‘୫ଟି’ ନାମରେ ଭିନ୍ନ କ୍ଷମତା କେନ୍ଦ୍ର ସୃଷ୍ଟି କରାଯାଉଛି: ଅପରାଜିତା

ବିଜେଡିର ଜବାବ : ‘୫ଟି’ର ସଫଳତାରେ ଅପରାଜିତା ବିଚଳିତ

ସମ୍ବଲପୁର/ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବହୁଳ ପ୍ରଚାରିତ ‘୫-ଟି’କୁ ଆଜି ପୁଣି ସମାଲୋଚନା କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା‌ ଷଡ଼ଙ୍ଗୀ। ‘୫-ଟି’ କାର୍ଯ୍ୟକାରିତାରେ ତ୍ରୁଟି ରହିଛି ଓ ଏହା ଦ୍ବାରା ଭିନ୍ନ କ୍ଷମତା କେନ୍ଦ୍ର ସୃଷ୍ଟି କରାଯାଇ ପ୍ରଶାସନିକ ବ୍ୟବସ୍ଥାକୁ ଦୁର୍ବଳ କରିଦିଆଯାଉଛି ବୋଲି ‌ସେ ସିଧାସଳଖ ଆରୋପ ଲଗାଇଛନ୍ତି। ‘୫-ଟି’ ସଚିବ ଭି କେ ପାଣ୍ଡିଆନ୍‌ଙ୍କ ନାଁ ନ ନେଇ ତାଙ୍କ କାର୍ଯ୍ୟଧାରା ଉପରେ ମଧ୍ୟ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ତେବେ ଏହାର ଜବାବ ଦେଇ ବିଜେଡି କହିଛି, ‘୫-ଟି’ର ସଫଳତାକୁ ଦେଖି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବିଚଳିତ ଓ ବିବ୍ରତ ହୋଇପଡ଼ି ଏମିତି ବିବୃତି ଦେଉଛନ୍ତି।

ଆଜି ସମ୍ବଲପୁର ଗସ୍ତରେ ଥିବା ଶ୍ରୀମତୀ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି, ପ୍ରତି ମ୍ୟାନେଜମେଣ୍ଟ ଅନୁଷ୍ଠାନରେ ୫-ଟି ପାଠ ପଢ଼ାଯାଏ। ଏଥିରେ କିଛି ନୂତନତ୍ବ ନାହିଁ କି ଏହା ଲାଗୁ କରିବା କିଛି ଭୁଲ ନୁହେଁ। ରାଜ୍ୟ ସରକାର ଗତ ୨୦ ବର୍ଷ ହେଲା ଏ ସମ୍ପର୍କରେ କୌଣସି ଆଲୋଚନା ନ କରି ପଞ୍ଚମ ପାଳିର ସରକାରରେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି। ଅର୍ଥାତ୍‌ ଏହା ପୂର୍ବରୁ ରାଜ୍ୟର ଶାସନ ବ୍ୟବସ୍ଥାରେ ୫-ଟି କାର୍ଯ୍ୟ କରୁ ନ ଥିଲା ବୋଲି ଜଣାପଡ଼ୁଛି।

୫-ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କୁ ଇଙ୍ଗିତ କରି ବିଜେପି ସାଂସଦ କହିଛନ୍ତି, ଗତ ୮ ତାରିଖରେ ଜଣେ ନିର୍ଦ୍ଦିଷ୍ଟ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ହିଁ ନୂଆ ଶକ୍ତି କେନ୍ଦ୍ର ସୃଷ୍ଟି କରାଯାଉଥିବାର ସୂଚାଉଛି। ଜଣେ କନିଷ୍ଠ ସଚିବଙ୍କ ନେତୃତ୍ବ‌ରେ ରାଜ୍ୟର ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର ଭଳି ବରିଷ୍ଠ ଅଧିକାରୀ ଯିବା ରାଜ୍ୟରେ ପ୍ରଥମ ଓ ସେ ନିଜର ୨୫ ବର୍ଷର ପ୍ରାଶାସନିକ କ୍ୟାରିୟ‌ରରେ ଏଭଳି ଘଟଣା ଦେଖି ନ ଥିଲେ। ଏହା ଏକ ହାସ୍ୟାସ୍ପଦ ଘଟଣା। ଏଭଳି ବ୍ୟବସ୍ଥା ଦ୍ବାରା ବରିଷ୍ଠ ପ୍ରଶାସନିକ ଅଧିକାରୀ, ମନ୍ତ୍ରୀଙ୍କର ଆତ୍ମସମ୍ମାନ କ୍ଷୁଣ୍ଣ ହେଉଛି ଓ ଏହା ପ୍ରାଶାସନିକ ବ୍ୟବସ୍ଥାରେ ବିସଙ୍ଗତି ସୃଷ୍ଟି କରୁଛି। ଜଣେ ସାଂସଦ ଭାବେ ନୁହେଁ ବରଂ ଓଡ଼ିଶାର ଜଣେ ନାଗରିକ ଭାବେ ସେ ଏହି ମତ ଦେଉଛନ୍ତି ବୋଲି କହିଥିଲେ।

ବିଭିନ୍ନ ଗସ୍ତ ସମୟରେ ୫-ଟି ସଚିବଙ୍କ ସିଧାସଳଖ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥାକୁ ମଧ୍ୟ ସେ ବିରୋଧ କରିଛନ୍ତି। ପ୍ରାଶାସନିକ ବିଭାଗରେ ତ୍ରୁଟି ରହିଛି। ତେଣୁ ପ୍ରଥମେ ସେମାନଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଉ, ତାଲିମ୍‌ ଦିଆଯାଉ, କିଛି ସମୟ ଦିଆଯାଉ ଓ ଏହା ପରେ ବି ଯଦି ଭୁଲ ରହୁଛି ତେବେ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ସେ କହିଛନ୍ତି। ଭଲ କାମକୁ ନିଶ୍ଚିତ ଭାବେ ସ୍ବାଗତ କରାଯିବ, କିନ୍ତୁ ଭୁଲ ରହିଲେ ପ୍ରଶ୍ନ ଉଠାଇବାର ଅଧିକାର ରହିଛି ବୋଲି ସେ କହିଛନ୍ତି।

ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଏହି ମନ୍ତବ୍ୟର ଜବାବ ଦେଇ ବିଜେଡି ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ବିଜେପିରେ ନିଜ ପରିଚୟ ହରାଉଥିବାରୁ ହତାଶ ହୋଇ ସେ ଏପରି ମନ୍ତବ୍ୟ ଦେଉଛନ୍ତି। ପ୍ରଶାସିକାରୁ ରାଜନେତା ପାଲଟିଥିବା ଅପରାଜିତା ବେଳେବେଳେ ନିଜକୁ ପୂର୍ବତନ ପ୍ରଶାସିକା ମନେ କରି ତାଙ୍କର ଜ୍ଞାନ ଗାରିମା ପ୍ରଦର୍ଶନ ପାଇଁ ଏପରି ବିବୃତି ଦେଉଛନ୍ତି। ଏଥିରୁ ଯୋଜନାର ସଫଳତାରେ ସେ କିପରି ଈର୍ଷାନ୍ବିତ ହୋଇଛନ୍ତି, ତାହା ବାରି ହୋଇ ପଡ଼ୁଛି। ‘୫-ଟି’ କେବଳ ଓଡ଼ିଶାରେ ସଫଳ ହୋଇ ନାହିଁ, ଆଗାମୀ ଦିନରେ ବହୁ ବିଜେପି ଶାସିତ ରାଜ୍ୟ ସମେତ କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାର ଏହି ମଡେଲକୁ ଗ୍ରହଣ କରିବାକୁ ଯାଉଛନ୍ତି। ତେଣୁ ସେପରି କ୍ଷେତ୍ରରେ ‘୫-ଟି’ ପରି ଲୋକାଭିମୁଖୀ ଯୋଜନାକୁ ଗୌଣ କରିବା ବଦଳରେ ସାଂସଦ ଏହାକୁ ସମର୍ଥନ କରିବା ଆବଶ୍ୟକ। ରାଜ୍ୟ ସରକାରଙ୍କ ‘୫ଟି’ ଓ ମୋ ସରକାର ରାଜ୍ୟର ପୂରପଲ୍ଲୀରେ ପହଞ୍ଚିଥିବା ବେଳେ ଏଥି ଯୋଗୁ ଲୋକଙ୍କ ଆତ୍ମବିଶ୍ବାସ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର