ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବୁଢ଼ାଖମଣ ପଞ୍ଚାୟତ ସୋମଗିରି ପୋଷ୍ଟ ଅଫିସର ଶହଶହ ଜମାକାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଛି। ସମ୍ପୃକ୍ତ ଜମାକାରୀମାନେ ସୋମବାର ଦିନ ଜିଲ୍ଲା ମୁଖ୍ୟ ଡାକପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି।

Advertisment

ସ୍ଥାନୀୟ ଅଞ୍ଚଳର ଲୋକେ ‌ଡାକଘରେ ସଞ୍ଚୟଖାତା ଖୋଲି ସେଥିରେ ଟଙ୍କା ଜମା କରିଥିଲେ। ଏହାଛଡ଼ା ଆର୍‌ଡି, ସ୍ଥାୟୀଜମା, ସୁକନ୍ୟା ସମୃଦ୍ଧି ଯୋଜନାରେ ଲୋକେ ଡାକଘରେ ଟଙ୍କା ଜମା କରିଥିଲେ। ଗ୍ରାମର ଅକ୍ଷୟ କୁମାର ମହାକୁଡ଼ ନିଜ ଆକାଉଣ୍ଟରେ ୩୦ ହଜାର ଟଙ୍କା ରହିଥିଲେ। ଜଂଘିରା ଉପଡାକଘରେ ଯାଞ୍ଚ କରିବା ପରେ ତାଙ୍କ ଆକାଉଣ୍ଟରେ ମାତ୍ର ୧୪ ଶହ ଟଙ୍କା ଥିବା ଜଣାପଡ଼ିଥିଲା। ଏହି ଖବର ପଦାକୁ ଆସିବା ପରେ ଅନ୍ୟ ହିତାଧିକାରୀମାନେ ମଧ୍ୟ ସେମାନଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ। ସେମାନଙ୍କ ଆକାଉଣ୍ଟରେ ମଧ୍ୟ ଆବଶ୍ୟକ ଟଙ୍କା ନଥିବା ଜାଣିବାକୁ ପାଇଥି‌ଲେ। ଏହାର ପ୍ରତିବାଦରେ କିଛିଦିନ ତଳେ ଜମାକାରୀମାନେ ଡାକଘର ଘେରାଉ କରିଥିଲେ।

ସୋମବାର ଦିନ ସୋମଗିରି ଗ୍ରାମର ଦୟାନିଧି ମହାକୁଡ଼, ରଂଜନ ରାଉତ, ଦମୟନ୍ତୀ ରାଉତ, ମିଲା ବାରିକ, ଦ୍ରୌପଦୀ ବେହେରା, ଚିତ୍ତ ରଂଜନ ବେହେରା ପ୍ରମୁଖ ଜଂଘିରା ଉପଡାକଘରର ପୋଷ୍ଟମାଷ୍ଟର ଏବଂ କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକପାଳଙ୍କୁ ସାକ୍ଷାତ କରିଛନ୍ତି। ‌ଟଙ୍କା କିପରି ଫେରିପାଇବେ ସେ ଦିଗରେ ପଦକ୍ଷେପ ନେବାକୁ ଜମାକାରୀମାନେ ନିବେଦନ କରିଛନ୍ତି।