କଟକ : କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ପକ୍ଷରୁ ଅନୁଷ୍ଠିତ ସିଭିଲ ସର୍ଭିସ୍ ପରୀକ୍ଷାରେ ସାଧାରଣ ବର୍ଗର ପ୍ରାର୍ଥୀ ଭାବେ କୃତକାର୍ଯ୍ୟ ହୋଇ ସର୍ବ ଭାରତୀୟ ସେବାରେ ଯୋଗ ଦେଇଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ରେ ତାଙ୍କୁ ସାମିଲ ପ୍ରସଂଗକୁ ନେଇ ଦାୟର କରିଥିବା ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ଏହି ପ୍ରସଂଗ ନେଇ ସେ ପୂର୍ବରୁ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବୁନାଲ (କ୍ୟାଟ୍)ଙ୍କ ଦ୍ବାରସ୍ଥ ହୋଇ ନିରାଶ ହେବା ପରେ ହାଇକୋର୍ଟରେ ଆବେଦନ କରିଥିଲେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ୟାଟ୍ ନିର୍ଦ୍ଦେଶ ବିରୋଧରେ ଦାୟର ଏହି ମାମଲାକୁ ଖାରଜ କରିଛନ୍ତି।
ହାଇକୋର୍ଟରେ ଦାୟର ଆବେଦନରେ ଦର୍ଶାଯାଇଥିଲା ଯେ ଆବେଦନକାରୀ ସ୍ମୃତିରଂଜନ ମହାନ୍ତି ୨୦୧୪, ମେ ୩୧ରେ ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ଆବେଦନ କରିଥିଲେ। ସେ ଓବିସି ବର୍ଗର ହୋଇଥିଲେ ମଧ୍ୟ ଅନ୍ ଲାଇନ ଆବେଦନ ଦାଖଲର ଶେଷ ତାରିଖ ସୁଦ୍ଧା ତାଙ୍କ ନିକଟରେ ଓବିସି ସାର୍ଟିଫିକେଟ ନଥିଲା। ୨୦୧୪, ମେ ୩୧ ତାରିଖ ଅନ୍ ଲାଇନ ଆବେଦନର ଶେଷ ତାରିଖ ହୋଇଥିବା ବେେଳ ଆବେଦନକାରୀ ନିଜକୁ ସାଧାରଣ ବର୍ଗ ଦର୍ଶାଇ ଏହା ଦାଖଲ କରିଥିଲେ। ତାଙ୍କ ନିକଟରେ ଓବିସି ସାର୍ଟିଫିକେଟ ନଥିବାରୁ ଦରଖାସ୍ତ ଖାରଜ ହେବାର ସମ୍ଭାବନା ଆଶଙ୍କାରେ ଆବେଦନକାରୀ ଏପରି କରିଥିଲେ। ୨୦୧୪, ଜୁନ୍ ୨୭ରେ ସେ ତହସିଲଦାରଙ୍କ ନିକଟରେ ଓବିସି ସାର୍ଟିଫିକେଟ ପାଇଁ ଦରଖାସ୍ତ କରିଥିବା ବେଳେ ୨୦୧୬, ଏପ୍ରିଲରେ ଏହା ତାଙ୍କ ହସ୍ତଗତ ହୋଇଥିଲା। ଅନ୍ୟପକ୍ଷରେ ପ୍ରିଲିମିନାରୀ ଓ ମୁଖ୍ୟ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଆବେଦନକାରୀଙ୍କୁ ୨୦୧୫, ମେ ୧୧ରେ ପର୍ସନାଲିଟି ଟେଷ୍ଟ ପାଇଁ ଡକାଯାଇଥିଲା। ୨୦୧୪ ସିଭିଲ ସର୍ଭିସି ପରୀକ୍ଷାରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ତାଲିକାର ୮୭ ରୢାଙ୍କରେ ଆବେଦନକାରୀ ରହିଥିଲେ। ମସୁରୀସ୍ଥିତ ଲାଲ୍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମିରେ ଟ୍ରେନିଂ ଶେଷ କରିବା ପରେ ତାଙ୍କୁ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟ୍ ଓ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ୨୦୨୦, ଜୁନ୍ ୨୦ରେ ନିଯୁକ୍ତି ମିଳିଥିଲା। ତାଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ଆବେଦନକାରୀ ୨୦୧୬, ମେ ୪ରେ ଡିପାର୍ଟମେଣ୍ଟ ଅଫ୍ ପେର୍ସାନେଲ ଆଣ୍ଡ ଟ୍ରେନିଂ(ଡିଓପିଟି)ର ସଚିବଙ୍କ ନିକଟେର ଲିଖିତ ଦରଖାସ୍ତ ଦାଖଲ କରିଥିଲେ। ୨୦୧୬, ଜୁନ୍ ୯ରେ ୟୁପିଏସସି ତାଙ୍କ ଦରଖାସ୍ତ ଖାରଜ କରିଥିବା ନେଇ ଅବଗତ କରାଯାଇଥିଲା। ଏହାପରେ ଆବେଦନକାରୀ କ୍ୟାଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହି ପ୍ରସଂଗରେ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ ପାଇଁ କ୍ୟାଟ୍ ୨୦୧୭, ଡିସେମ୍ବର ୧୭ରେ ଡିଓପିଟିକୁ ନିର୍ଦ୍ଦେଶ ଦେଇଥିଲେ। ୨୦୧୮, ମାର୍ଚ୍ଚ ୧୫ରେ ଡିଓପିଟି ଆବେଦନକାରୀଙ୍କ ଅନୁରୋଧକୁ ଖାରଜ କରିଥିଲା। ଏହାପରେ ପୁଣି ଆବେଦନକାରୀ କ୍ୟାଟ୍ରେ ଦାୟର କରିଥିବା ମାମଲା ଖାରଜ ହୋଇଥିଲା। କ୍ୟାଟ୍ ନିେର୍ଦ୍ଦଶ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ କେନ୍ଦ୍ର ସରକାର, ୟୁପିଏସସି, ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Odisha_high_court.jpg)
