ପୁରୀ : ‘ ଜଗନ୍ନାଥ ମୋତେ କ୍ଷମା କରିଦିଅନ୍ତୁ।’ ଶ୍ରୀମନ୍ଦିରର ଡ୍ରୋନ ଭିଡିଓ ଭାଇରାଲ୍‌ କରିଥିବା ଅନିମେଶ ଚକ୍ରବର୍ତ୍ତୀ ଏହିଭଳି କହି କ୍ଷମା ପ୍ରାର୍ଥନା କରିଛନ୍ତି। ଓଡ଼ିଶାର ୪ କୋଟି ଜନତା ମଧ୍ୟ ତାଙ୍କୁ କ୍ଷମା କରିଦେବାକୁ ସେ ହାତଯୋଡ଼ି ନେହୁରା ହୋଇଛନ୍ତି। ଓଡ଼ିଶା ପୁଲିସ୍‌କୁ ସେ ଉକ୍ତ ଭିଡିଓରେ କୃତଜ୍ଞତା ଜଣାଇଥିଲେ ହେଁ କୌଣସି ପୁଲିସ୍‌ କର୍ମୀଙ୍କଠାରୁ ସେ ଏ‌ ସମ୍ପର୍କରେ ଅନୁମତି ନେଇନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି। ଏଥିସହ ପୁରୀ ଏସ୍‌ପି ଏବଂ ଓଡ଼ିଶା ପୁଲିସ୍‌ଙ୍କୁ ସେ କ୍ଷମା ଭିକ୍ଷା କରିଛନ୍ତି। ଏପ‌ଟେ ସିଂହଦ୍ବାର ଥାନାରେ ଏନେଇ ଏତଲା ଦିଆଯାଇଛି। ସମ୍ପୃକ୍ତ ୟୁଟ୍ୟୁବ୍‌ ଚ୍ୟାନେଲ୍‌କୁ ବ୍ୟାନ୍‌ ସହ ଫଟୋ ଉତ୍ତୋଳନକାରୀଙ୍କୁ ଗିରଫ ପାଇଁ ଦାବି କରାଯାଇଛି।

Advertisment

ମିଳିଥିବା ସୂଚନା ମୁତାବକ, କୋଲକାତାର ଅନିମେଶ ଚକ୍ରବର୍ତ୍ତୀଙ୍କର ୟୁଟ୍ୟୁବ ଚ୍ୟାନେଲରେ ଗତ ନଭେମ୍ବର ୧୯ ତାରିଖରେ ଶ୍ରୀମନ୍ଦିର ଭିତର ବେଢ଼ା ଓ ନୀଳଚକ୍ର ଓ ଅଁଳା ବେଢ଼ାର ଅତି ନିକଟରୁ ଉତ୍ତୋଳନ କରାଯାଇ ପ୍ରସାରଣ କରାଯାଇଥିଲା। କିଛି ବ୍ୟକ୍ତି ଏହି ଭିଡିଓ ପାଇଁ ଦାବି କରିବାରୁ ଅନିମେଶ ୨୦ ହଜାର ଟଙ୍କା ବିନିମୟରେ ଏହାକୁ ବିକ୍ରି କରାଯିବ ବୋଲି ଜଣେ ବ୍ୟକ୍ତିଙ୍କ ସହ ଚାଟିଂ କରିଥିଲେ। ପରେ ଏହି ବାର୍ତ୍ତା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରୁ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ, କ୍ଷମା ପ୍ରାର୍ଥନା ସହ ତାଙ୍କ ୟୁନିଫାଏଡ୍‌ ଅନିମେଶ ଚ୍ୟାନେଲରୁ ଏହି ଭିଡିଓ ହଟାଇ ଦେଇଥିବା ସେ ସ୍ବୀକାର କରିଛନ୍ତି। ଏଥିସହ ସେ କହିଛନ୍ତି ଯେ ୩ ମାସ ତଳେ ସେ ପୁରୀ ଆସିଥିବା ବେଳେ ଏହି ଭିଡିଓ ଉତ୍ତୋଳନ କରିଥିଲେ। ସେତେବେଳେ ବର୍ଷା ସମୟ ଥିଲା। ସେ ‌ନିଜର ପଞ୍ଜୀକୃତ ଡ୍ରୋନ୍‌ ଉଡ଼ାଇଥିଲେ। ଉକ୍ତ ଡ୍ରୋନ୍‌ ଉଡ଼ାଇବା ବେଳେ ଏହା ‘ନୋ ଫ୍ଲାଇଂ ଜୋନ୍‌’ ଦେଖାଇନଥିଲା। ତେଣୁ ସେ ଜାଣିପାରିନଥିଲେ।

ଭିଡିଓ ଫୁଟେଜ୍‌ ବିକ୍ରି କରିବା ବାବଦରେ ମତ ରଖି କହିଛନ୍ତି, କେହି ଜଣେ ଚ୍ୟାନେଲ ନାମରେ ତାଙ୍କୁ ଉକ୍ତ ଭିଡିଓ ଫୁଟେଜ୍‌ ମାଗିଥିଲେ। କିନ୍ତୁ, ସେ ଏହାକୁ ଦେବାକୁ ପ୍ରସ୍ତୁତ ନଥିଲେ। ତେବେ ବାରମ୍ବାର ଉକ୍ତ ବ୍ୟକ୍ତି ତାଙ୍କୁ ଭିଡିଓ ଫୁଟେଜ ମାଗିବାରୁ ସେ ଜାଣିଶୁଣି ଚଢ଼ା ଦର କହିଥିଲେ। ପ୍ରକୃତରେ ଏହା ବିକିବା ତାଙ୍କର ଉଦ୍ଦେଶ୍ୟ ନଥିଲା। କାଳେ କେହି ତାଙ୍କ ଭିଡିଓ ଫୁଟେଜ୍‌କୁ ନେଇ ଅନ୍ୟ ବ୍ଳଗ୍‌ରେ ବ୍ୟବହାର କରିଦେବ, ସେଥିପାଇଁ ସେ ନଦେବା ଉଦ୍ଦେଶ୍ୟରେ ଏଭଳି ଚଢ଼ା ଦର କହିଥିଲେ।

ତେବେ, ଆଜି ଭଏସ୍‌ ଅଫ୍ କମନ୍‌ ମ୍ୟାନ୍‌ ପକ୍ଷରୁ ଏନେଇ ସିଂହଦ୍ବାର ଥାନାରେ ଏତଲା ଦିଆଯାଇଛି। ବିନା ଅନୁମତିରେ ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ଓ ଭିଡିଓ ଡ୍ରୋନ୍‌ ସାହାଯ୍ୟରେ ଉତ୍ତୋଳନ କରି ଏହାକୁ ବିକ୍ରି ପାଇଁ ଗ୍ରାହକଙ୍କ ସହ ମୂଲଚାଲ କରୁଥିବା ଅଭିଯୋଗରେ ସଂଶ୍ଳିଷ୍ଟ ବ୍ୟକ୍ତିଙ୍କୁ ଗିରଫ ପାଇଁ ଦାବି କରାଯାଇଛି।