ରାଉରକେଲା: ରାଉରକେଲାସ୍ଥ ଇସ୍ପାତ ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ୍ ସୁପରସ୍ପେଶାଲିଟି ହସପିଟାଲ(ଆଇପିଜିଆଇ ଓ ଏସ୍ଏସ୍ଏଚ୍)କୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟିଛି। ଏହି ସୁପରସ୍ପେଶାଲିଟି ହସପିଟାଲକୁ ନିଜେ ସେଲ୍ ପରିଚାଳନା କରିବ ନା ଅନ୍ୟ କୌଣସି ସଂସ୍ଥାକୁ ହସ୍ତାନ୍ତର କରାଯିବ; ସେ ନେଇ ଭିନ୍ନଭିନ୍ନ ମତ ପ୍ରକାଶ ପାଇଥିଲା। ତେବେ ଏବେ ଖୋଦ୍ ଆର୍ଏସ୍ପି କର୍ତ୍ତୃପକ୍ଷ ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ସୁପରସ୍ପେଶାଲିଟି ହସପିଟାଲ ପରିଚାଳନା ଦାୟିତ୍ବ ଆପୋଲୋ ହସପିଟାଲକୁ ଦିଆଯିବ। ପରିଚାଳନା ପାଇଁ ଟେଣ୍ଡର୍ ଆହ୍ବାନ କରାଯାଇଥିବାବେଳେ ଏଥିରେ ଆପୋଲୋ ହସପିଟାଲକୁ ଚୟନ କରାଯାଇଛି। ଆର୍ଏସ୍ପି-ଆପୋଲୋ କର୍ତ୍ତୃପକ୍ଷ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବି ଆରମ୍ଭ ହୋଇଗଲାଣି। ଆର୍ଏସ୍ପି ନିର୍ଦ୍ଧାରିତ ବିଭିନ୍ନ ସର୍ତ୍ତାବଳୀ ପୂରଣ ପାଇଁ ଆପୋଲୋ କର୍ତ୍ତୃପକ୍ଷ ରାଜି ହୋଇଛନ୍ତି। ଉଭୟ ସଂସ୍ଥାର ଉଚ୍ଚ ପ୍ରତିନିଧି ଦଳ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇସାରିଲାଣି। ଆଲୋଚନା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥିବାବେଳେ ଆସନ୍ତା ଜାନୁଆରୀ ସୁଦ୍ଧା ଚୁକ୍ତିନାମା ସ୍ବାକ୍ଷରିତ ହେବବୋଲି ଜଣାପଡ଼ିଛି।
ସୁପରସ୍ପେଶାଲିଟି ହସପିଟାଲ ସୁପରିଚାଳନା ପାଇଁ ଗଠିତ ରାଉରକେଲା ଇସ୍ପାତ ଟ୍ରଷ୍ଟ୍(ଆର୍ଆଇଟି) ପକ୍ଷରୁ ବିଭିନ୍ନ ସର୍ତ୍ତ ରଖାଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୁକ୍ତିନାମା ୧୦ ବର୍ଷ ବିଶିଷ୍ଟ ହେବ। ପ୍ରଥମ ଚୁକ୍ତି ଅବଧି ଶେଷ ହେବାପରେ ଯଦି ଉଭୟ ପକ୍ଷ ରାଜି ହୁଅନ୍ତି; ତା’ହେଲେ ଚୁକ୍ତି ଆଉ ୧୦ ବର୍ଷ ପାଇଁ ବୃଦ୍ଧି କରାଯିବ। ବର୍ତ୍ତମାନ ସୁଦ୍ଧା ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ବହିସ୍କାର କରାଯିବନି। ଏମାନେ ପୂର୍ବବତ୍ ନିଜ ଦାୟିତ୍ବ ତୁଲାଇବେ। ହସପିଟାଲର ପରିଚାଳନା ବ୍ୟବସ୍ଥାକୁ ସ୍ବଚ୍ଛ ଓ ପାରଦର୍ଶୀ କରିବାକୁ ୮ ଜଣିଆ ବିଶିଷ୍ଟ ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଉକ୍ତ କମିଟିରେ ଆର୍ଏସ୍ପିର ସ୍ବାସ୍ଥ୍ୟ ସେବା ବିଭାଗ ମୁଖ୍ୟ, ବିତ୍ତ ବିଭାଗ ମୁଖ୍ୟ କିମ୍ବା ପ୍ରତିନିଧି, କାର୍ମିକ ଓ ପ୍ରଶାସନ ବିଭାଗ ମୁଖ୍ୟ କିମ୍ବା ପ୍ରତିନିଧି ଓ ଭାରପ୍ରାପ୍ତ ନିର୍ଦ୍ଦେଶକଙ୍କ ପ୍ରତିନିଧି ଏବଂ ଆପୋଲୋର ୪ ଜଣ ବରିଷ୍ଠ ଅଧିକାରୀ ରହିବେ। ଆର୍ଆଇଟିର ବରିଷ୍ଠ ସଦସ୍ୟ ଏହି କମିଟିର ଅଧ୍ୟକ୍ଷ ଦାୟିତ୍ବ ନିର୍ବାହ କରିବେ।
/sambad/media/post_attachments/wp-content/uploads/2022/11/36-2.jpg)
ପ୍ରକାଶଥାଉକି, ଇସ୍ପାତ ଜେନେରାଲ ହସପିଟାଲ(ଆଇଜିଏଚ୍)ରେ ସ୍ବାସ୍ଥ୍ୟସେବାର ମାନ ହ୍ରାସ ହେଉଥିବାରୁ ସୁପରସ୍ପେଶାଲିଟି ହସପିଟାଲର ପରିଚାଳନା ଦାୟିତ୍ବ ଏମ୍ସକୁ ହସ୍ତାନ୍ତର କରିବାକୁ ଦାବି ଉଠିଥିଲା। ବିଭିନ୍ନ ଶ୍ରମିକ ସଂଗଠନ ଠାରୁ ଆରମ୍ଭକରି ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ଦାବି ଉଠାଇଥିଲେ। ଗତ ୨୦୨୦ ଫେବ୍ରୁଆରୀ ୧୯ ତାରିଖରେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର୍ ଆହ୍ବାନ ହୋଇଥିଲା। କିନ୍ତୁ ଗୋଟିଏ ବି ସଂସ୍ଥା ଟେଣ୍ଡର୍ ପ୍ରକ୍ରିୟାରେ ସାମିଲ ହୋଇନଥିଲେ। ୨ ବର୍ଷପରେ ଗତ ଏପ୍ରିଲ ୨୨ ତାରିଖରେ ଦ୍ବିତୀୟଥର ପାଇଁ ଟେଣ୍ଡର୍ ଡକାଯାଇଥିବାବେଳେ ଆପୋଲୋ ହସପିଟାଲ ଓ ରାଉରକେଲାସ୍ଥ ଜୟ ପ୍ରକାଶ ହସପିଟାଲ ଟେଣ୍ଡର୍ ଦାଖଲ କରିଥିଲେ।
ଉଲ୍ଲେଖଯୋଗ୍ୟ, ପ୍ରାୟ ୨୯୫ କୋଟି ବିନିଯୋଗରେ ସେକ୍ଟର-୧୯ରେ ୪ ଲକ୍ଷ ୬୨ ହଜାର ୬୫୭ ବର୍ଗଫୁଟ୍ରେ ସ୍ଥାପିତ ସୁପରସ୍ପେଶାଲିଟି ହସପିଟାଲକୁ ଗତ ୨୦୨୧ ମାର୍ଚ୍ଚ ୨୧ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିଥିଲେ। ମୋଟ୍ ଜମିରୁ ୩ ଲକ୍ଷ ୫୪ ହଜାର ୬୫୨ ବର୍ଗଫୁଟ ପରିମିତ ଅଞ୍ଚଳରେ ୩ ଶହ ଶଯ୍ୟା ବିଶିଷ୍ଟ ହସପିଟାଲ, ୫୬,୯୨୫ ବର୍ଗଫୁଟ୍ରେ ଏକାଡେମିକ୍ ବ୍ଲକ ଓ ୫୧,୦୫୧ ବର୍ଗଫୁଟ୍ରେ ସର୍ଭିସ୍ ବ୍ଲକ ନିର୍ମାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/35-2.jpg)