କଟକ : ନର୍ସିଂ ଅଫିସର ପଦ ପୂରଣ ପାଇଁ ୨୦୨୨ ମେ ୫ର ବିଜ୍ଞପ୍ତି ବାତିଲ କରି ୨୦୨୩ ଜାନୁଆରି ୨୧ରେ ସାନି ବିଜ୍ଞପ୍ତି ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିସନ୍ ପକ୍ଷରୁ ପ୍ରକାଶ କରାଯାଇଥିଲା। ୨୦୨୨ର ବିଜ୍ଞପ୍ତି ଆଧାରରେ ନର୍ସିଂ ଅଫିସର୍ ପଦ ସଂପର୍କିତ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ ପାଇଁ ଦରଖାସ୍ତ ଦାଖଲ କରିଥିବା ପ୍ରାର୍ଥୀଙ୍କୁ ୨୦୨୩ରେ ପୁଣି ଥରେ ଦରଖାସ୍ତ ଦାଖଲ କରିବାକୁ ପଡ଼ିବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ରହିଥିଲା। ଏଭଳି ସ୍ଥିତିରେ ୨୦୨୩ର ବିଜ୍ଞପ୍ତିରେ ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଧାରିତ ତାରିଖ ଭିତରେ କେତେକ ଯୋଗ୍ୟ ପ୍ରାର୍ଥୀ ଦରଖାସ୍ତ କରି ପାରି ନଥିଲେ। ୨୦୨୨ରେ ସେମାନେ ସମାନ ପଦ ପାଇଁ ଦରଖାସ୍ତ ଦାଖଲ କରି ସାରିଥିବାରୁ ୨୦୨୩ରେ ପୁଣି ଥରେ ଦରଖାସ୍ତ ଦାଖଲ କରିବା ଆବଶ୍ୟକ ନୁହେଁ ବୋଲି ଏହି ପ୍ରାର୍ଥୀମାନେ ଭାବି ନେଇଥିଲେ। ସେମାନଙ୍କୁ ୨୦୨୩ର ବିଜ୍ଞପ୍ତି ଆଧାରରେ ଅନୁଷ୍ଠିତ ହେବାକୁ ଥିବା ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ ବୋଲି ଏପରି ପ୍ରାର୍ଥୀମାନେ ଧରି ନେଇଥିଲେ। କିନ୍ତୁ ୨୦୨୩ର ବିଜ୍ଞପ୍ତି ଆଧାରରେ ମାର୍ଚ୍ଚ ୧୯ରେ ଅନୁଷ୍ଠିତ ହେବାକୁ ଥିବା ଲିଖିତ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଏଭଳି ପ୍ରାର୍ଥୀଙ୍କୁ ଡକାଯାଇ ନଥିଲା। ଏହି ପ୍ରାର୍ଥୀମାନେ ଏହି ପ୍ରସଂଗ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ୧୦ରୁ ଅଧିକ ପ୍ରାର୍ଥୀଙ୍କ ଆବେଦନ ଗୁଡିକର ଶୁଣାଣି କରି ମାର୍ଚ୍ଚ ୧୯ରେ ଅନୁଷ୍ଠିତ ହେବାକୁ ଥିବା ଲିଖିତ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଆବେଦନକାରୀଙ୍କୁ ଅନୁମତି ଦେବାକୁ କମିସନ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ଦରଖାସ୍ତର ହାର୍ଡ କପି କମିସନ୍ଙ୍କ ନିକଟରେ ମାର୍ଚ୍ଚ ୧୬ ତାରିଖ ୫ଟା ସୁଦ୍ଧା ଦାଖଲ କରିବେ। ଦରଖାସ୍ତ ସହିତ ପୂର୍ବର ପଞ୍ଜୀକରଣ, ଦରଖାସ୍ତ ଫର୍ମ, ଆବଶ୍ୟକ ନଥିପତ୍ର ଯଦି ଏହି ସମୟ ଭିତରେ ଆବେଦନକାରୀ ଦାଖଲ କରନ୍ତି ତେବେ ଏହାକୁ କମିସନ୍ ବିଚାରକୁ ନେଇ ସେମାନଙ୍କୁ ମାର୍ଚ୍ଚ ୧୯ରେ ଅନୁଷ୍ଠିତ ହେବାକୁ ଥିବା ଲିଖିତ ପରୀକ୍ଷାରେ ଅଂଶଗ୍ରହଣ ପାଇଁ ଅନୁମତି ଦେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ ପରିସ୍ଥିତିକୁ ବିଚାରକୁ ନେଇ ଦିଆଯାଇଥିବା ଏପରି ନିର୍ଦ୍ଦେଶ କେବଳ ଏହି ମାମଲା ପାଇଁ ଲାଗୁ, ଏହାକୁ ନଜିର ଭାବେ ଗ୍ରହଣ କରାଯିବ ନାହିଁ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି। ଏସ.ଏସ.ପ୍ରଧାନ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।