ରକ୍ତଦାନ ବ୍ରତଧାରୀ ରମଣୀ, ମୃତ୍ୟୁଶଯ୍ୟାରୁ ରକ୍ତ ଦେବାକୁ କଲେ ଅପିଲ

ସୋସିଆଲ ମିଡିଆରେ ଅପିଲ ଭାଇରାଲ

ବନ୍ତଳା: ଏକଦା ରକ୍ତଦାନକୁ ବୃତ୍ତି ଓ ବ୍ରତ କରିଥିବା ରମଣୀ ରଞ୍ଜନ ଗଡନାୟକ ଆଜି ବିପଦରେ। ସେ ବର୍ତ୍ତମାନ ପାନକ୍ରିୟାଟିକ୍ କ୍ୟାନସରରେ ପୀଡ଼ିତ ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଥିବାବେଳେ ରକ୍ତଦାନ ପାଇଁ ମେଡିକାଲରୁ ଜନତାଙ୍କୁ ଅପିଲ କରିଛନ୍ତି। ରକ୍ତଦାନ ଏକ ମହତ ଦାନ,ଅନ୍ୟର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ମେଡିକାଲ ବେଡ଼ରୁ ରକ୍ତଦାତାଙ୍କୁ ଅପିଲ କରିଛନ୍ତି। ଯାହା ଏବେ ସୋସିଆଲ ମେଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ ଅନୁଗୁଳ ଜିଲ୍ଲା ବାଦୀବାହାଳ ଗ୍ରାମରେ ରମଣୀଙ୍କ ଘର। ବୟସ ମାତ୍ର ୪୧। ସେ କେବଳ ଅନୁଗୁଳ ରକ୍ତ ଭଣ୍ଡାରର କର୍ମଚାରୀ ନୁହଁ, ସେ ନିଜେ ମଧ୍ୟ ୮୬ ଥର ରକ୍ତଦାନ କରିଥିବା ଜଣେ ବରିଷ୍ଠ ରକ୍ତଦାତା। ଗାଁ ଗାଁରେ ରକ୍ତଦାନ ଶିବିର ଆୟୋଜନ ଠାରୁ ଆରମ୍ଭ କରି ରକ୍ତଦାତାଙ୍କୁ ରକ୍ତଦାନ ପାଇଁ ଆଗ୍ରହୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇ ଆସୁଥିଲେ।

ସେ ରାଜ୍ୟ ରକ୍ତ ଭଣ୍ଡାର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ ମଧ୍ୟ କରୁଛନ୍ତି। ତେବେ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ରକ୍ତଦାନ ଶିବିରର ପ୍ରସ୍ତୁତି ବୈଠକ ଶିବିରରେ ସେ ସର୍ବଦା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସ।ହିତ କରି ଆସୁଥିଲେ। ଫଳରେ ଅନୁଗୁଳ ଜିଲ୍ଲାରେ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ। ଗତ ୪ମାସ ହେବ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଭୁବନେଶ୍ୱର ସ୍ଥିତ ସମ ହସ୍ପିଟାଲକୁ ୨ଥର ଚିକିତ୍ସା ପାଇଁ ଯାଇଥିଲେ। ତେବେ ତାଙ୍କର ପାନକ୍ରିୟାଟିକ୍ କ୍ୟାନସର ହୋଇଥିବା ଜାଣିବାକୁ ପାଇଥିଲେ। ଗତମାସ ୨୫ ତାରିଖରେ ସେ ଭୁବନେଶ୍ୱର ଏମ୍ସ ମେଡିକାଲରେ ଅପରେସନ ହୋଇଛନ୍ତି। ଏହା ମଧ୍ୟରେ ତାଙ୍କର ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ ହେଲାଣି। କିନ୍ତୁ ତାଙ୍କ ଶରୀର ଏବେ ଦୁର୍ବଳ ହେବାରେ ଲାଗିଛି। ୩/୪ଦିନ ପୂର୍ବରୁ ତାଙ୍କ ସହିତ ରକ୍ତ ଭଣ୍ଡାର ଟେକ୍ନିସିଆନ ରୁଦ୍ର ମୋହନ ମାଝି ଏ ସମ୍ପର୍କରେ କଥା ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି। ତେବେ ତାଙ୍କ ସୁସ୍ଥ ଓ ଦୀର୍ଘାୟୁ କାମନା କରି ଜିଲ୍ଲାର କେତେକ ସ୍ବେଚ୍ଛାସେବୀମାନେ ମନ୍ଦିରରେ ଦୀପଦାନ କରିଛନ୍ତି।

ସମ୍ବନ୍ଧିତ ଖବର