ଅପରାଜିତାଙ୍କ ଭିଡିଓ ଭାଇରାଲ, ବିଜେପି ଗୋଷ୍ଠୀକନ୍ଦଳ ପଦାରେ ପଡ଼ିଲା

ଭୁବନେଶ୍ବର: ବାରମ୍ବାର ଆମେ ହାରିଯାଉଛୁ, ଲାଜ ଲାଗୁନି? ଆମେ କେମିତି ଜିତାଇବା ଦେଖିବା। କିନ୍ତୁ ଇଏ ତା ଲୋକ, ସିଏ ତା ଲୋକ କାହିଁକି କୁହାଯାଉଛି? ଆପଣ କହୁନାହାନ୍ତି ଆମେ ଭାରତୀୟ ଜନତା ପାର୍ଟିର ଲୋକ। ଯିଏ ବି ପ୍ରାର୍ଥୀ ହେବ ତାକୁ ଜିତାଇବାର ଆମର ଧର୍ମ, ଆମର କର୍ତ୍ତବ୍ୟ। ନହେଲେ ଛାଡି ଦିଅନ୍ତୁ ପାର୍ଟି। ମୁଁ ଅନୁରୋଧ କରିବି ସେହିମାନଙ୍କୁ ଯେଉଁମାନେ ୟାଙ୍କ ପାଖରେ କିମ୍ବା ତାଙ୍କ ପାଖରେ ଅଛନ୍ତି, ସେମାନେ ପାର୍ଟି ଛାଡିଦିଅନ୍ତୁ।

ଏକଥା କୌଣସି ସାଧାରଣ ଲୋକ ନୁହେଁ, ଖୋଦ୍ ଆଇଏଏସ୍ ଚାକିରି ଛାଡି ବିଜେପିରେ ଯୋଗ ଦେଇଥିବା ଅପରାଜିତା ଷଡଙ୍ଗୀ ଏମିତି ଢଙ୍ଗରେ ରାଜ୍ୟ ବିଜେପି କର୍ମକର୍ତାଙ୍କ ଉପରେ ବର୍ଷିଛନ୍ତି। ଅପରାଜିତାଙ୍କ ଏହି ବକ୍ତବ୍ୟ ସଂକ୍ରାନ୍ତ ଭିଡିଓ ଭାଇରାଲ୍ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବା ପୂର୍ବରୁ ଏହି ପ୍ରସଙ୍ଗ ରାଜ୍ୟ ବିଜେପିକୁ ଅକଳରେ ପକାଇ ଦେଇଛି। ବିଜେପିରେ ଯେ ଗୋଷ୍ଠୀବାଦ ଶୀର୍ଷ ଛୁଇଁଲାଣି ଏବଂ ଏହାକୁ ଅପରାଜିତା ବରଦାସ୍ତ କରିବା ସ୍ଥିତିରେ ନାହାନ୍ତି, ଏକଥା ଭାଇରାଲ ହୋଇଥିବା ଭିଡିଓ ସୂଚାଇ ଦେଇଛି। ବିଜେପି ଶିବିରରେ ଏହି ପ୍ରସଙ୍ଗଟି ମଧ୍ୟ କମ୍ପନ ସୃଷ୍ଟି କଲାଣି। ଦଳର ଆଭ୍ୟନ୍ତରୀଣ କର୍ମୀ ବୈଠକର ଭିଡିଓ କିଏ କଲେ, କେଉଁ ପରିସ୍ଥିତିରେ ଏହାକୁ ଭାଇରାଲ କରାଗଲା, ଏହା ପଛରେ କେଉଁମାନେ ଅଛନ୍ତି ତାହା ଏବେ ଶୀର୍ଷ ନେତୃତ୍ବକୁ ଆନ୍ଦୋଳିତ କରୁଛି। ଏହି ପ୍ରସଙ୍ଗଟି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଯାଇପାରେ ବୋଲି ମଧ୍ୟ ବିଜେପିର ଗୋଟିଏ ଗୋଷ୍ଠୀ ମତ ରଖୁଛନ୍ତି। ଦୀର୍ଘ ସାଢେ ଚାରିବର୍ଷ ଧରି କେନ୍ଦ୍ରୀୟ ନେତା ଯେତେ ଇନ୍ଧନ ଦେଲେ ବି ବିଜେପି ଓଡ଼ିଶାରେ ଉଧଉନାହିଁ, ଯେମିତି ଅନ୍ୟ ରାଜ୍ୟରେ ବଢୁଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଓଡ଼ିଶା ଗସ୍ତ କରିଛନ୍ତି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବି। ତା ସତ୍ତ୍ବେ ରାଜ୍ୟ ବିଜେପି ବଢିବା ପରିବର୍ତେ ଦିନକୁ ଦିନ ଛିଡିବାରେ ଲାଗିଛି। ନିର୍ବାଚନ ବର୍ଷରେ ବିଜେପୁରରୁ ବିଜାତଳା ଉପନିର୍ବାଚନ ଦଳର ସ୍ଥିତି ସଂପର୍କରେ ସ୍ପଷ୍ଟ ସୂଚନା ଦେଇଛି। ଏମିତି ଏକ ସମୟରେ ଆଇଏଏସ୍ ଚାକିରି ଛାଡି ଅପରାଜିତା ବିଜେପିରେ ଯୋଗ ଦେଇଥିଲେ। ସେବେଠାରୁ ବିତର୍କ ଭିତରେ ରହିଛି ବିଜେପି। କାରଣ ପ୍ରଧାନମନ୍ତ୍ରୀଙ୍କ ନାଁ ନେଇ ରାଜନୀତି ମଇଦାନରେ ଖେଳ ଆରମ୍ଭ କରିଛନ୍ତି ଅପରାଜିତା। ଏଣୁ ସ୍ବାଭାବିକ ଭାବେ ଅପରାଜିତାଙ୍କୁ ମୋଦୀ ଶିବିରର ସମର୍ଥନ ରହିଥିବା କଥା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆ ଏହାକୁ ନେଇ ଆଉ ପାଦେ ଆଗକୁ ଯିବା ସହିତ ଏକଥା ଚର୍ଚ୍ଚା କଲେଣି ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ଆଗକୁ ଆଣିପାରେ। ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଖୋର୍ଧା ବୈଠକକୁ ଏ ଦୃଷ୍ଟି କୋଣରୁ ଗୁରୁତ୍ବ ଦିଆଯାଇଛି।

ଏମିତି ଏକ ସମୟରେ ଭାଇରାଲ ହୋଇଥିବା ଭିଡିଓ, ବିଜେପି ଆଭ୍ୟନ୍ତରୀଣ ରାଜନୀତିରେ ନିଆଁ ଲଗାଇ ଦେଇଛି। ଭାଇରାଲ ହୋଇଥିବା ଭିଡିଓରେ ଅପରାଜିତା କର୍ମୀଙ୍କୁ ସିଧା ସିଧା ଆହୁରି କହିଛନ୍ତି, ଭାରତୀୟ ଜନତା ପାର୍ଟି ସାଙ୍ଗରେ ଆମର ରହିବାର ଅଛି। ମୋର ଭାରତୀୟ ଜନତା ପାର୍ଟିରେ କେହି ଲୋକ ନୁହନ୍ତି। ମୁଁ କୌଣସି ଗ୍ରୁପର, କୌଣସି ଦଳର ନୁହେଁ। ଭାରତୀୟ ଜନତା ପାର୍ଟିର ବିକାଶ କେମିତି ହେବ ତାକୁ ଦେଖିବାକୁ ଆସିଛି। ମୁଁ ପ୍ରେରଣା ପାଇଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଠାରୁ। ମିଡିଆରେ କହିଛି, ସମସ୍ତଙ୍କ ସାମ୍ନାରେ କହିବି, ଆଗାମୀ ୨୫, ୩୦ବର୍ଷ ପରେ ବି ଏକଥା ଆପଣ ଦେଖିବେ । ଖୋର୍ଦ୍ଧାର ଏହି କର୍ମୀ ସମ୍ମିଳନୀରେ ଅପରାଜିତା କାହିଁକି ଏମିତି କହିଲେ, ତାହାକୁ ନେଇ ରାଜନୈତିକ ମହଲରେ ଏକାଧିକ ପ୍ରଶ୍ନ ଉଙ୍କି ମାରିଲାଣି। ଏହି ମହଲର କହିବା କଥା ହେଉଛି, ବିଜେପି ଦଳ ଗୋଷ୍ଠୀ କନ୍ଦଳରେ ଜର୍ଜରିତ। ସମ୍ଭବତଃ ଅପରାଜିତା ନିଜେ ବୋଧହୁଏ ଏଇ ଅଳ୍ପ ଦିନର ଅନୁଭୂତିରେ ଏହାର ଶିକାର ହୋଇସାରିଲେଣି। ତେଣୁ ସେ କର୍ମୀମାନଙ୍କୁ କଡା ଭାଷାରେ ତାଗିଦ କରିଛନ୍ତି ଯେ, ବିଜେପିରେ କୌଣସି ଗୋଷ୍ଠୀ କି ଦଳ ନାହିଁ। ଯେଉଁମାନେ କୌଣସି ନି୍ର୍ଦିଷ୍ଟ ଗୋଷ୍ଠିଭୁକ୍ତ ହୋଇ ରହିବାକୁ ଚାହୁଁଛନ୍ତି ସେମାନେ ବିଜେପି ଦଳ ଛାଡି ଦିଅନ୍ତୁ। ଅପରାଜିତାଙ୍କ ସ୍ବରରୁ ଏକଥା ବି ସଙ୍କେତ ମିଳୁଛି, ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବା ପଛରେ କେନ୍ଦ୍ରୀୟ ନେତାଙ୍କ ସମ୍ମତି ଥାଇପାରେ। ଅନ୍ୟଥା ଏତେ ଶୀଘ୍ର ତାଙ୍କ ମୁହଁରୁ ଏମିତି କଥା ଶୁଭାଯାଇନଥିଲା। ଅନ୍ୟ ଗୋଟିଏ ମହଲ କହୁଛନ୍ତି, ବୋଧହୁଏ, ଅପରାଜିତା ଅଫିସର ଠାଣିରେ ଏକଥା କହିଛନ୍ତି। ଯେହେତୁ ନୂଆ ଆସିଛନ୍ତି, ତାଙ୍କର ମନରୁ ବାବୁ ପଣିଆ ଯାଇନି। ସେ କର୍ମୀଙ୍କୁ କର୍ମଚାରୀ ବୋଲି ମନେ କରୁଛନ୍ତି।

ସମ୍ବନ୍ଧିତ ଖବର