ଶିକ୍ଷାଗତ ଆର୍ଥିକ ସହାୟତା ନିମନ୍ତେ ଆବେଦନ

ଭୁବନେଶ୍ବର : ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ଅନୁଷ୍ଠାନରେ ନିୟମିତ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଶ୍ରମିକଙ୍କ ସନ୍ତାନସନ୍ତତିଙ୍କଠାରୁ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଶିକ୍ଷାଗତ ଆର୍ଥିକ ସହାୟତା ନିମନ୍ତେ ଅନ୍‌ଲାଇନ୍‌ ଆବେଦନ ଗ୍ରହଣ କରାଯାଉଛି। ଏହା କେବଳ ବିଡି, ଚଳଚ୍ଚିତ୍ର, ଲୌହ, ମାଙ୍ଗାନିଜ, କ୍ରୋମ, ଚୁନପଥର ଓ ଡୋଲୋମାଇଟ୍‌ ଖଣି ଶ୍ରମିକଙ୍କ ସନ୍ତାନସନ୍ତତିଙ୍କ ପାଇଁ ଉଦ୍ଦିଷ୍ଟ। ପ୍ରଥମରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଓ ବୈଷୟିକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଜାତୀୟ ମେଧାବୃତ୍ତି ପୋର୍ଟାଲ www.scholarships.gov.in ଜରିଆରେ ଆବେଦନ କରିବେ ଏବଂ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଆବେଦନପତ୍ରଗୁଡ଼ିକୁ ଶିକ୍ଷାନୁଷ୍ଠାନର ୟୁଜର ଆଇଡି ଓ ପାସୱାର୍ଡ ସାହାଯ୍ୟରେ ଯାଞ୍ଚ କରି ୱେବ୍‌ସାଇଟ୍‌ ଜରିଆରେ ପଠାଇବେ। ଶିକ୍ଷାନୁଷ୍ଠାନର ଅନୁମୋଦନ ବିନା କୌଣସି ଆବେଦନପତ୍ର କଲ୍ୟାଣ ଆୟୁକ୍ତଙ୍କ ନିକଟକୁ ଅନୁମୋଦନ ପାଇଁ ଯିବ ନାହିଁ।

ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ଆବେଦନ କରିବାର ଶେଷ ତାରିଖ ୩୦.୦୯.୨୦୨୨ ରହିଥିବା ବେଳେ ଶିକ୍ଷାନୁଷ୍ଠାନ ପାଇଁ ୧୬.୧୦.୨୦୨୨ ରହିଛି। ସେହିପରି ଯୁକ୍ତ ୨ ଏବଂ ତା ଠାରୁ ଊର୍ଦ୍ଧ୍ବ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ୩୧.୧୦.୨୦୨୨ ଶେଷ ତାରିଖ ରହିଥିବା ବେଳେ ଶିକ୍ଷାନୁଷ୍ଠାନ ପାଇଁ ୧୫.୧୧.୨୦୨୨ ‌ରହିଛି। ଛାତ୍ରଛାତ୍ରୀମାନେ ଆବେଦନ ପ୍ରକ୍ରିୟାରେ କୌଣସି ପ୍ରକାର ସହାୟତା ଏବଂ ସ୍ପଷ୍ଟୀକରଣ ପାଇଁ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର National Scholarship Portalର ୟୁଜର ଆଇଡି ଓ ପାସ୍‌ୱାର୍ଡ ପାଇଁ କଲ୍ୟାଣ କମିସନରଙ୍କ କାର୍ଯ୍ୟାଳୟର କଲ୍ୟାଣ ପ୍ରଶାସିକା, ସ୍ମୃତିରେଖା ସାହୁଙ୍କ ସହିତ ୦୬୭୪-୨୫୫୪୦୦୦, ମୋ – ୯୪୩୮୧୨୫୬୪୫ରେ ଯୋଗାଯୋଗ କରିବାକୁ ରମେଶ ଚନ୍ଦ୍ର ମିଶ୍ର, କଲ୍ୟାଣ ଆୟୁକ୍ତ (କେନ୍ଦ୍ରୀୟ), ଭୁବନେଶ୍ବରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର