ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏପିଓ

ମୁରିବାହାଲ : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଏପିଓ ସୁଶାନ୍ତ ଦାସ ଶୁକ୍ରବାର ଦିନ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମନରେଗା ଅନ୍ତର୍ଗତ ପୋଖରୀ କାମର ବିଲ୍‌ କରିଦେବା ପାଇଁ ସେ ଗାଁ ସାଥୀ ସୁଦାମ ନାଗଙ୍କଠାରୁ ସେ ୪୫ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ଟିମ୍‌ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ , ମୁରିବାହାଲ ବ୍ଲକ୍‌ ପତ୍ରାପାଲି(ଖ) ପଞ୍ଚାୟତ ସଦର ଗ୍ରାମର ଗାଁ ସାଥୀ ସୁଦାମ ୯ ଲକ୍ଷ ୮୦ ହଜାର ଟଙ୍କା ଲେଖାଏଁର ଦୁଇଟି ପୋଖରୀ କାମ କରିଥିଲେ। କାମ ବାବଦ ପାଉଣା ମଧ୍ୟ ଶ୍ରମିକମାନେ ଏପର୍ଯ୍ୟନ୍ତ ପାଇନାହାନ୍ତି। ଏ ସମ୍ପର୍କରେ ମନରେଗା ଶ୍ରମିକ ଓ ଗାଁସାଥୀ ପୂର୍ବରୁ ମୁରିବାହାଲ ବିଡିଓ ଓ ବଲାଙ୍ଗୀର ପିଡିଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ। ମାତ୍ର, ଏ ସମ୍ପର୍କରେ କେହି ଶୁଣି ନଥିଲେ। ମୁରିବାହାଲ ବ୍ଲକ୍‌ ମନରେଗା ବିଭାଗ ଏପିଓ ଶ୍ରୀ ଦାସ ପ୍ରତ୍ୟେକ ଫାଇଲ୍ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଲାଞ୍ଚ ଦାବିକରି ବହୁଦିନ ହେଲା ଗାଁ ସାଥୀ ଶ୍ରୀ ନାଗଙ୍କୁ ହଇରାଣ କରି ଆସୁଥିଲେ। ଶେଷରେ ସୁଦାମ ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିଲେ। ଏହାପରେ ଏପିଓଙ୍କୁ ଧରିବା ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଥିଲା। ତଦନୁଯାୟୀ ପ୍ରତ୍ୟେକ ଫାଇଲ ପାଇଁ ୪୫ ହଜାର ଟଙ୍କାରେ କଥା ଛିଣ୍ଡିଥିଲା।

ସୁଦାମ ଶୁକ୍ରବାର ଦିନ ଭିଜିଲାନ୍ସ ଦ୍ଵାରା ପ୍ରଦତ୍ତ ରାସାୟନିକ ପ୍ରଲେପ ଦିଆ ୪୫ ହଜାର ଟଙ୍କା ବ୍ଲକ୍ ଅଫିସ୍ ମନରେଗା ପ୍ରକୋଷ୍ଠରେ ଏପିଓ ଶ୍ରୀ ଦାସଙ୍କୁ ଦେଇଥିଲେ। ଏପିଓ ଶ୍ରୀଦାସ ଏହି ଟଙ୍କା ଗ୍ରହଣ କରି ଅଫିସ୍ ଡ୍ରୟରରେ ରଖିଥିଲେ। ଠିକ୍‌ ଏହିସମୟରେ ସେଠାରେ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ତାଙ୍କ ପାଖରୁ ରାସାୟନିକ ପ୍ରଲେପ ଦିଆଯାଇଥିବା ୪୫ହଜାର ଟଙ୍କା ଜବତ ସହ ତାଙ୍କୁ ଗିରଫ କରିଛି। ଉଭୟ କାମର ଫାଇଲ୍ ମଧ୍ୟ ଭିଜିଲାନ୍ସ ଜବତ କରିଛି।

ଏହାପରେ ଏପିଓ ସୁଶାନ୍ତଙ୍କ ନିଜ ଗାଁ ବଙ୍ଗୋମୁଣ୍ଡା ବ୍ଲକ ଅସୁର୍ଲା ସ୍ଥିତ ବାସଭବନ ଓ ବଲାଙ୍ଗୀର ଶ୍ବଶୁର ଘରେ ମଧ୍ୟ ଭିଜିଲାନ୍ସ ଚଢ଼ଉ ଜାରି ରଖିଛି। ଏହି ଚଢ଼ଉରେ ବରଗଡ଼ ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହାନନ୍ଦ, ଏସ୍‌ଆଇ ସୁନିତା ପ୍ରଭା ବାଗେ, ଏସ୍‌ଆଇ ସୁଷମା ପଶାୟତ, ଏଏସ୍‌ଆଇ ବିଜୟ ପ୍ରଧାନ ଓ ଟିମ୍ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର