କିଶନନଗର: ସ୍ବର୍ଗତ ଗୋପାଳ ଚରଣ ମହାନ୍ତି ଥିଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ବ। ସେ ଗାଁରେ ଉପୁଜୁଥିବା ବିଭିନ୍ନ ବିବାଦର ସମାଧାନ ନିଶାପ ମାଧ୍ୟମରେ କରିଦେଉଥିଲେ। ଆଧୁନିକ ପଦ୍ଧତିରେ କୃଷିକୁ ପ୍ରାଧାନ୍ୟ ଦେବା ସହ ଏହାର ପ୍ରସାର ପାଇଁ ସେ ଉଦ୍ୟମ କରିଥିଲେ। ଜମିଦାର ହୋଇ ମଧ୍ୟ ତାଙ୍କ ପାଖରେ ଅହଙ୍କାର ନ ଥିଲା। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସାଇକଲ୍‌ରେ ଯିବାଆସିବା କରି ସେ ସମାଜକୁ ସ୍ୱାଭିମାନୀ ଓ ଆତ୍ମନିର୍ଭରଶୀଳ ହେବାର ବାର୍ତ୍ତା ଦେଇଯାଇଛନ୍ତି ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Advertisment

କିଶନନଗର ମଲ୍ଲୀପୁର ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଗୋପାଳଚରଣ ମହାନ୍ତିଙ୍କ ସ୍ମୃତିରେ ରଚିତ ‘ଅପାସୋରା ମଣିଷ’ ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଅବକ୍ଷୟମୁଖି ଗଣତନ୍ତ୍ରକୁ ରକ୍ଷାକରିବା ପାଇଁ ଯୁବପିଢ଼ିଙ୍କୁ ସ୍ବର୍ଗତ ମହାନ୍ତିଙ୍କ ଚରିତ୍ର ସହ ଯୋଡ଼ିହେବାକୁ ପଡ଼ିବ ବୋଲି କହିଛନ୍ତି। ବାଲିକୁଦା କଲେଜର ପ୍ରାଧ୍ୟାପକ ଡକ୍ଟର ଦେବେନ୍ଦ୍ରନାଥ ବାରିକଙ୍କ ଅଧ୍ୟକ୍ଷତାରେ, ଗୋପାଳଚରଣ ମହାନ୍ତି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିନ୍ତାମଣି ବିଦ୍ୟାପୀଠର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ୍‌ ହାଜି ମହମ୍ମଦ ଅଫ୍‌ସର୍‌ ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। ଭୁବନେଶ୍ୱରସ୍ଥିତ ପୂର୍ବାଞ୍ଚଳ ଭାଷାକେନ୍ଦ୍ରର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ଅରବିନ୍ଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପୁସ୍ତକର ସମ୍ପାଦକ ଡକ୍ଟର ବନଜ କୁମାର ବିଶ୍ବାଳ ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ମୃତି ସଂସଦର ଆବାହକ ବିଶିଷ୍ଟ ସମାଜସେବୀ ବୀରକିଶୋର ପରିଡ଼ା ସ୍ୱାଗତ ଭାଷଣ ଓ ଦୀପକ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। କୃଷ୍ଣଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ କିଶୋରନଗର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଅଜିତ କୁମାର ମୁଖାର୍ଜୀ, ଡକ୍ଟର କିଶୋରଚନ୍ଦ୍ର ଦାସ, ସାମ୍ବାଦିକ ଶୁକଦେବ ପରିଡ଼ା, ସ୍ବର୍ଗତ ଗୋପାଳ ଚରଣ ମହାନ୍ତିଙ୍କ ପୁଅ ଡକ୍ଟର ନାରାୟଣ ମହାନ୍ତି, ଦେବଦତ୍ତ ମହାନ୍ତି, ଜ୍ୟୋତିପ୍ରକାଶ ମହାନ୍ତି, କୃଷ୍ଣପ୍ରସାଦ ମହାନ୍ତି, ଡାକ୍ତର ପତିତପାବନ ମହାନ୍ତି ଓ ପରିବାରବର୍ଗ ଉପସ୍ଥିତ ଥିଲେ।