ଆସିଷ୍ଟାଣ୍ଟ୍‌ ପ୍ରଫେସର ପାଇଁ ଆବେଦନ ବୟସସୀମା ୪୫କୁ ବୃଦ୍ଧି, ପ୍ରାଧ୍ୟାପକ ନିଯୁକ୍ତି ପାଇଁ ଏଣିକି ଏକକ ମାର୍ଗଦର୍ଶିକା

ହସ୍ତଶିଳ୍ପ ବିଭାଗରେ ୫୫୨ ପଦବି ସୃଷ୍ଟି

ଭୁବନେଶ୍ବର: ସରକାରୀ କଲେଜଗୁଡ଼ିକରେ ପ୍ରାଧ୍ୟାପକମାନଙ୍କୁ ନିଯୁକ୍ତି ଦେବାର କ୍ଷମତା ସରକାରଙ୍କ ରହିବ। ପ୍ରାଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତୁତ ନୂତନ ମାର୍ଗଦର୍ଶିକାକୁ ରାଜ୍ୟ କ୍ୟାବିନେଟର ମୋହର ଲାଗିଛି। ଏଣିକି ପ୍ରାର୍ଥୀମାନଙ୍କର ଆବେଦନ କରିବା ସର୍ବୋଚ୍ଚ ବୟସ ସୀମାକୁ ୩୩ ବର୍ଷରୁ ୪୫ ବର୍ଷକୁ ବୃଦ୍ଧି କରାଯାଇଛି। ପ୍ରାର୍ଥୀ ଚୟନ ବେଳେ ଯଦି କୌଣସି ବିଷୟ ପାଇଁ ଅଧିକ ସଂଖ୍ୟକ ପ୍ରାର୍ଥୀ ଆବେଦନ କରନ୍ତି, ତେବେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଲିଖିତ ପରୀକ୍ଷା କରି ଯୋଗ୍ୟ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ କାଣ୍ଟ୍‌ଛାଣ୍ଟ୍‌ କରିପାରିବେ। ସେହିପରି ହସ୍ତଶିଳ୍ପ ବିଭାଗରେ ସରକାର ୫୫୨ଟି ନୂଆ ପଦବି ସୃଷ୍ଟି କରିଛନ୍ତି।

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି ମୁତାବକ, ୧୯୯୦ ମସିହାର ଓଡ଼ିଶା ଶିକ୍ଷା ସେବା (ପ୍ରଫେସର ଗ୍ରେଡ୍‌) ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟ ସରକାର କଲେଜଗୁଡ଼ିକ ପାଇଁ ପ୍ରାଧ୍ୟାପକମାନଙ୍କୁ ଓପିଏସ୍‌ସି ସାକ୍ଷାତକାର ମାଧ୍ୟମରେ ଚୟନ କରିଥାନ୍ତି। ଏହାଭିତରେ ଏହି ମାର୍ଗଦର୍ଶିକାଟି ୩ ଥର ସଂଶୋଧିତ ହୋଇସାରିଛି। ଓପିଏସ୍‌ସି ଚୟନ ପ୍ରକ୍ରିୟା ଏକ ଦୀର୍ଘ ତଥା ସମୟସାପେକ୍ଷ ହୋଇଥିବାରୁ ୨୦୧୦ ପରଠାରୁ ଏହି ପାହ୍ୟାକୁ କୌଣସି ଶିକ୍ଷକଙ୍କୁ ଚୟନ କରାଯାଇନାହିଁ। ଏବେ ଏହାକୁ ଉଚ୍ଛେଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ୧୯୯୦ ମସିହା ଓଡ଼ିଶା ଶିକ୍ଷା ସେବା (ବରିଷ୍ଠ ପ୍ରଶାସନିକ ସେବା) ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟର ସରକାରୀ କଲେଜଗୁଡ଼ିକ ପାଇଁ ଓପିଏସ୍‌ସି ମାଧ୍ୟମରେ ପ୍ରାଧ୍ୟାପକ ପାହ୍ୟା (ରିଡର୍ସ ଗ୍ରେଡ୍‌), ଅଧ୍ୟକ୍ଷ, ଓ ଗ୍ରେଡ୍‌-୧ ପ୍ରାଧ୍ୟାପକ ପଦବି ପାଇଁ ପ୍ରାର୍ଥୀ ଚୟନ କରାଯାଇଥାଏ। ଏହି ମାର୍ଗଦର୍ଶିକାଟି ୨୦୧୨ ମସିହା ମଧ୍ୟରେ ୫ ଥର ସଂଶୋଧିତ ହୋଇଛି। ଏହାରି ଆଧାରରେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ପଦବିଟି ପୂରଣ ହୋଇଥାଏ। ଏବେ କଲେଜଗୁଡ଼ିକ ମଧ୍ୟରେ ‘ଲିଡ୍‌ କଲେଜ’ ଶବ୍ଦଟି ପ୍ରାସଙ୍ଗିକତା ହରାଇଥିବାରୁ ଏହି ଶବ୍ଦଟିକୁ ମଧ୍ୟ ଉଚ୍ଛେଦ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସରକାରୀ କଲେଜ୍‌ଗୁଡ଼ିକରେ ଅଧ୍ୟାପକ ଚୟନ ପାଇଁ ଥିବା ୧୯୯୦ ମସିହା ଓଡ଼ିଶା ଶିକ୍ଷାସେବା (କଲେଜ୍‌ ଶାଖା) ମାର୍ଗଦର୍ଶିକା ୨୦୧୩ ମସିହା ସୁଦ୍ଧା ୫ ଥର ସଂଶୋଧିତ ହୋଇସାରିଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ସର୍ବଭାରତୀୟ ସ୍ତରରେ ଆସିଷ୍ଟାଣ୍ଟ୍‌ ପ୍ରଫେସର (ବର୍ଗ-୧, ବର୍ଗ-୨ ଓ ବର୍ଗ-୩), ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ପଦବିକୁ ପରିବର୍ତ୍ତନ ହୋଇଛି। ଏହାକୁ ପରିବର୍ତ୍ତନ କରି ଯୁଗପୋଯୋଗୀ କରିବା ଉଦ୍ଦେଶ୍ୟରେ ଏହାକୁ ମଧ୍ୟ ଉଚ୍ଛେଦ କରିବା ସରକାର ସ୍ଥିର କରିଛନ୍ତି। ସବୁଯାକ ମାର୍ଗଦର୍ଶିକାକୁ ଉଚ୍ଛେଦ କରି ଗୋଟିଏ ଏକକ ମାର୍ଗଦର୍ଶିକା ପ୍ରଣୟନ କରାଯିବ। ଫଳରେ ପ୍ରାଧ୍ୟାପକମାନଙ୍କ ପଦୋନ୍ନତି ସହଜ ହେବ।

ହସ୍ତଶିଳ୍ପ କ୍ଷେତ୍ରକୁ ସ୍ବତନ୍ତ୍ର ଭାବେ ପ୍ରାଧାନ୍ୟ ଦେଇ ଶିଳ୍ପ ବିଭାଗ ଅଧୀନରୁ ଏହି ବିଭାଗକୁ କଢ଼ାଯାଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସହିତ ମିଶ୍ରଣ କରାଯାଇଥିଲା। ବିଭାଗ ମିଶ୍ରଣ ପରେ ଦୀର୍ଘ ଦିନରୁ ନୂଆ ପଦବି ସୃଷ୍ଟି ନେଇ ଦାବି ହୋଇଆସୁଥିଲା। ନୂତନ ଭାବେ ୫୫୨ଟି ପଦବି ସୃଷ୍ଟିକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ବିଭିନ୍ନ ବର୍ଗରେ ଗ୍ରୁପ୍‌-ଏ ଓ ଗ୍ରୁପ୍‌-ବି ଶ୍ରେଣୀର ପଦାଧିକାରୀମାନଙ୍କ ନିଯୁକ୍ତି ପ୍ରକ୍ରିୟା ଓ ପରିଚାଳନା ପାଇଁ ରାଜ୍ୟ ସରକାର ‘ ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ ୨୦୨୧’ ଘୋଷଣା କରିଛନ୍ତି। କେନ୍ଦୁପତ୍ର ଶାଖାରେ କାର୍ଯ୍ୟ କରୁଥିବା ବନପାଳମାନଙ୍କର କ୍ଷେତ୍ରୀୟ ତଥା ବନ୍ୟପ୍ରାଣୀ ଶାଖା ସମ୍ବନ୍ଧୀୟ ଜ୍ଞାନ ନଥାଏ। ଏଣୁ ସେମାନେ ଯେତେବେଳେ ଉପବନାଞ୍ଚଳ ଅଧିକାରୀ ପଦବିକୁ ପଦୋନ୍ନତି ପାଇଥାନ୍ତି, ସେହି କାର୍ଯ୍ୟଗୁଡ଼ିକୁ ସୁଚାରୁରୂପେ ସମ୍ପାଦନ ପାଇଁ ସେମାନଙ୍କ ପକ୍ଷରେ କଷ୍ଟକର ହୋଇଥାଏ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଓଡ଼ିଶା ଅଧସ୍ତନ ବନସେବା (ବନପାଳଙ୍କ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମାବଳୀ ୨୦୨୦ ଘୋଷଣା କରିଛନ୍ତି। ରାଜ୍ୟ ଓ ଜିଲ୍ଲା କ୍ୟାଡରରେ ବିଭିନ୍ନ ପଦବି ଓ ସେବା ନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ଥିବା ଶାରୀରିକମାନକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ଓ କ୍ୟାରିଅର୍‌ ମୂଲ୍ୟାଙ୍କନ ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ଏଣିକି ତ୍ବାରାନ୍ବିତ, ସରଳ ଓ ସ୍ବଚ୍ଛ କରିବାକୁ ଲିଖିତ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବା ପରେ ପ୍ରଚଳିତ ଶାରୀରିକମାନକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ଆଉ କୌଣସି ମାର୍କ ପ୍ରଦାନ କରାଯିବ ନାହିଁ। ସେହିଭଳି ବିଭିନ୍ନ ପଦବି ଓ ସେବା ବର୍ଗରେ ନିଯୁକ୍ତି ପାଇଁ ପ୍ରାରମ୍ଭିକ ନିଯୁକ୍ତି ସମୟରେ କୌଣସି କ୍ୟାରିଅର୍‌ ମାର୍କ ଆଧାରରେ ମୂଲ୍ୟାଙ୍କନ ହେବ ନାହିଁ। କେବଳ ନିଯୁକ୍ତି ନିୟମାବଳୀ ଅନୁଯାୟୀ ଲିଖିତ ପରୀକ୍ଷାରେ ମିଳିଥିବା ମାର୍କ ଓ ମୌଖିକ ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଚୟନ ତାଲିକା ପ୍ରସ୍ତୁତ ହେବ। ଏ ନେଇ ଓଡ଼ିଶା ବେସାମରିକ ସେବା (ଶାରୀରିକମାନକ ମାପ ଓ ଶାରୀରିକ ଦକ୍ଷତା ପରୀକ୍ଷା ଏବଂ କ୍ୟାରିଅର୍‌ ମୂଲ୍ୟାଙ୍କନ ବନ୍ଦ କରିବା ପଦ୍ଧତି) ନିୟମାବଳୀ ୨୦୨୧କୁ କ୍ୟାବିନେଟ୍‌ ମଞ୍ଜୁର କରିଛି।

କ୍ୟାବିନେଟ୍‌ର ଅନ୍ୟ ନିଷ୍ପତ୍ତି ମୁତାବକ ଓଡ଼ିଶା ଭୂତଳ ଜଳ ଭୂବିଜ୍ଞାନ ସେବା (ଭୂତଳ ଜଳ ଉନ୍ନୟନ ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ତ୍ତାବଳୀ) ନିୟମ ୨୦୨୦ ଘୋଷଣା କରାଯାଇଛି। ସେହିପରି ଓଡ଼ିଶା ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ସେବା (ନିଯୁକ୍ତି ପ୍ରକ୍ରିୟା ଓ ଚାକିରି ସର୍ତ୍ତାବଳୀ) ଅଧିନିୟମ ୨୦୨୧, ଓଡ଼ିଶା ସମୀକ୍ଷକ ସେବା (ସମୀକ୍ଷକ ଅଧିକାରୀ) ସଂଶୋଧନ ନିୟମ ୨୦୨୧, ଓଡ଼ିଶା ଅଧସ୍ତନ ବନସେବା (ବନରକ୍ଷୀଙ୍କ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମାବଳୀ ୨୦୨୦, ମେଡିକାଲ କଲେଜ ଶିକ୍ଷକଙ୍କ ଯୋଗ୍ୟତା ମାନଦଣ୍ଡରେ ଅଣାଯାଇଥିବା ପରିବର୍ତ୍ତନ ଆଧାରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରସ୍ତାବିତ ଓଡ଼ିଶା ମେଡିକାଲ ଶିକ୍ଷା ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୨୧କୁ ବୈଠକରେ ଅନୁମୋଦନ ମିଳିଛି। ଏହାସହିତ ଓଡ଼ିଶା ଖାଦ୍ୟ ନିରାପତ୍ତା ସେବା (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ ୨୦୨୦ ଏବଂ ଓଡ଼ିଶା ଭେଷଜ ନିୟନ୍ତ୍ରଣ ସେବା (ରାଜ୍ୟ ଭେଷଜ ପରୀକ୍ଷା ଓ ଗବେଷଣାଗାର ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମ ୨୦୨୦ ପ୍ରଣୟନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର