ପେନ୍‌ସନ୍‌ ଅଦାଲତ ପାଇଁ ଦରଖାସ୍ତ ଅବଧି ବଢ଼ିଲା

ଭୁବନେଶ୍ବର : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପେନ୍‌ସନ୍‌ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ୱତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବଢାଯାଇଛି। ଦରଖାସ୍ତ ଗ୍ରହଣ ତାରିଖକୁ ପୂର୍ବରୁ ଚଳିତ ମାସ ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏହାକୁ ମେ’ ମାସ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା କହିଛନ୍ତି ଯେ ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଫୌଜଦାରୀ, ଭିଜିଲାନ୍‌ସ୍‌ ବା ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଓ ବିଭାଗୀୟ ପ୍ରୋସିଡିଂ ଆଦି ନାହିଁ, ସେମାନେ ଏହି ପେନ୍‌ସନ୍‌ ଅଦାଲତରେ ସୁଯୋଗ ନେଇପାରିବେ। ଦରଖାସ୍ତ ଏଚ୍‌.ଆର୍‌.ଏମ୍‌.ଏସ୍‌. ପୋର୍ଟାଲ୍‌ (http://pension.hrmsodisha.gov.in) ମାଧ୍ୟମରେ ଗ୍ରହଣ କରାଯିବ। ଏହି ସମୟ ମଧ୍ୟରେ ମିଳିଥିବା ଦରଖାସ୍ତ ବାବଦରେ ସ୍ୱୀକୃତିପତ୍ର ଅନ୍‌ଲାଇନ୍‌ରେ ଦରଖାସ୍ତକାରୀଙ୍କୁ ମିଳିବ। ନିଷ୍ପତ୍ତି ବାବଦ ସୂଚନା ମଧ୍ୟ ଦରଖାସ୍ତକାରୀଙ୍କୁ ଇମେଲ୍‌, ଏସ୍‌.ଏମ୍‌.ଏସ୍‌. ବା ଅନ୍‌ଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ଜଣାଇ ଦିଆଯିବ। ଯେଉଁ ଦରଖାସ୍ତଗୁଡ଼ିକର ସମାଧାନ ପେନ୍‌ସନ୍‌ ମଞ୍ଜୁର କର୍ତ୍ତୁପକ୍ଷଙ୍କ ସ୍ତରରେ ହୋଇ ନ ପାରିବ ସେ ସେଗୁଡ଼ିକୁ ସଂପୃକ୍ତ ବିଭାଗକୁ ପଠାଇଦେବେ। ପରବର୍ତ୍ତୀ ସମୟରେ ଏହି ଅସମାଧିତ ଦରଖାସ୍ତଗୁଡ଼ିକର ବିଚାର ପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ୱତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ। ଏହି ଅଦାଲତରେ ଶୁଣାଣି ତାରିଖ ଓ ନୋଟିସ୍‌ ଆଦି ମଧ୍ୟ ସଂପୃକ୍ତ କର୍ମଚାରୀଙ୍କୁ ଇମେଲ୍‌ ବା ଏସ୍‌.ଏମ୍‌.ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ।

ଅନ୍‌ଲାଇନ୍‌ରେ ଦରଖାସ୍ତ ପଞ୍ଜୀକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଲେ ସି.ଏମ୍‌.ଜି.ଆଇ. ହେଲପ୍‌ ଲାଇନ୍‌ ନମ୍ବର ମାଧ୍ୟମରେ ସହାୟତା ନେବା ପାଇଁ ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ଜଣାଇଛନ୍ତି । ଏଥି ପାଇଁ ୨ଟି ନମ୍ବର ର ବ୍ୟବସ୍ଥା କରାଯାଇଛି – (୦୬୭୪)୨୫୭୦୧୫୦ ଏବଂ ୨୫୭୨୪୧୦ ।

ସମ୍ବନ୍ଧିତ ଖବର