କେନ୍ଦ୍ରାପଡ଼ାରେ ଅପରାଜିତାଙ୍କ ପଦଯାତ୍ରା: ସାଙ୍ଗରେ ରହିଲେ କେବଳ ନଗର ସଭାପତି

ବୈଠକ ଆଳରେ ଦୂରେଇ ରହିଲେ ଅନ୍ୟ ନେତା

କେନ୍ଦ୍ରାପଡ଼ା : ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କେନ୍ଦ୍ରାପଡ଼ା ଗସ୍ତ ବିଜେପି ଭିତରେ ଚାଲି ଆସିଥିବା ପତିଆରା ଲଢେଇକୁ ପଦାରେ ପକାଇ ଦେଇଛି। ଆଜି ଏ ପ୍ରକାର ଚର୍ଚ୍ଚା କେନ୍ଦ୍ରାପଡ଼ା ରାଜନୀତିକୁ ସରଗରମ କରିଛି। ଅପରାଜିତା ଠିକ ଯେଉଁ ସମୟରେ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ ଠିକ ସେହି ସମୟରେ ଜିଲ୍ଲର ବିଜେପି ନେତାମାନେ କାର୍ଯ୍ୟକାରିଣୀ ବୈଠକ ଡାକି ତାଙ୍କ ଗସ୍ତ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ। କେବଳ କେନ୍ଦ୍ରାପଡ଼ା ନଗର ବିଜେପି ସଭାପତି ଓ ଦଳର କର୍ମୀଙ୍କୁ ଅପରାଜିତାଙ୍କ ସହ ଦେଖିବାକୁ ମିଳିଥିଲା। ସେହିମାନଙ୍କୁ ନେଇ ଅପରାଜିତା ପଦଯାତ୍ରାରେ ଯାଇ ଶ୍ରୀ ବଳଦେବଜିଉଙ୍କ ଦର୍ଶନ କରିଥିଲେ।

ସୂଚନା ଅନୁଯାୟୀ ଅପରାଜିତାଙ୍କ କେନ୍ଦ୍ରାପଡ଼ା ଗସ୍ତ ପାଇଁ ପ୍ରାୟ ସପ୍ତାହ ତଳୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। କେନ୍ଦ୍ରାପଡ଼ା ନଗର ବିଜେପି ସଭାପତି ଦିଲ୍ଲୀପ ଦାସଙ୍କ ନେତୃତ୍ବରେ ପ୍ରସ୍ତୁତି ବୈଠକ ବସି ସାଂସଦଙ୍କୁ କିଭଳି ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ତଦନୁଯାୟୀ, ଆଜି ସାଂସଦ କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ବେଳେ ତାଙ୍କୁ ବିଭିନ୍ନ ସ୍ଥାନରେ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଥିଲା। ପୂର୍ବାହ୍ନରେ ଜିଲ୍ଲାର ପ୍ରବେଶପଥ ଚାନ୍ଦୋଳ ବଜାରରେ ସ୍ବାଗତ କରାଯାଇଥିଲା। ବହୁ କର୍ମୀ ଏଠାରେ ଉପସ୍ଥିତ ରହି ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ସ୍ବାଗତ କରିଥିଲେ। ତିନିମୁହାଣୀ ଛକରେ ଥିବା ସହିଦ ସ୍ମୃତିସ୍ତମ୍ଭରେ ମାଲ୍ୟାର୍ପଣ କରିବା ପରେ ଅପରାଜିତା ସେଠାରୁ ସାନ୍ତସାହି ପୋଲ ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ବାଟ ଚାଲି ଚାଲି ଯାଇଥିଲେ। ଏହି ପଦଯାତ୍ରାରେ ଶହଶହ କର୍ମୀ ଯୋଗ ଦେଇଥିଲେ। ପ୍ରାୟ ୩ଟା ବେଳେ ଅପରାଜିତା ଶ୍ରୀ ବଳଦେବଜିଉଙ୍କ ମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କରିଥିଲେ। ଏହାପରେ ସ୍ଥାନୀୟ ପାୟଲ୍‌ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅପରାଜିତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ସାମ୍ବାଦିକମାନଙ୍କ ରାଜନୈତିକ ପ୍ରଶ୍ନକୁ ଏଡ଼ାଇ ଯାଇ ‌କହିଥିଲେ ଯେ ସେ କୌଣସି ରାଜନୈତିକ କାର୍ଯ୍ୟକ୍ରମକୁ ଆସି ନାହାନ୍ତି। ଏହା ତାଙ୍କର ବ୍ୟକ୍ତିଗତ କାର୍ଯ୍ୟକ୍ରମ। ସେ ଠାକୁରଙ୍କୁ ଦର୍ଶନ କରିବାକୁ ଆସିଛନ୍ତି। ଟଙ୍କିକିଆ ଚାଉଳ ପ୍ରସଙ୍ଗରେ ଏବେ ରାଜ୍ୟ ସରକାରଙ୍କ ମୁଖା ଖୋଲି ଯାଇଛି ବୋଲି ଅପରାଜିତା କହିଥିଲେ। ସେ କହିଥିଲେ ଯେ କେନ୍ଦ୍ର ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି ବୋଲି ଲୋକେ ଏବେ ଜାଣି ସାରିଲେଣି।

ସମ୍ବନ୍ଧିତ ଖବର