ଆଜିଠୁ ଯୁକ୍ତ ୨ ନାମଲେଖା ଆବେଦନ ପ୍ରକ୍ରିୟା

କଟ୍‌ଅଫ୍‌ ମାର୍କ ଉପରେ ସମସ୍ତଙ୍କ ନଜର, ସେପ୍ଟେମ୍ବର ୫ ଯାଏ ଆବେଦନ କରିହେବ

ଭୁବନେଶ୍ବର : ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଗୁରୁବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ମାଟ୍ରିକ୍‌ ପାସ୍‌ କରିଥିବା କିମ୍ବା ସମାନ ଯୋଗ୍ୟତା ଥିବା ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେପ୍ଟେମ୍ବର ୧୩ ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ ଏବଂ ୧୪ରୁ ୨୧ ତାରିଖ ମଧ୍ୟ‌ରେ ନାମଲେଖା ଅନୁଷ୍ଠିତ ହେବ। ସେହିପରି ସେପ୍ଟେମ୍ବର ୨୭ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ କରାଯିବ ଏବଂ ନାମଲେଖା ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୧ ମଧ୍ୟରେ ହେବ। ଅକ୍ଟୋବର ୪ରେ ସ୍ପଟ୍‌ ନାମଲେଖା ଲାଗି ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ୫ ତାରିଖ ଅପରାହ୍ଣ ୨ଟା ସୁଦ୍ଧା ସ୍ପଟ୍‌ ନାମଲେଖା ଲାଗି ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ। ସେହିଦିନ ଅପରାହ୍ଣ ୫ଟାରେ ସ୍ପଟ୍‌ ନାମଲେଖା ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ ଏବଂ ୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ।

ଛାତ୍ରଛାତ୍ରୀ ଆବେଦନ କରିବା ପୂର୍ବରୁ ଗତବର୍ଷର କଟ୍‌ଅଫ୍‌ ମାର୍କ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପସନ୍ଦ ବିକଳ୍ପ ଚୟନ କରିବା ବେଳେ ସେମାନେ ରଖିଥିବା ମାର୍କ ପ୍ରତିଶତକୁ ନଜର ଦେବା ଆବଶ୍ୟକ। ଏଥର ବିକଳ୍ପ ମୂଲ୍ୟାୟନରେ ମାର୍କ ଦିଆଯାଇଥିବାରୁ ଛାତ୍ରଛାତ୍ରୀଙ୍କ ନମ୍ବର ଅଧିକ ରହିଛି। ତେଣୁ ଆବେଦନ ସମୟରେ ପିଲାମାନେ ଭଲ ଭାବେ ଭାବିଚିନ୍ତି ଆବେଦନ କରିବା ଦରକାର। ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ହେଲେ ଛାତ୍ରଛାତ୍ରୀଙ୍କ ମୋବାଇଲ୍‌ ନମ୍ବରକୁ ସାମ୍‌ସ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡ଼ିବ। କାରଣ ନାମଲେଖା ସମ୍ପର୍କିତ ସମସ୍ତ ସୂଚନା କେବଳ ପଞ୍ଜୀକୃତ ମୋବାଇଲ୍‌ ନମ୍ବରକୁ ପଠାଯିବ। କଲେଜ ଚୟନ ପୂର୍ବରୁ ନାମଲେଖା ଫି’ ଯାଞ୍ଚ କରିବାକୁ କୁହାଯାଇଛି। ସାମ୍‌ସ ବ୍ୟତୀତ ଅନ୍ୟ କୌଣସି ପଦ୍ଧତିରେ ନାମ ଲେଖାଇଥିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଯୁକ୍ତ୨ ପରୀକ୍ଷାରେ ଉପସ୍ଥିତ ହେବାକୁ ଅନୁମତି ଦିଆଯିବ ନାହିଁ। ଗଣିତରେ ଫେଲ୍‌ ହୋଇଥିବା କିମ୍ବା ହାଇସ୍କୁଲସ୍ତରରେ ଗଣିତ ବିଷୟ ରଖିନଥିବା ପ୍ରାର୍ଥୀମାନେ ବିଜ୍ଞାନ କିମ୍ବା ବାଣିଜ୍ୟ ବିଭାଗ ପାଇଁ ଆବେଦନ କରିପାରିବେ ନାହିଁ। ସେମାନେ କେବଳ କଳା ଓ ସଂସ୍କୃତ ପାଇଁ ଯୋଗ୍ୟ ହେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧିତ ଖବର