ଶ୍ରୀମନ୍ଦିର ସଂସ୍କାର ମାମଲା : ନଭେମ୍ବର ୪ରେ ସୁପ୍ରିମକୋର୍ଟ ଜାରି କରିବେ ମଧ୍ୟବର୍ତ୍ତୀକାଳୀନ ଆଦେଶ

ନୂଆଦିଲ୍ଲୀ : ଶୁକ୍ରବାର  ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତା ଗଠିତ ତିନିଜଣିଆ ଖଣ୍ଡପୀଠ ଶ୍ରୀମନ୍ଦିର ମାମଲାର ଶୁଣାଣି କରି କହିଛନ୍ତି ଯେ ଏହି ମାମଲାରେ ଏଯାବତ୍ ଦାଖଲ ହୋଇଥିବା ବିଭିନ୍ନ ରିପୋର୍ଟ ସମୟ ଅଭାବରୁ ସଂପୂର୍ଣ୍ଣ ଭାବେ ଅଧ୍ୟୟନ ହୋଇ ପାରିନାହିଁ। ତେଣୁ କୋର୍ଟ ଏହାର ଅଧ୍ୟୟନ ପରେ ନଭେମ୍ବର ୪ ତାରିଖରେ ଅନ୍ତରୀଣ ଅ‌ାଦେଶ ଜାରି କରିବେ। ଏଥିସହ ଯେଉଁମାନେ ଏହି ମାମଲାରେ ପକ୍ଷ ରଖିବାକୁ ଚାହୁଁଛନ୍ତି ସେମାନେ ୨୬ ତାରିଖ ସୁଦ୍ଧା ଲିଖିତ ଭାବେ ନିଜର ପକ୍ଷ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଦ୍ବାରା ଶ୍ରୀମନ୍ଦିର ମାମଲାରେ ନିଯୁକ୍ତ ଆମିକସ୍‌ କ୍ୟୁରୀ ରଣଜିତ କୁମାରଙ୍କ ଶ୍ରୀମନ୍ଦିର ସଂସ୍କାର ସମ୍ପର୍କିତ ସୁପାରିସ ତଥା ମନ୍ଦିର ପ୍ରଶାସନ ଦ୍ବାରା ପୁରୀ ଜିଲ୍ଲା ଜଜ୍‌ଙ୍କ ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ଅନୁଧ୍ୟାନ କରି ଖଣ୍ଡପୀଠ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିବାର ସମ୍ଭାବନା ରହିଛି।

ଗତ ଶୁଣାଣିରେ ସୁପ୍ରିମକୋର୍ଟ ପୁରୀ ଜିଲ୍ଲା ଜଜ୍‌ଙ୍କ ସୁପାରିସର କାର୍ଯ୍ୟକାରିତା ତଦାରଖ ପାଇଁ ଏକ କମିଟି ଗଠନ କରାଯିବାର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ଖଣ୍ଡପୀଠ ଶ୍ରୀ ଜଗନ୍ନାଥ ମନ୍ଦିରର ରୀତିନୀତିରେ ହସ୍ତକ୍ଷେପ କରିବା ପାଇଁ ଚାହୁଁ ନଥିବା ମଧ୍ୟ ସ୍ପଷ୍ଟ କରିସାରିଥିଲେ। ଏମିତିରେ ମନ୍ଦିରରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ବାଧାମୁକ୍ତ ଦର୍ଶନ ପାଇଁ ଉପଯୁକ୍ତ ପଦକ୍ଷେପ ଓ ଶ୍ରୀମନ୍ଦିର ସଂସ୍କାର ଉପରେ ଖଣ୍ଡପୀଠ ନିର୍ଦ୍ଦେଶନାମାରେ ଗୁରୁତ୍ବାରୋପ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏତଦ୍‌ବ୍ୟତୀତ ସେବାୟତଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବା ସମ୍ପର୍କରେ ଆମିକସ କ୍ୟୁରୀ ଦୃଷ୍ଟି ଆକର୍ଷଣ କରିଥିବାରୁ ସେ ସମ୍ପର୍କରେ ମଧ୍ୟ ନିର୍ଦ୍ଦେଶନାମାରେ ଖଣ୍ଡପୀଠ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି ବୋଲି ଆଶା କରାଯାଉଛି। ଶୃଙ୍ଖଳିତ ରୀତିନୀତି ତଥା ବିନା ବାଧାରେ ଦର୍ଶନ ତଥା ହୁଣ୍ଡିରେ ଦାନ ପ୍ରସଙ୍ଗରେ ମଧ୍ୟ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଆଦେଶ ଗୁରୁତ୍ବପୂର୍ଣ୍ଣ ହୋଇପାରିବ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ସଂସ୍କାରକୁ ନେଇ ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କର ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ମୂଳ ମାମଲା ବର୍ତ୍ତମାନ ବିଚରାଧୀନ ରହିଥିବା ବେଳେ ମଙ୍ଗଳବାର ଦିନ ମନ୍ଦିର ଚତୁଃପାର୍ଶ୍ବରେ ଉଚ୍ଛେଦ ମାମଲାରେ ରାଜ୍ୟ ସରକାର ସମସ୍ତ ତଥ୍ୟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର