ଭୁବନେଶ୍ବର: ଆସନ୍ତା ଅକ୍ଟୋବର ୧୦ରୁ ୩୧ ତାରିଖ ମଧ୍ୟରେ ‘ଓଡ଼ିଶା-୫୦’ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର କୋଣ ଅନୁକୋଣରେ ଆତ୍ମନିର୍ଭରଶୀଳ ହୋଇଥିବା କିମ୍ବା ହେବାକୁ ସଂଘର୍ଷ କରୁଥିବା ସଫଳ ଓ ଅସଫଳ ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କୁ ଦ୍ବିତୀୟ ସଂସ୍କରଣରେ ସାମିଲ କରାଯିବ। ସମ୍ପୂର୍ଣ୍ଣ କ୍ଷୁଧାମୁକ୍ତ ସମାଜ ଗଠନ, କାର୍ଯ୍ୟକ୍ଷେତ୍ରରେ ସସମ୍ମାନେ ବହୁ ସଂଖ୍ୟକ ମହିଳାଙ୍କ ଯୋଗଦାନ ଓ ଦାୟିତ୍ବସମ୍ପନ୍ନ ମହିଳା ସମାଜ ଗଠନ ପାଇଁ ଆନ୍ତରିକ ଓ ଯୋଜନାବଦ୍ଧ ପ୍ରୟାସ ଲୋଡ଼ା। ଏହା ହୋଇପାରିଲେ ସରକାରଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ନିରନ୍ତର ବିକାଶ ଲକ୍ଷ୍ୟ (SDG ବା Sustainable Developement Goal) ହାସଲ ହୋଇପାରିବ। ଓଡ଼ିଶାର ଗ୍ରାମୀଣ ମହିଳା ଉଦ୍ୟୋଗୀମାନଙ୍କ ‘ଆର୍ଥିକ ଓ ବଜାର କାରବାରରେ ଉନ୍ନତି ତଥା ସ୍ଥାନୀୟ ଅଞ୍ଚଳର ଜନଜୀବନରେ ସଂପୃକ୍ତି’ ପାଇଁ ପ୍ରଶିକ୍ଷଣ ଦିଆଯିବାକୁ ଥିବା ଉପରୋକ୍ତ ଆଲୋଚନାଚକ୍ରରେ ଭାଗ ନେବାପାଇଁ ଆଗ୍ରହୀ ମହିଳାମାନଙ୍କଠାରୁ ୨୮ ସେପ୍ଟେମ୍ବର ସୁଦ୍ଧା ଦରଖାସ୍ତ ଆହ୍ବାନ କରାଯାଉଛି।

Advertisment

କଟକ, ବ୍ରହ୍ମପୁର, ବାଲେଶ୍ବର ଓ ସମ୍ବଲପୁରଠାରେ ବହୁ ସଂଖ୍ୟାରେ ମହିଳା ଉଦ୍ୟୋଗୀଙ୍କୁ ନେଇ ପ୍ରାରମ୍ଭିକ ପର୍ଯ୍ୟାୟ ଆଲୋଚନାଚକ୍ରରେ ମାନସମନ୍ଥନ କରାଯିବ। ଗ୍ରାମାଞ୍ଚଳର ନିର୍ବିବାଦୀୟ ଓ ଆତ୍ମନିର୍ଭରଶୀଳ ମହିଳା ଉଦ୍ୟୋଗୀଙ୍କ ମଧ୍ୟରୁ ମନୋନୀତ ମହିଳାଙ୍କ ସଫଳ/ଅସଫଳ କାହାଣୀର ସଂଘର୍ଷମୟ ବିବରଣୀ ତଥା ମାନବୀୟ ସମ୍ବେଦଶୀଳ ଦିଗରୁ ପରିପୁଷ୍ଟ ସେମାନଙ୍କ କାହାଣୀଗୁଡ଼ିକ ‘ସମ୍ବାଦ’ ପୃଷ୍ଠାରେ ସ୍ଥାନିତ ହେବ। ଯଦିଓ ନୂଆ ପ୍ରତିଭା/କାହାଣୀର ସନ୍ଧାନ କରାଯିବ, ପ୍ରଥମ ସଂସ୍କରଣରେ ଭାଗ ନେଇଥିବା ମହିଳାଙ୍କୁ ମଧ୍ୟ ନିହାତି ଆବଶ୍ୟକ ମନେକଲେ ଉକ୍ତ ତାଲିକାରେ ସ୍ଥାନ ଦିଆଯିବ। ତେଣୁ ପ୍ରଥମ ସଂସ୍କରଣରେ ଭାଗ ନେଇଥିବା ମହିଳାମାନେ ମଧ୍ୟ ଦ୍ବିତୀୟ ସଂସ୍କରଣ ପାଇଁ ଆବେଦନ କରିପାରିବେ। ଉପରୋକ୍ତ ୪ ଗୋଟି ସ୍ଥାନ ମଧ୍ୟରୁ କେଉଁଠି, କେବେ ଓ କେଉଁ ଜିଲ୍ଲା/ସଂସ୍କରଣଗୁଡ଼ିକୁ ନେଇ ଆଲୋଚନାଚକ୍ର ଆୟୋଜନ କରାଯିବ ସେ ନେଇ ବିସ୍ତୃତ ବିବରଣୀ ପରବର୍ତ୍ତୀ ସମୟରେ ମନୋନୀତ ମହିଳାମାନଙ୍କୁ ଜଣାଇଦିଆଯିବ। ପୂର୍ବଭଳି ଏଥର ମଧ୍ୟ ସେମାନଙ୍କ ଯାତାୟାତ ଆଦି ଖର୍ଚ୍ଚ ‘ସମ୍ବାଦ’ ତରଫରୁ ଦିଆଯିବ। ପ୍ରାରମ୍ଭିକ ଜୋନ୍‌ ସ୍ତରୀୟ ଆଲୋଚନାଚକ୍ର ଗୁଡ଼ିକରୁ ବଛାବଛା ମହିଳା ଉଦ୍ୟୋଗୀମାନଙ୍କୁ ନେଇ ଆସନ୍ତା ନଭେମ୍ବର ୪ ତାରିଖରେ ଭୁବନେଶ୍ବରଠାରେ ଚୂଡ଼ାନ୍ତ ସମାବେଶ ଆୟୋଜନ ହେବ। ସେମାନଙ୍କ ମଧ୍ୟରୁ ମନୋନୀତ ପ୍ରଥମ ୨୫ ଜଣଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବ। ଅଧିକ ଜାଣିବା ପାଇଁ ତଥା ୨୮ ସେପ୍ଟେମ୍ବର ସୁଦ୍ଧା ଆବେଦନ ପତ୍ର ପୂରଣ ନିମନ୍ତେ www.odisha50.in ରେ ଲଗ୍‌ଇନ୍ କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ ସହସ୍ର ସଂଖ୍ୟାରେ ସଫଳ କାହାଣୀର ନାୟିକାଙ୍କ ଜୀବନଧାରଣର ମାନରେ ଅଧିକ ଉନ୍ନତି ଆଣିବା ଦିଗରେ ଗତବର୍ଷ ଓଡ଼ିଶା-୫୦ ପ୍ରଥମ ସଂସ୍କରଣ ଆୟୋଜନରେ ‘ସମ୍ବାଦ’ ପରିବାରର ପ୍ରୟାସ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା।