଅନୁସାରେ, ପ୍ରତିଦିନ ମାସ୍କ ପିନ୍ଧି ବିଭିନ୍ନ ଅଂଚଳ ଯାଇ ଲୋକଙ୍କ ସହ ସେ ଆଲୋଚନା କରୁଛନ୍ତି । କିନ୍ତୁ ଜନ୍ମଦିନ ଦିନ ତାଙ୍କ ଅଫିସକୁ ଆସିଥିବା ମହିଳା କର୍ମୀମାନଙ୍କ ଅନୁରୋଧରେ  ଭାବନାତ୍ମକ ହୋଇ ମାତ୍ର ୨ ମିନିଟ୍ ଲାଗି ମାସ୍କ ଓହ୍ଲାଇ ସେମାନଙ୍କ ଗହଣକୁ ଆସିଥିଲେ । ମୁଁ ଲୋକମାନଙ୍କ ଅନୁରୋଧକୁ ଏଡ଼ାଇ ପାରିଲି ନାହିଁ। ଆଗାମୀ ଦିନରେ କୋଡିଡ୍ ଆଇନ ଉଲ୍ଲଂଘନ ହେବ ନାହିଁ ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅକ୍ଟୋବର ୮ରେ ତାଙ୍କର ଜନ୍ମଦିନ ଥିଲା । ୭ରେ ଦିଲ୍ଲୀରୁ ଫେରିବା ବେଳେ ଏୟାରପୋର୍ଟରେ ଶହଶହ ପ୍ରଂଶସକ ଥିଲେ । କୁଆଡୁ ଏତେ ପ୍ରଶଂସକ ଆସିଲେ ତାହା ମତେ ଜଣାନାହିଁ । ଅଫିସ ସିଲ ସମ୍ପର୍କିତ ସୂଚନା ହ୍ୱାଟ୍ସଆପରେ ପାଇଲି ବୋଲି ଅପରାଜିତା କହିଛନ୍ତି। ମୁଁ ବିଜେପିର ଜଣେ ସାଂସଦ, ଲୋକଙ୍କ ଆଶୀର୍ବାଦ ପାଇଛି। କେବଳ ଲୋକଙ୍କ ସେବା ମୋର ଲକ୍ଷ୍ୟ ଏବଂ ଏହାଛଡା ମୋର କୌଣସି ଉଦ୍ଦେଶ୍ୟ ନାହିଁ । କୋଭିଡ ୧୯ ନିୟମ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି । କରୋନା ନେଇ ସମସ୍ତେ ସଚେତନ ରହିବା ଜରୁରୀ । କୌଣସି ପ୍ରକାର ଆକ୍ରୋଶମୂଳକ କାର୍ଯ୍ୟ ନ ହେଉ ବୋଲି ମତ ରଖିଛନ୍ତି ଅପରାଜିତା ।

ଏପଟେ ବିଜେଡି ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ସେ । ସାମ୍ବାଦିକମାନଙ୍କୁ ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କର କୋଡିଡ ନିୟମ ଉଲ୍ଲଂଘନ ସମ୍ବଳିତ ୧୭ଟି ଫଟୋ ଓ ଗୋଟିଏ ଭିଡିଓ ସେ ପ୍ରଦାନ କରିବା ସହ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ହୋଇନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି।  ଏଥିସହ ସେ ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହି ଅଭିଯୋଗ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ବର ସାଂସଦ ଭାବେ ଚିଠି ଲେଖିବେ ବୋଲି ଘୋଷଣା କରିଛନ୍ତି। ଶ୍ରୀମତୀ ଷଢ଼ଙ୍ଗୀ କହିଲେ, ନିୟମ ଦୁଇଟି ନ ହେଉ। ମୋ ପାଇଁ ଗୋଟିଏ, ସେମାନଙ୍କ ପାଇଁ ଗୋଟିଏ। ପାତରଅନ୍ତର ନୀତି ଅବଲମ୍ବନ କରା ନଯାଉ।

ସମ୍ବନ୍ଧିତ ଖବର