କୋ-ଅପରେଟିଭ ଜାଗାରେ ଆପାର୍ଟମେଣ୍ଟ: ପ୍ରତି ଫ୍ଲାଟକୁ ୫୦ରୁ ୭୦ ଲକ୍ଷରେ ବିକ୍ରି

ଅଭିଯୋଗ ପରେ ବି ପ୍ରଶାସନ ନିରବ

ରାଉରକେଲା: ସ୍ମାର୍ଟସିଟିରେ ଘର ନିର୍ମାଣ କରିବାକୁ ଜାଗା ଖଣ୍ଡିଏ ପାଇବା ସାଧାରଣ ଓ ମଧ୍ୟବତ୍ତ ପରିବାର ପାଇଁ କାଠିକର ପାଠ ହୋଇଛି। ଏପରି ସ୍ଥଳେ ବ୍ୟବସାୟୀ, ଦଲାଲ ଓ ସରକାରୀ ବାବୁମାନେ ଭିତିରି ସଲାସତୁରା କରି ହାତଉଛନ୍ତି କୋଟି କୋଟି ଟଙ୍କା ମୂଲ୍ୟବାନ ଜମି। ତାହା ପୁଣି ଶାଗମାଛ ଦରରେ। କୋ-ଅପରେଟିଭ ସୋସାଇଟି, ଟ୍ରଷ୍ଟ ନାଁରେ ଲ୍ୟାଣ୍ଡ ଆଲଟମେଣ୍ଟ କମିଟି (ଏଲ୍‌ଏସି)ରୁ ନେଇ ଯାଉଛନ୍ତି ଏଭଳି ମୂଲ୍ୟବାନ ଜମି। ପରବର୍ତ୍ତୀ ସମୟରେ ଏହି ଜମିରେ ଛିଡା ହେଉଛି ବହୁତଳ ବାଣିଜ୍ୟିକ ଅନୁଷ୍ଠାନ ଓ ଆପାର୍ଟମେଣ୍ଟ।

ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ହେଉଛି। ବିଭାଗୀୟ ଅଧିକାରୀ ଲୋକ ଦେଖାଣିଆ ଭାବେ ତଦନ୍ତ କରି କାମ ସାରିଦେଇଛନ୍ତି। ଏବେ ଏମିତି ସାଂଘାତିକ ଅଭିଯୋଗ ଆସିଛି ସହରର ରାଜସ୍ବ ବିଭାଗ କର୍ମଚାରୀଙ୍କ ହାଉସିଂ କୋ-ଅପରେଟିଭ୍‌ ‌ସୋସାଇଟି ନାଁରେ। ସରକାରଙ୍କ ସମସ୍ତ ନୀତି ନିୟମକୁ ଦଳିମକଚି ଗୋଟିଏ ପରେ ଗୋଟିଏ ବେଆଇନ କାମ କରି ଚାଲିଛି ଏହି ସୋସାଇଟି। ୧୦ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରାୟ ୧ ଏକର ୬୫ ଡେସିମିଲ ଜମିକୁ ମାତ୍ର ୧ କୋଟି ୫୧ ଲକ୍ଷ ୮୦ ହଜାର ଟଙ୍କା ହାତେଇଛନ୍ତି।

ଏଲ୍‌ଏସିରୁ କୋ-ଅପରେଟିଭ ନାଁରେ ଜମି ନେଲେ। ଗୃହ ନିର୍ମାଣ କରି ରହିବେ ବୋଲି ପ୍ରଶାସନିକ ଲିଖିତ ଭାବେ ଜଣାଇଥିଲେ।  ଏବେ କିନ୍ତୁ ତା’ର ଓଲଟା କାମ କରୁଥିବା ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟ କଥା ଯେଉଁଠି ଏବେ ଛିଡା ‌ହୋଇଛି ବହୁତଳ ଆପାର୍ଟମେଣ୍ଟ। ଅନୁରୂପ ଭାବେ ରାଜସ୍ବ ବିଭାଗର ଯେଉଁମାନଙ୍କୁ ନେଇ କୋ-ଅପରେଟିଭ ସୋସାଇଟି ଗଠନ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ରାଜସ୍ବ କର୍ମଚାରୀ କି ନୁହେଁ ତାହା ବି ସନ୍ଦେହ। ନିଜେ ରହିବା ପରିବର୍ତ୍ତେ ଫ୍ଲାଟ ନିର୍ମାଣ କରି ବିକିବା ଆରମ୍ଭ କରି ଦେଇଛନ୍ତି।  ବର୍ଗଫୁଟ ଅନୁଯାୟୀ ପ୍ରତି ଫ୍ଲାଟକୁ ୫୦ ଲକ୍ଷରୁ ୭୦ ଟଙ୍କା ଧାର୍ଯ୍ୟ କରାଯାଇଛି। ହାଉସିଂ ପ୍ରୋଜେକ୍ଟ ନାଁରେ ବିଜ୍ଞାପନ ମଧ୍ୟ ପ୍ରକାଶ କରିଛନ୍ତି। ବିଜ୍ଞାପନ ପ୍ରକାଶ ପାଇବା ପରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ଘରୋଇ ସଂସ୍ଥାର ମାଲିକମାନେ ଫ୍ଲାଟ ନେବାକୁ ଅଗ୍ରୀମ ଟଙ୍କା ଜମା କରି ସାରିଛନ୍ତି। ଅଗ୍ରୀମ ଜମା କରିଥିବା କର୍ମଚାରୀଙ୍କ ମଧ୍ୟରେ ଆର୍‌ଏସ୍‌ପି ଓ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ମଧ୍ୟ ରହିଥିବା ଜଣାପଡିଛି। ଯାହାକି ତଦନ୍ତ ସାପେକ୍ଷ।

ଯେଉଁମାନେ ମାତ୍ର ୧ କୋଟି ୫୧ ଲକ୍ଷ ୮୦ ହଜାର ଟଙ୍କାରେ ଏଲ୍‌ଏସିର ଜମି ନେଇଥିଲେ। ସେମାନେ ଆପାର୍ଟମେଣ୍ଟ ନିର୍ମାଣ କରିବାକୁ ଏତେ ଟଙ୍କା ପାଇଲେ କେଉଁଠୁ, ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ସରକାରୀ ନିୟମ ଅନୁଯାୟୀ ଭୁବନେଶ୍ବର, ରାଉରକେଲା ଓ ସୁନାବେଡାରେ କୌଣସି ହାଉସିଂ କୋ-ଅପରେଟିଭ ଗଠନ ହୋଇପାରିବ ନାହିଁ। ନିୟମ ନଥାଇ ସ୍ମାର୍ଟସିଟି ରାଉରକେଲାରେ ଏହା କିପରି ସମ୍ଭବ ହେଲା ? କୋ-ଅପରେଟିଭ ସୋସାଇଟି ନାଁରେ ଜମି ହାତେଇ ସେହି ଜାଗାରେ ଆପାର୍ଟମେଣ୍ଟ ନିର୍ମାଣ କରି ବିକ୍ରି କରାଯାଉଥିଲେ ହେଁ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି।

ଏଲ୍‌ଏସିରୁ ମିଳିଥିବା  ତଥ୍ୟ ଅନୁଯାୟୀ ରାଉରକେଲା ୟୁନିଟ୍‌ ନଂ-୪ର ଖାତା ନଂ ୩ରେ  ପ୍ଲଟ ନଂ ୧୩୦ର ୦.୦୬୦ ଏକର, ପ୍ଲଟ ନଂ ୧୩୧ର ୦.୮୩୦ ଏକର, ପ୍ଲଟ ନଂ ୧୩୨ର ୦.୧୪୦ ଏକର, ୧୦୯/୨୪୦ରେ ୦.୧୮୦ ଏକର, ୧୨୯/୨୪୩ରେ ୦.୪୪୦ ଏକର ଏମିତି ମୋଟ ୧.୬୫୦ ଏକର ଜମି  ରେଭିନ୍ୟୁ ଏମ୍ପ୍ଲୋଇଜ୍‌ ହାଉସିଂ କୋ-ଅପରେଟିଭ୍‌ ସୋସାଇଟିକୁ ଦିଆଯାଇଥିଲା। ଯେଉଁ ସୋସାଇଟି ଗଠନ ହୋଇଛି ତା’ ପଞ୍ଜିକରଣ ମିଳିଛି କି ନାହିଁ। ଜମି ଦେବାରେ ଏଲ୍‌ଏସିର ଭୂମିକା ମଧ୍ୟ ସନ୍ଦେହ ଘେରରେ।

ଏ ସଂକ୍ରାନ୍ତରେ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ହାଉସିଂ  ସୋସାଇଟି ନାଁରେ ଜମି ନେଇ ଆପାର୍ଟମେଣ୍ଟ ନିର୍ମାଣ କରି ବିକିବା ସମ୍ପୂର୍ଣ୍ଣ ବେଆଇନ। ଏମିତି ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚିଛି। ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ସଂସ୍ଥାକୁ ଆବଶ୍ୟକୀୟ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିବା କାଗଜପତ୍ର ଯାଞ୍ଚ ଚାଲିଛି। ତେବେ ନୂଆ ଅତିରିକ୍ତ ଜିଲ୍ଲାପାଳ ଯୋଗଦେବା ପରେ ସମ୍ପୃକ୍ତ ସୋସାଇଟି ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତା’ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର