ଆପୋଲୋରେ ବିରଳ ଶଲ୍ୟ ଚିକିତ୍ସା

ଭୁବନେଶ୍ବର : ଆପୋଲୋ ହସ୍ପିଟାଲରେ ଏକ ବିରଳ ଶଲ୍ୟ ଚିକିତ୍ସା କରାଯାଇଛି। ୬୦ବର୍ଷର ଜଣେ ବ୍ୟକ୍ତିଙ୍କ ଆଖିରୁ ଅନବରତ ଝରୁଥିବା ରକ୍ତକୁ ଅସ୍ତ୍ରୋପଚାର ଜରିଆରେ ବନ୍ଦ କରାଯାଇଛି। ରୋଗୀଜଣକ ଏବେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ହସ୍ପିଟାଲର ସୂଚନା ଅନୁସାରେ, ବୟସ୍କଜଣକ ଏକ ବିରଳ ରୋଗର ଶିକାର ହୋଇଥିଲେ। ପ୍ରଥମେ ସେ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମାତ୍ର ରକ୍ତ ବନ୍ଦ ନ ହେବାରୁ ଆପୋଲୋ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ। ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ପ୍ରଥମେ ଡିଜିଟାଲ ସବଟ୍ରାକ୍ସନ୍‌ ଆଞ୍ଜିଓଗ୍ରାଫି ବା ଡିଏସ୍‌ଏ କରାଯାଇଥିଲା। ପ୍ରାଥମିକ ଅବସ୍ଥାରେ ତାଙ୍କ ମୁହଁର ପ୍ରତି ଶିରା ଓ ଧମନୀଗୁଡ଼ିକରେ ଏକାଧିକ ସଂକୋଚନ ହୋଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ମେଡିକାଲ ଭାଷାରେ ‘ସରକୋଏଡ ଆନିୟୁରିଜମ ଅଫ ଫେସ୍‌’ ବୋଲି କୁହାଯାଇଥାଏ। ସଂପୃକ୍ତ ବ୍ୟକ୍ତିଙ୍କ ଉଭୟ ପାର୍ଶ୍ବର ଅସ୍ଥାୟୀ ମାଂସପେଶୀକୁ ହଟାଇବା ପାଇଁ ବାଇକୋରୋନାଲ ଇନ୍‌ସିଜନ ଅସ୍ତ୍ରୋପଚାର କରାଯାଇଥିଲା। ମୁହଁର ଧମନୀଗୁଡ଼ିକୁ ହାଲକା କରାଯାଇଥିଲା। ପରେ ନିଦୁସ ନିରୀକ୍ଷଣ କରାଯାଇ ଅସ୍ତ୍ରୋପଚାର ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇଥିଲା। ହସ୍ପିଟାଲର ଶଲ୍ୟ ଚିକିତ୍ସା ଓ କାର୍ଡିଓ ଥେରାସିସ୍ ଭାସ୍କୁଲାର୍‌ ସର୍ଜରି ବିଭାଗର ମିଳିତ ଉଦ୍ୟମରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରୀ ଦଳରେ ପ୍ଲାଷ୍ଟିକ୍ ସର୍ଜରିର ଡା. ଏଲ.କେ ମିଶ୍ର, ନ୍ୟୁରୋସର୍ଜରି ଡା. ପି.କେ ସାହୁ, ଡା. ଲକ୍ଷ୍ମୀକାନ୍ତ ମିଶ୍ର, ଡା. ସ‌ନ୍ତୋଷ ପାଣିଗ୍ରାହୀ, ଡା. ଦେବାଶିଷ ନାୟକ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର