ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ସଦର ବ୍ଲକ୍ ମାଦିଗୁଡ଼ା ପଞ୍ଚାୟତ ଚିକିଲି ଗ୍ରାମର ଅନିଲ ଶିଖା ନିଜ ଖର୍ଚ୍ଚରେ ଚିକିତ୍ସା ହୋଇପାରି ନଥିଲେ। ହତାଶ ହୋଇ ଇଚ୍ଛାମୃତ୍ୟୁ ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ମାଧ୍ୟମରେ ଅବଗତ କରାଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ବିଶାଖାପାଟଣାକୁ ଚିକିତ୍ସା ନିମନ୍ତେ ପଠାଇଥିଲା। ସେଠାରେ ବିନା ଚିକିତ୍ସାରେ ଫେରାଇ ଦିଆଯାଇଥିବାରୁ ସୋମବାର ପୁନର୍ବାର ଇଚ୍ଛାମୃତ୍ୟୁ ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ କରିଛନ୍ତି।
ଅନିଲ ଏକ ଦୁର୍ଘଟଣାରେ ଆହତ ହୋଇ ଚଲାବୁଲା କରିପାରୁ ନଥିଲେ। ଜମିବାଡ଼ି ବନ୍ଧା କରି ଚିକିତ୍ସା କରିବା ପରେ ମଧ୍ୟ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲା ନାହିଁ। ତେଣୁ ଇଚ୍ଛାମୃତ୍ୟୁ ପାଇଁ ଜଣାଇବା ପରେ ବିଶାଖାପାଟଣା ମେଡିକଭର ହସ୍ପିଟାଲକୁ ପଠାଯାଇଥିଲା। ଯାତାୟାତ ଖର୍ଚ୍ଚ ପାଇଁ ରେଡକ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଅନୁଦାନ ମିଳିଥିଲା। ଗତ ଡିସେମ୍ବର ୬ ତାରିଖରେ ସେଠାରେ ଭର୍ତ୍ତି ହୋଇଥିଲେ। ମେରୁଦଣ୍ଡର ଆଘାତର ବିନା ଚିକିତ୍ସା କରି ତାଙ୍କୁ ସେଠାରୁ ଡିସ୍ଚାର୍ଜ କରାଯାଇଛି। ସୋମବାର କଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନଙ୍କୁ ପୁନର୍ବାର ଇଚ୍ଛାମୃତ୍ୟୁ ପାଇଁ ଲିଖିତ ଜଣାଇଛନ୍ତି। ଜିଲ୍ଲା ପ୍ରଶାସନ ତାଙ୍କୁ ସହାୟତା ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ଏହି ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରିବାକୁ ଦାବି ହେଉଛି।