କଂସା-ପିତ୍ତଳ ହସ୍ତଶିଳ୍ପ ସାମଗ୍ରୀକୁ ଜିଆଇ ମାନ୍ୟତା ପାଇଁ ଆବେଦନ

ଭୁବନେଶ୍ବର: ଓଡ଼ିଶା ପ୍ରସିଦ୍ଧ କଂସା ଓ ପିତ୍ତଳ ସାମଗ୍ରୀକୁ ଭୌଗୋଳିକ ସୂଚକାଙ୍କ (ଜିଆଇ ଟ୍ୟାଗ୍‌) ତାଲିକାରେ ସ୍ଥାନ ଦେବା ପାଇଁ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଅଧୀନ ‘ଉତ୍କଳିକା’ ପକ୍ଷରୁ ଆବେଦନ କରାଯାଇଛି। ଗତ ୫ ତାରିଖରେ ଏ ସଂପର୍କିତ ଏକ ଆବେଦନପତ୍ର ଚେନ୍ନାଇସ୍ଥିତ ଜିଆଇ ପଞ୍ଜୀକରଣ କାର୍ଯ୍ୟାଳୟକୁ ପଠାଯାଇଛି।

କଂସା ଓ ପିତ୍ତଳ ନିର୍ମିତ ସାମଗ୍ରୀ ଉତ୍ପାଦନରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଓଡ଼ିଆଙ୍କ ଦୈନନ୍ଦିନ ଚଳଣିରେ ମଧ୍ୟ ଏଗୁଡ଼ିକର ବହୁଳ ବ୍ୟବହାର ଦେଖିବାକୁ ମିଳିଥାଏ। ବିବାହ ଭଳି ମାଙ୍ଗଳିକ କାର୍ଯ୍ୟ‌ରେ ନବବଧୂଙ୍କୁ ପିତ୍ତଳ ଓ କଂସା ନିର୍ମିତ ବାସନ କୁସନ, ଫୁଲ ଝୁଡ଼ି, କୁଣ୍ଡ, ଠାକୁରଙ୍କ ବାସନକୁସନ, ଘଣ୍ଟଘଣ୍ଟି, ଦୀପ ଓ ଧୂପ ଦାନି ଆଦି ଭେଟି ଆକାରରେ ବାପଘର ପକ୍ଷରୁ ଦିଆଯାଇଥାଏ। ଏହାବ୍ୟତୀତ କଂସା ବାସନରେ ଖାଦ୍ୟ ରାନ୍ଧିଲେ ଓ ଖାଦ୍ୟ ଖାଇଲେ, ତାହା ସ୍ବାସ୍ଥ୍ୟ ପକ୍ଷେ ହିତକାରକ ବୋଲି ଆୟୁର୍ବେଦିକ ଡାକ୍ତରମାନେ ଦାବି କରନ୍ତି। ତେଣୁ ଓଡ଼ିଶାର ଏହି ଉତ୍ପାଦକୁ ଜିଆଇ ମାନ୍ୟତା ନେଇ ଦାବି କରାଯାଇଛି। ଏଥିପାଇଁ ରାଜ୍ୟର ୨୮ଟି ଜିଲ୍ଲାରେ ଅବସ୍ଥିତ ବିଭିନ୍ନ କଂସା ଓ ପିତ୍ତଳ ହସ୍ତଶିଳ୍ପ ପୁଞ୍ଜରୁ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଇଛି। ଅପରପକ୍ଷେ, ହସ୍ତଶିଳ୍ପ କ୍ଷେତ୍ରରେ କୌଣସି ବସ୍ତୁ ବା ଉତ୍ପାଦ ପାଇଁ ଜିଆଇ ମାନ୍ୟତା ଦାବି କରିବା କ୍ଷେତ୍ରରେ ଚଳିତ ବର୍ଷ ଓଡ଼ିଶାର ଏହା ତୃତୀୟ ଆବେଦନ। ଏହା ପୂର୍ବରୁ କୋଣାର୍କର ପଥର ଖୋଦେଇ, ପିପିଲି ଚାନ୍ଦୁଆ ଓ ରଘୁରାଜପୁର ପଟ୍ଟଚିତ୍ର ଜିଆଇ ମାନ୍ୟତା ହାସଲ କରିଛି। ‌ସେହିପରି କଟକର ତାରକସୀ କାମ ଓ ଓଡ଼ିଶାର କାଇଁଚ କାମକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରାଯାଇଛି।

ପରବର୍ତ୍ତୀ ପର୍ଯ୍ୟାୟରେ ଗଂଜାମ ବେଲଗୁଣ୍ଠାର ନମନୀୟ ପିତ୍ତଳ ମାଛ, ବରଗଡ଼ ବରପାଲିର ଟେରାକୋଟା ଛାତ ଟାଇଲ୍‌, ପୁରୀର କାଗଜ ମୁଖା, ଢେଙ୍କାନାଳ ଜିଲ୍ଲା ଜିରାଳର ନଡ଼ା କାମ, ବାଲେଶ୍ୱରର ଲାଖ କଣ୍ଢେଇ, ଓଡ଼ିଶା ଢୋକରା କାଷ୍ଟିଂ, ନୀଳଗିରିର ପଥର କାମ ଓ ପଥର ବାସନ, ବଲାଙ୍ଗୀରରେ ଧାନରୁ ପ୍ରସ୍ତୁତ ହସ୍ତଶିଳ୍ପ, ସୁବର୍ଣ୍ଣପୁରର ଟେରାକୋଟା, ଗଜପତି ଜିଲ୍ଲାର ଶିଙ୍ଘ କାମ, ନବରଙ୍ଗପୁରର ଲାଖ ପେଡ଼ି ଓ ପୁରୀର ତାଳପତ୍ର ପୋଥିଚିତ୍ର ପରି ହସ୍ତଶିଳ୍ପକୁ ଜିଆଇ ମାନ୍ୟତା ପାଇଁ ଆବେଦନ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର