କାର୍ଯ୍ୟକ୍ରମକୁ ନ ଡକାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ୱର: ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇନଥିବାରୁ ସେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି | ଅପରାଜିତା ଚିଠିରେ ଏହି ଘଟଣାକୁ ସାମ୍ବିଧାନିକ ପଦବୀ ପ୍ରତି ଅସମ୍ମାନ ବୋଲି ଦର୍ଶାଇଥିବାବେଳେ ରାଜଧାନୀର ଲୋକପ୍ରତିନିଧି ଭାବେ ଆମନ୍ତ୍ରଣ ପାଇବା ତାଙ୍କ ଅଧିକାର ବୋଲି ଲେଖିଛନ୍ତି |

ଘଟଣାର ତଦନ୍ତ କରି ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଚିହ୍ନଟ କରିବାକୁ ଅପରାଜିତା ଦାବି କରିଛନ୍ତି | ଅପରାଜିତା ଲେଖିଛନ୍ତି ଯେ ଆମର ରାଜନୈତିକ ବିଚାରଧାରା ଭିନ୍ନ ହୋଇପାରେ | କିନ୍ତୁ ଲୋକପ୍ରତିନିଧି ଭାବରେ ସୌଜନ୍ୟତା ଦୃଷ୍ଟିରୁ ରାଜ୍ୟ ସରକାର ଏବାବଦରେ କିଛି ଚିନ୍ତା କରିବା ଦରକାର | ସୂଚନା ଥାଉ କି ୭୪ ତମ ରାଜଧାନୀ ପ୍ରତିଷ୍ଠା ଦିବସରେ ଆଜି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ପୁଳା ପୁଳା ମନ୍ତ୍ରୀଙ୍କ ସହ ସଚିବମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଡକାଯାଇନଥିଲା |


ଆଉ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଅପରାଜିତା | ଟ୍ୱିଟ କରି ଅପରାଜିତା ଲେଖିଥିଲେ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେଉଛି | ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲେ ବି ମୋତେ କରାଯାଇନାହିଁ | ମୁଁ ବି ଯୋଗ ଦେବାକୁ ଚାଁହୁଥିଲେ ବି ମୋତେ ଡକାଯାଇନାହିଁ | ମୋର ଭୁଲ କଣ ବୋଲି ପ୍ରଶ୍ନ କରିଥିଲେ ଅପରାଜିତା |

ସମ୍ବନ୍ଧିତ ଖବର