ଭୁବନେଶ୍ବର : ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୯ ପାଇଁ ୨୭ ଗୋଟି ବିଭାଗରେ ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର-୨୦୧୯ ପାଇଁ ୨୦ଟି ବିଭାଗରେ ପୁରସ୍କାର ପ୍ରଦାନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ବାନ କରାଯାଇଛି। ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ଫେବ୍ରୁଆରି ୨୦ ତାରିଖ ମଧ୍ୟରେ ସେମାନଙ୍କ ଦ୍ବାରା ପ୍ରାୟୋଜିତ ମୌଳିକ ଓଡ଼ିଆ ଚଳଚ୍ଚିତ୍ର ଓ ଓଡ଼ିଆ ଦୂରଦର୍ଶନ ଧାରାବାହିକ/ଟେଲି ଚଳଚ୍ଚିତ୍ରଗୁଡ଼ିକୁ ଉଭୟ ଡିଭିଡି ଫର୍ମାଟ୍ ଓ ପେନ୍ଡ୍ରାଇଭ୍ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ଦାଖଲ କରିପାରିବେ। ଦାଖଲ କରାଯାଉଥିବା ଡିଭିଡି/ସିଡି/ପେନ୍ଡ୍ରାଇଭ୍ଗୁଡ଼ିକର କାହାଣୀ, ସମସ୍ତ ଗୀତର ଗୀତିକାର ତଥା କଣ୍ଠଶିଳ୍ପୀମାନଙ୍କ ସମ୍ପୂର୍ଣ୍ଣ ବିବରଣୀ, କଳାକାର ଓ ଟେକ୍ନିସିଆନ୍ମାନଙ୍କ ସମ୍ପୂର୍ଣ୍ଣ ନାମ, ଠିକଣା ତଥା ମୋବାଇଲ ନମ୍ବର ଆଦିର ୧୦ଟି ଲେଖାଏଁ କପି ସେଥିରେ ସଂଯୋଗ କରିବାକୁ କୁହାଯାଇଛି। ଏଥିସହ ଏଥିରେ ଚଳଚ୍ଚିତ୍ର, ଧାରାବାହିକ ଓ ଟେଲି ଚଳଚ୍ଚିତ୍ର ପାଇଁ ଦାଖଲ କରାଯାଇଥିବା ସେନସର୍ ସାର୍ଟିଫିକେଟ୍ର ଆଟେଷ୍ଟେଡ୍ କପି ମଧ୍ୟ ସଂଯୋଗ କରାଯିବାକୁ କୁହାଯାଇଛି। ସର୍ତ୍ତାବଳୀ ବହିର୍ଭୁକ୍ତ କିମ୍ବା ଆବଶ୍ୟକ ଉପରୋକ୍ତ ପ୍ରମାଣପତ୍ର ତଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରାଯାଇ ନଥିବା ଡିଭିଡି ଓ ପେନ୍ଡ୍ରାଇଭ୍ଗୁଡ଼ିକୁ ଚୟନ କମିଟିର ବିଚାର ପାଇଁ ଯୋଗ୍ୟ ବିବେଚିତ କରାଯିବ ନାହିଁ।
ଟେଲି ଧାରାବାହିକ ପୁରସ୍କାର ୨୦୧୯ ପାଇଁ ସେହି ବର୍ଷ ପ୍ରସାରିତ ହୋଇଥିବା ଏପିସୋଡ୍ଗୁଡ଼ିକ ମଧ୍ୟରୁ ଯେକୌଣସି ଏକ ସମ୍ପୂର୍ଣ୍ଣ ଏପିସୋଡ୍ର ଡିଭିଡି (୨୫ ମିନିଟ୍ ଅବଧି) ଏବଂ ମନୋନୟନ ପ୍ରକ୍ରିୟା ସହ ସଂପୃକ୍ତ ବିଭିନ୍ନ ଅଭିନେତା, ଅଭିନେତ୍ରୀ ଯଥା ମୁଖ୍ୟ ଅଭିନେତା/ ଅଭିନେତ୍ରୀ, ହାସ୍ୟାଭିନେତା, ଚରିତ୍ର ଅଭିନେତା/ ଅଭିନେତ୍ରୀ, ଖଳନାୟକ/ଖଳନାୟିକା, ଶିଶୁ କଳାକାରଙ୍କ ଅଭିନୟର ଅଂଶ ସମ୍ବଳିତ ଡିଭିଡି ଦସ୍ତଖତ ସହ ଦାଖଲ କରିବା ବାଞ୍ଛନୀୟ। ଏଥିସହ ଧାରାବାହିକର ଟାଇଟଲ କାର୍ଡ ସମ୍ବଳିତ ଅନ୍ୟ ଏକ ଡିଭିଡି/ପେନ୍ଡ୍ରାଇଭ୍ ମଧ୍ୟ ଦାଖଲ କରିବା ଆବଶ୍ୟକ। ଆବେଦନକାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ତଥ୍ୟ ପରବର୍ତୀ ସମୟରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ୩୧ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଅଷ୍ଟମ ରାଜ୍ୟ ଟେଲି ପୁରସ୍କାର ପାଇଁ ଆବେଦନଫର୍ମ, ମନୋନୟନ ପତ୍ରର ନମୁନା ଓ ଅନ୍ୟାନ୍ୟ ବିବରଣୀ ବିଭାଗର ୱେବ୍ସାଇଟ୍ www.odishaculture.gov.in ରେ ଉପଲବ୍ଧ।
ସୂଚନାଯୋଗ୍ୟ, ରାଜ୍ୟରେ ଉଚ୍ଚକୋଟୀର ଗୁଣବତ୍ତାସମ୍ପନ୍ନ ଓଡ଼ିଆ ଚଳଚ୍ଚିତ୍ର ଓ ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ତଥା ଟେଲି ପୁରସ୍କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ‘ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର’ ଓ ‘ରାଜ୍ୟ ଟେଲି ପୁରସ୍କାର’ ପ୍ରଦାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/film-596519_1280.jpg)