ଅପରାଜିତାଙ୍କ ଜନ୍ମଦିନ ଭିଡିଓ ଭାଇରାଲ୍‌ : କୋଭିଡ୍ ନିୟମ ଭାଙ୍ଗି ଅଡ଼ୁଆରେ

କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଲେ ଦିବ୍ୟଶଙ୍କର
ଅପରାଜିତା କହିଲେ, ସଂକ୍ରମିତ ମନ୍ତ୍ରୀ, ବିଧାୟକଙ୍କ ପାଇଁ କଣ ଅଲଗା ନିୟମ?

ଭୁବନେଶ୍ୱର : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ୍ ନିୟମ ଭାଙ୍ଗିବା ପ୍ରସଙ୍ଗ ଆଜି କେନ୍ଦ୍ର ସରକାରଙ୍କ କୋର୍ଟକୁ ଯାଇଛି। ଏଥର ଅପରାଜିତାଙ୍କ ବିରୋଧରେ ଉଁ କି ଚୁଁ କିଛି ବି ନକହି ସାଂସଦ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ସଂପର୍କରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଜି ଏ ସଂକ୍ରାନ୍ତରେ ଏକ ଦୁଇ ପୃଷ୍ଠାର ଲମ୍ବା ଚିଠି ଲେଖି ଆଶା କରିଛନ୍ତି ଯେ ଶ୍ରୀ ରାୟ ନିଶ୍ଚିତ ଭାବେ ଏହି ପ୍ରସଙ୍ଗଟିକୁ ଉଭୟ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବେ ଓ ଭୁବନେଶ୍ବର ଲୋକଙ୍କ ଜୀବନକୁ ବିପଦକୁ ନ ଠେଲିବା ପାଇଁ ସେମାନେ ଅବଶ୍ୟ ପରାମର୍ଶ ଦେବେ।

ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଅପରାଜିତା ଗଣମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଗୋଟିଏ ରାଜ୍ୟରେ ଦୁଇଜଣ ଲୋକଙ୍କ ପାଇଁ ଦୁଇଟି ନିୟମ ଲାଗୁ ହୋଇପାରିବ ନାହିଁ ବୋଲି କଡ଼ା ଟିପ୍ପଣୀ ଦେଇଛନ୍ତି। ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଓ ବିଧାୟକ କୋଭିଡ୍ ଆକ୍ରାନ୍ତ ଥାଇ କିଭଳି ଲୋକଙ୍କ ସହ ସେ ମିଶିଲେ ବୋଲି ପ୍ରଶ୍ନ କରିଛନ୍ତି। ଏଥିସହିତ ଏହି ପ୍ରସଙ୍ଗଟି ଏବେ ବିବାଦୀୟ ମୋଡ଼ ନେଇଛି ଓ ଆସନ୍ତା ଦିନରେ ବିେଜଡି-ବିଜେପି ମୁହାଁମୁହିଁ ହେବା ଲାଗି ରାସ୍ତା ଖୋଲିଛି।

ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଦେଇଥିବା ଚିଠିେର ଶ୍ରୀ ମିଶ୍ର କହିଛନ୍ତି ଯେ ୮ ତାରିଖ ଦିନ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଏକ ଜନ୍ମଦିନ ପାଳନ ସଂକ୍ରାନ୍ତ ଏକ ଭିଡ଼ିଓ ଭାଇରାଲ୍ େହାଇଛି। ଏହି ଭିଡ଼ିଓରେ ସ୍ପଷ୍ଟ ଜଣାପଡୁଛି ଯେ ସାଂସଦ ଓ ଶତାଧିକ ମହିଳା ଯେଉଁମାନେ ମାସ୍କ ପିନ୍ଧିନାହାନ୍ତି (କେବଳ ଜଣେ ମାସ୍କ ପରିଧାନ କରିଛନ୍ତି) ଓ କୋଭିଡ୍ ନିୟମର ଖୋଲା ଉଲ୍ଲଂଘନ କରି ସାଂସଦଙ୍କ ଜନ୍ମତ୍ସୋବ ପାଳନରେ ମସଗୁଲ୍ ଥିଲେ ଏବଂ କୋଭିଡ୍ ନିୟମ ଭୁଲିଯାଇଥିଲେ। ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ମଧ୍ୟ ଏହା ବିରୋଧାଚରଣ କରୁଛି। ମନ୍ତ୍ରୀ କହିଛନ୍ତି, ଯଦି ଏହା ପ୍ରଥମ ଘଟଣା େହାଇଥାନ୍ତା, ତେବେ ଏ ସଂକ୍ରାନ୍ତରେ ବୋଧହୁଏ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇନଥାନ୍ତା। ବାରମ୍ବାର ଆଇନ ଫାଙ୍କୁଥିବା ସଂକ୍ରାନ୍ତରେ ତାଙ୍କୁ ପରାମର୍ଶ ଦିଆଯାଇଛି, ସତର୍କ କରାଯାଇଛି ଓ ତାଙ୍କ ବିରୋଧରେ ତିନିଟି ମାମଲା ବି ହୋଇଛି। ତା ସତ୍ତ୍ବେ ତାଙ୍କ ଆଚରଣରେ କୌଣସି ପରିବର୍ତ୍ତନ ଆସିନାହିଁ। ଏଭଳି ଦୟିତ୍ୱହୀନତା କାର୍ଯ୍ୟ ତାଙ୍କ ସହ ଅନ୍ୟମାନଙ୍କ ଜୀବନ ପ୍ରତି ବିପଦ ଟାଣିଆଣୁଛି।

ଏମିତିରେ ବି ଭୁବନେଶ୍ବର ଏବେ କରୋନା ସଂକ୍ରମଣକୁ ନେଇ ବଡ଼ ଲଢେଇ ଲଢୁଛି। ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ କୋଭିଡ୍ ଯୋଦ୍ଧାମାନେ ଦିନରାତି ଏକ କରିଛନ୍ତି। କେତେଜଣ ଯୋଦ୍ଧା ମଧ୍ୟ ଜୀବନ ହାରି ସାରିଲେଣି। ଏଭଳି ସମୟରେ ସାଂସଦଙ୍କ ଏଭଳି ଆଚରଣ କୋଭିଡ ଯୋଦ୍ଧାଙ୍କ ମନୋବଳକୁ ଭାଙ୍ଗୁଛି। ଏହା କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଅପମାନ। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ବିରୋଧରେ ତାଙ୍କ ଆଚରଣ ରହୁଛି।

ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ସାଂସଦ ଲୋକ ପ୍ରତିନିଧି। ସେ ବିଜେପିର ଜାତୀୟ ପ୍ରବକ୍ତା ବି। ଏଭଳି ଏକ ଘଡିସନ୍ଧି ମୁହୂର୍ତରେ ତାଙ୍କର ଆଚରଣ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବା କଥା। ସମସ୍ତେ ଏବେ ଏକ କଠିନ ସମୟ ଭିତରେ ଗତି କରୁଛନ୍ତି ଓ ନିଜ ଜୀବନ ଜୀବିକା ବିନିମୟରେ ଲକ୍‌ ଡାଉନ୍‌କୁ ମାନୁଛନ୍ତି। ଭୁବନେଶ୍ବରରେ ୧୦୯ ଜଣଙ୍କର ମୃତ୍ୟୁ ହେଲାଣି ଓ ୫ଜଣ କରୋନା ଯୋଦ୍ଧା ବି ସହିଦ୍ ହୋଇଛନ୍ତି। ଏଭଳି ସମୟରେ କୋଭିଡ୍‌ ନିୟମକୁ ଫାଙ୍କି ସାଂସଦ ଜନ୍ମୋତ୍ସବ ପାଳି କେବଳ କୋଭିଡ୍ ନିୟମ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି ତା ନୁହେଁ, ଲୋକଙ୍କ କଷ୍ଟ ଓ ଯନ୍ତ୍ରଣାର ମଜାକ୍ ଉଡାଇଛନ୍ତି।

ଅନ୍ୟପକ୍ଷରେ ଏସଂପର୍କରେ ଗଣମାଧ୍ୟମ ସାମ୍ନାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଅପରାଜିତା। ସେ କହିଛନ୍ତି ଯେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଭାବନାକୁ ସେ ସମ୍ମାନ ଜଣାଉଛନ୍ତି। ସେ ଆଶା କରୁଥିଲେ ଓ ଏବେ ବି ଆଶା କରନ୍ତି ଯେ ମନ୍ତ୍ରୀ ତାଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଚ୍ଛା ପତ୍ରଟିଏ ପଠାଇବେ। କିନ୍ତୁ ଏକଥା ବି ସେ କହିବାକୁ ଚାହାନ୍ତି ଯେ ଗୋଟିଏ ରାଜ୍ୟରେ ଦୁଇଜଣଙ୍କ ପାଇଁ ଦୁଇଟି ନିୟମ ଲାଗୁ ହୋଇପାରିବ ନାହିଁ। ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଓ ଜଣେ ବିଧାୟକ କୋଭିଡ୍ ସଂକ୍ରମଣ ଥାଇ କିଭଳି ଯୋଗଦାନ କଲେ ବୋଲି ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ, ଏ ସଂକ୍ରାନ୍ତରେ କ୍ୟାପଟେନ୍ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କି? ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

ସାଂସଦ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସବୁବେଳେ କୋଭିଡ୍ ନିୟମ ମାନିବା ଲାଗି ପରାମର୍ଶ ଦେଇଛନ୍ତି ଓ ତାହାକୁ ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ। ସେ ଦୁଇଦିନ ତଳେ ଭୁବନେଶ୍ବରେ ବିମାନ ବନ୍ଦରରେ ଓହ୍ଲାଇବା ବେଳେ ହଜାର ହଜାର ଲୋକ ତାଙ୍କୁ ଭଲପାଇ ଆସିଥିଲେ। ସେ ଦୂରତ୍ବ ରଖିବାକୁ ଚେଷ୍ଟା କରିଥିଲେ ହେଁ, ଲୋକମାନେ ତାଙ୍କ ପ୍ରତି ଥିବା ଭଲପାଇବା କାରଣରୁ ନିକଟତର ହୋଇଥିଲେ ଓ ସେମାନଙ୍କ ନିକଟରେ ସେ କୃତଜ୍ଞ। ହେଲେ ସେତେବେଳେ ସେ ସମ୍ପୂର୍ଣ୍ଣ ମାସ୍କ ପିନ୍ଧିଥିଲେ। ଆଜି ବି ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ସେ ମାସ୍କ ପରିଧାନ କରିଥିଲେ।

ସମ୍ବନ୍ଧିତ ଖବର